ପ୍ରହେଳିକାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ: ବର୍ଷେ ପରେ ବି ପରିବାରକୁ ମିଳିଲାନି ନ୍ୟାୟ

ଶୋକାକୁଳ ପରିବେଶରେ ହେଲା ଶ୍ରାଦ୍ଧ କ୍ରିୟାକର୍ମ, ବାପା, ମାଆଙ୍କ ଆଖିରୁ ଶୁଖୁନି ଲୁହ

ଖଇରା : ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ରାଜ୍ୟ ପଡ଼ିଲା ଉଠିଲା। ଏହା ହତ୍ୟା ନା ଆତ୍ମହତ୍ୟା, ସେ ନେଇ ଖୋଳତାଡ଼ ବି ହେଲା। ବର୍ଷେ ପୂରିଲା ପଛେ, ଘଟଣା ଉପରୁ ପରଦା ଉଠିପାରିଲାନାହିଁ। ରହସ୍ୟ ହୋଇ ରହିଗଲା ଏହି ଯୁବ ବନ ଅଧିକାରୀଙ୍କ ମୃତ୍ୟୁ ଘଟଣା। ଭେଣ୍ଡିଆ‌ ପୁଅକୁ ହରାଇ ବାପା, ମା ଏବେ ବି ଗୁମୁରି ଗୁମୁରି କାନ୍ଦୁଛନ୍ତି। ତିଥି ଅନୁସାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଶନିବାର ଦିନ ବର୍ଷେ ପୂରିଛି। ଶୋକାକୁଳ ପରିବେଶରେ ବାଲେଶ୍ବର ଜିଲ୍ଲା ଖଇରା ବେଗୁନିଆସ୍ଥିତ ଘରେ ପରିବାର ଲୋକ ଶନିବାର ଦିନ ଶ୍ରାଦ୍ଧ କ୍ରିୟାକର୍ମ କରିଛନ୍ତି। ବାପା ଅଭିରାମ ମହାପାତ୍ର ଓ ମାଆ ତୁଳସୀ ମହାପାତ୍ର ପୁଅ ସ୍ମୃତିରେ ଲୁହ ଗଡ଼ାଇଛନ୍ତି। ଶ୍ରାଦ୍ଧକର୍ମରେ ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଯୋଗ ଦେଇଥିବା ବେଳେ ଉଭୟଙ୍କୁ ସମବେଦନା ଜଣାଇଛନ୍ତି।

ସୌମ୍ୟରଞ୍ଜନଙ୍କ ଶ୍ରାଦ୍ଧକର୍ମ ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ପରିବାର ଲୋକେ ଢ଼େର ବିଷୋଦ୍‌ଗାର କରିଥିଲେ। ପୁଲିସ ଓ ସରକାରରେ ଥିବା ପ୍ରଭାବଶାଳୀ ବ୍ୟକ୍ତି ଏହି ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରି ସଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଉପରୁ ତାଙ୍କର ସବୁ ଭରସା ତୁଟିଯାଇଛି। ତଥାପି ନ୍ୟାୟିକ ବ୍ୟବସ୍ଥା ଉପରେ ତାଙ୍କର ପୂର୍ଣ୍ଣ ଆସ୍ଥା ଓ ବିଶ୍ବାସ ଅଛି। ପୁଅ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଥିଲେ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର।

ସୂଚନା ଥାଉକି, ଗତବର୍ଷ ଜୁଲାଇ ୧୩ ତାରିଖରେ ଏସିଏଫ୍‌ ସୌମ୍ୟରଞ୍ଜନଙ୍କର ଗଞ୍ଜାମ ପାରଳାଖେମୁଣ୍ଡିସ୍ଥିତ ବାସଭବନରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଦେହରେ ନିଆଁ ଲାଗିଯିବାରୁ ସେ ସଂପୂର୍ଣ୍ଣ ପୋଡ଼ି ଯାଇଥିଲେ। ପରିବାର ଲୋକେ ଏହି ଘଟଣାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ତତ୍କାଳୀନ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଦୋଷାରପ କରିବା ସହ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ। ଏପରିକି ପୂର୍ବତନ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ସମ୍ପୃକ୍ତି ନେଇ ମଧ୍ୟ ଅଭିଯୋଗ ଉଠିଥିଲା। ନ୍ୟାୟ ପାଇଁ ସୌମ୍ୟରଞ୍ଜନଙ୍କ ବାପାମାଆ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୁଲିସ ଡିଜି, ଜଙ୍ଗଲ ବିଭାଗର ମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କୁ ଗୁହାରି କରିଥିଲେ। ଅଭିଯୋଗ ଆଧାରରେ ପାରଳାଖେମୁଣ୍ଡି ପୁଲିସ ବିଦ୍ୟାଭାରତୀଙ୍କ ସହ ଡିଏଫ୍‌ଓ ଓ ରୋଷେୟାଙ୍କ ନାମରେ ୩୦୨ ଦଫାରେ ମାମଲା ରୁଜୁ କରିଥିଲା। ହେଲେ କାହାକୁ ଗିରଫ କଲାନାହିଁ। ପରେ ଏହି ମାମଲାର ତଦନ୍ତ ଦାୟିତ୍ବ କ୍ରାଇମ୍‌ବ୍ରାଞ୍ଚ ନେଇଥିଲା। ଅଧିକାରୀମାନେ ତଦନ୍ତ ନାମରେ ଦିନ ଗଡ଼ାଇଲେ, ଶେଷରେ ଏହା ଏକ ଆକସ୍ମିକ ଦୁର୍ଘଟଣା ଥିଲା ବୋଲି ଦର୍ଶାଇ ସବୁଦିନ ପାଇଁ ଫାଇଲ ବନ୍ଦ କରିଦେଲେ। ବର୍ଷେ ପରେ ମଧ୍ୟ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ପ୍ରହେଳିକା ହୋଇରହିଛି। ବହୁଚର୍ଚ୍ଚିତ ଏହି ମାମଲା ବର୍ତ୍ତମାନ ହାଇକୋର୍ଟରେ ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର