ଖଣ୍ଡପଡ଼ାରେ ସତ୍ତା ହରାଇଲେ ବିରୋଧୀ : ରାଜ୍ୟରେ ରେକର୍ଡ ବ୍ୟବଧାନରେ ଜିତିଲେ ସୌମ୍ୟରଞ୍ଜନ

ନୋଟା ଠାରୁ କଂଗ୍ରେସକୁ କମ୍ ଭୋଟ, ତୃତୀୟ ସ୍ଥାନରେ ବିଜେପି

ନୟାଗଡ଼ : ନିର୍ବାଚନ ପୂର୍ବରୁ ଖଣ୍ଡପଡ଼ାରେ ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବୃହତ ବିଜୟ ହେବ ବୋଲି ଜଣାପଡ଼ୁଥିଲା। ନିର୍ବାଚନ ପରେ ଏହା ସତ ପ୍ରମାଣିତ ହୋଇଛି। ସୌମ୍ୟରଞ୍ଜନ ୮୧ ହଜାରରୁ ଅଧିକ ବ୍ୟବଧାନରେ ବିଜୟୀ ହୋଇ ଚଳିତ ନିର୍ବାଚନରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଅନ୍ୟପକ୍ଷରେ ଖଣ୍ଡପଡ଼ାରେ ବିରୋଧୀ ଏକରକମ ସତ୍ତାହୀନ ହୋଇପଡ଼ିଛନ୍ତି।

୧୯୯୬ ମସିହାରେ ଭୁବନେଶ୍ବର ଲୋକସଭା ସାଂସଦ ଥିବା ସମୟରୁ ଶ୍ରୀ ପଟ୍ଟନାୟକ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ସହ ନିଜକୁ ସଂପୃକ୍ତ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଭାବେ ଏବଂ ୨୦୧୪ରେ ‘ଆମ ଓଡ଼ିଶା ପାର୍ଟି’ର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ସେ ସଫଳ ହୋଇ ପାରି ନ ଥିଲେ। ଗତ ନିର୍ବାଚନରେ ସେ ଅତ୍ୟନ୍ତ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ମଧ୍ୟ ମାତ୍ର ୬୦୧ ଭୋଟ ବ୍ୟବଧାନରେ ହାରି ଯାଇଥିଲେ। ତେବେ ଏଥର ନିର୍ବାଚନ ପୂର୍ବରୁ ସମୀକରଣ ବଦଳି ଯାଇଥିଲା। ଶ୍ରୀ ପଟ୍ଟନାୟକ ବିଜୁ ଜନତା ଦଳରେ ଯୋଗ ଦେଇ ରାଜ୍ୟସଭା ସାଂସଦ ହେବା ପରେ ଖଣ୍ଡପଡ଼ାରୁ ବିଜେଡି ପ୍ରାର୍ଥୀ ଭାବେ ଲଢ଼ିଥିଲେ। ବିଜେଡିର ବିକାଶମୂଳକ କାର୍ଯ୍ୟ, ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ସୌମ୍ୟରଞ୍ଜନଙ୍କ ବ୍ୟାପକ ଲୋକସମ୍ପର୍କ ପାଇଁ ଏଥର ତାଙ୍କୁ ଏଭଳି ବୃହତ ବିଜୟ ମିଳିଲା ବୋଲି କୁହାଯାଉଛି। ମୋଦି ହାୱା ପାଇଁ ଜିଲ୍ଲାର ଅନ୍ୟ ୩ଟି ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀମାନେ ବିଜେଡିକୁ କଡ଼ା ଟକ୍କର ଦେଇଥିଲେ। କିନ୍ତୁ ଖଣ୍ଡପଡ଼ାରେ ବିଜେପି ତୃତୀୟ ସ୍ଥାନକୁ ଖସି ଯାଇଛି। ଏଠାରେ ଶ୍ରୀ ପଟ୍ଟନାୟକ ୧ ଲକ୍ଷ ୩୮ ଖଣ୍ଡ ଭୋଟ ପାଇଥିବା ବେଳେ ପୂର୍ବତନ ବିଧାୟକ ତଥା ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହ ୧୪,୦୧୪ ଖଣ୍ଡ ଭୋଟ ପାଇଛନ୍ତି। ସ୍ବାଧୀନ ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ବାଇଁ ୧୮,୬୦୮ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବସନ୍ତ କୁମାର ମହାରଣା ୮୮୩ ଖଣ୍ଡ ଭୋଟ ପାଇଛନ୍ତି। ଯାହାକି ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ନୋଟାରେ ପଡ଼ିଥିବା ୧୦୮୦ ଖଣ୍ଡ ଭୋଟଠାରୁ ବି କମ୍।

ସବୁଠାରୁ ବଡ଼ କଥା ହେଲା ୨୦୧୪ରେ ଖଣ୍ଡପଡ଼ାରୁ ବିଜେଡିର ବିଧାୟକ ହୋଇଥିବା ଅନୁଭବ ପଟ୍ଟନାୟକଙ୍କୁ ଏଥର ଦଳୀୟ ଟିକେଟ ନ ମିଳିବା କିମ୍ବା ଆଶାୟୀ ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡ଼ା ଟିକେଟ୍ ରେସ୍‌ରୁ ବାଦ ପଡ଼ିବା ପରେ ମଧ୍ୟ ଦଳ ପାଇଁ ମନପ୍ରାଣ ଦେଇ କାର୍ଯ୍ୟ କରିଥିଲେ। ସୌମ୍ୟରଞ୍ଜନଙ୍କ ପ୍ରଭାବୀ ନେତୃତ୍ବ ପାଇଁ ଖଣ୍ଡପଡ଼ାରେ ବିଜେଡି ଆହୁରି ସଶକ୍ତ ହୋଇଥିଲା। ସୌମ୍ୟରଞ୍ଜନ ନିର୍ବାଚନୀ ପ୍ରଚାର ଶୋଭାଯାତ୍ରାରେ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ପରିଡ଼ା ମଧ୍ୟ ସାମିଲ ହୋଇ ତାଙ୍କ ପାଇଁ ଭୋଟ ମାଗିଥିଲେ। ସମସ୍ତେ ଏକଜୁଟ୍ ହୋଇ ଲଢିବା ଏବଂ ଶ୍ରୀ ପଟ୍ଟନାୟକ ଲୋକପ୍ରିୟତା ତଥା ସାଙ୍ଗଠନିକ ଦକ୍ଷତା ପାଇଁ ଏହି ବୃହତ ବିଜୟ ହେଲା ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର