ବିକାଶ ପାଇଁ ସୌମ୍ୟରଂଜନଙ୍କ ସୂତ୍ର : ଗ୍ରାମାଞ୍ଚଳର ବିକାଶ ଦ୍ୱାରା ହିଁ ହୋଇପାରିବ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି

ଭୁବନେଶ୍ୱର: ଗ୍ରାମାଞ୍ଚଳର ବିକାଶ ଦ୍ୱାରା ହିଁ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଆଜି ବିଧାନସଭାରେ ମତବ୍ୟକ୍ତ କରିଛନ୍ତି।

ରାଜ୍ୟପାଳଙ୍କ ଅଭିଭାଷଣ ନିମନ୍ତେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇ ଖଣ୍ଡପଡ଼ା ବିଧାୟକ ଶ୍ରୀ ପଟ୍ଟନାୟକ କହିଲେ ଯେ, ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟରେ ୫ଟି ମହାନଗରୀକୁ ସ୍ମାର୍ଟସିଟି ରୂପେ ବିକଶିତ କରିବାକୁ ଉଦ୍ୟମ କରାଯିବ ବୋଲି କୁହାଯାଇଛି। ରାଜଧାନୀ ଭୁବନେଶ୍ୱର ଭଳି ଅନ୍ୟ ସହରରେ ମଧ୍ୟ ସ୍ମାର୍ଟ ସିଟିର ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେଲେ ଭଲ ହେବ। ତେବେ କେବଳ ସହରର ବିକାଶ ନୁହେଁ,ଗ୍ରାମାଞ୍ଚଳର ମଧ୍ୟ ବିକାଶ ଆବଶ୍ୟକ। ସହର ଭଳି ଗ୍ରାମାଞ୍ଚଳରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଉଚିତ। ମୂଳ ଗ୍ରାମାଞ୍ଚଳବାସୀ ଥରେ ସହରକୁ ଆସିଲେ ଆଉ ଗାଁକୁ ଫେରିଯିବାକୁ ମନ କରୁନାହାନ୍ତି। କିନ୍ତୁ ଗ୍ରାମାଞ୍ଚଳରେ ସମସ୍ତ ମୌଳିକ ସୁବିଧା ସୁଯୋଗ ଉପଲବ୍ଧ ହେଲେ ଆଉ କେହି ଗାଁକୁ ଛାଡ଼ି ସହରକୁ ଯିବାକୁ ଚାହିଁବେ ନାହିଁ ବୋଲି ସେ କହିଥିଲେ।

କ୍ଷୁଧାମୁକ୍ତି ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁପ୍ରକାର ପଦକ୍ଷେପ ନେଇଛନ୍ତି। ତଦ୍ଦ୍ଵାରା ଆଉ ଦାରିଦ୍ର୍ୟ ଓ ପିଲା ବିକ୍ରିର ଅଭିଯୋଗ ଶୁଣିବାକୁ ମିଳୁ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କର ପ୍ରାୟ ଅଧ ଘଣ୍ଟାଏ ବ୍ୟାପୀ ଅଭିଭାଷଣରେ କହିଥିଲେ।

ବିକାଶର କୌଣସି ଜାତି ନାହିଁ ବୋଲି ଉଲ୍ଲେଖ କରି ବିଧାୟକ ଶ୍ରୀ ପଟ୍ଟନାୟକ କହିଲେ ଯେ,ଦଳମତ ନିର୍ବିଶେଷରେ ସମସ୍ତେ ସରକାରଙ୍କୁ ସହଯୋଗ କରିବା ଉଚିତ। ବିରୋଧୀ ଦଳ କେବଳ ବିରୋଧ କରିବା ପାଇଁ ସରକାରଙ୍କର ସମାଲୋଚନା କରୁଛନ୍ତି ବୋଲି ସେ କହିଥିଲେ।

ରାଜ୍ୟରେ ଦ୍ରୁତ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ୫ଟି ‘ସ’ର (ସହଯୋଗ, ଶିଳ୍ପ ବିକାଶ ଓ ବିଜ୍ଞାନ, ସଂସ୍କାର, ସ୍ୱଚ୍ଛତା,ଏବଂ ସମୟ) ମନ୍ତ୍ର ଦେଇଛନ୍ତି ତା’ର ସଫଳ ରୂପାୟନ ପାଇଁ ସମସ୍ତେ ଦଳମତ ନିର୍ବିଶେଷରେ ସହଯୋଗ କରିବାକୁ ଶ୍ରୀ ପଟ୍ଟନାୟକ ବିଧାୟକମାନଙ୍କୁ ନିବେଦନ କରିଥିଲେ।

ରାଜ୍ୟର ଦ୍ରୁତ ଓ ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଐତିହାସିକ ପଦକ୍ଷେପ ନେଇଛନ୍ତି ,ତାହାକୁ ରାଜ୍ୟବାସୀ ନିରବଚ୍ଛିନ୍ନ ସମର୍ଥନ କରିଚାଲିଛନ୍ତି ବୋଲି ସୌମ୍ୟରଂଜନ କହିଥିଲେ।

ବିଜୁଳି ଆଲୁଅର କୌଣସି ଜାତି ନାହିଁ ବୋଲି ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଲେ ଯେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସବୁଆଡ଼େ ସମାନ ଭାବେ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ହେବା ଆବଶ୍ୟକ। ସେହିପରି ସବୁ ଶ୍ରେଣୀର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଏବଂ କୃଷିକ୍ଷେତ୍ରକୁ ନିରବଚ୍ଛିନ୍ନ ଜଳ ସେଚନ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ।

ସମ୍ବନ୍ଧିତ ଖବର