ଘସିପୁରାରେ ବିଜେଡି ପ୍ରାର୍ଥୀ ସମର୍ଥକଙ୍କ ଦାଦାଗିରି: କଡ଼ା ସମାଲୋଚନା କଲେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ

ପୁଲିସ ମୋ ସମର୍ଥକଙ୍କୁ ଜାଣିଶୁଣି ଗିରଫ କରୁଛି: ସୌମ୍ୟରଞ୍ଜନ

ଘସିପୁରା: ବରଗଡରେ ହତ୍ୟାକାଣ୍ଡ ଘଟିଥିବାବେଳେ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଗୁଣ୍ଡାଗର୍ଦି ଓ ହିଂସାକାଣ୍ଡର ଚିତ୍ର । କେଉଁଠି ଶାସକ ଦଳର କର୍ମୀ ପ୍ରଚାର ଗାଡିକୁ ଅଟକାଇ ନାରାବାଜି କରିଛନ୍ତି ତ ଆଉ କେଉଁଠି ବୁଥ ରିଗିଂ କରିଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଘଷିପୁରା ବିଧାନସଭା କ୍ଷେତ୍ରରୁ ଆସିଛି ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଦାଦାଗିରିର ଚିତ୍ର । ବିଚ୍ ରାସ୍ତାରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀଙ୍କ ରାଲିକୁ ଅଟକାଇ ହଙ୍ଗାମା କରିଛନ୍ତି ବିଜେଡି ନେତା ବଦ୍ରି ପାତ୍ରଙ୍କ ସମର୍ଥକ । ସ୍ୱାଧୀନ ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଚାର ଗାଡିକୁ ଅଟକାଇବା ସହ ଗୁଣ୍ଡାଗର୍ଦ୍ଦି କରି ଆତଙ୍କ ଖେଳାଇଛନ୍ତି । ଅଶ୍ରାବ୍ୟ ଭାଷାରେ ମଧ୍ୟ ଗାଳି ଗୁଲଜ କରିବା ସହ ଧମକ ଚମକ ଦେଇଛନ୍ତି । ଏଥିସହ ତାଙ୍କ ସମର୍ଥକଙ୍କୁ ଜାଣିଶୁଣି ପୋଲିସ ଲଗାଇ ଗିରଫ କରାଯାଉଥିବା ସୌମ୍ୟ ରଞ୍ଜନ ଅଭିଯୋଗ ଆଣିଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘସିପୁରା ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କହିଛନ୍ତି ଯେ ଆଜି ସକାଳେ ଯେଉଁ ଘଟଣା ଘଟିଥିଲା ତାହା ଅତି ନିନ୍ଦନୀୟ । ଅଶାନ୍ତି ସାଙ୍କୁ ଗତ ରାତିରେ ଉଠାଇ ନିଆଯାଇଛି । ମୋ ସମର୍ଥକଙ୍କୁ ପୁଲିସ ଜାଣିଶୁଣି ଗିରଫ କରୁଛି । ଗିରଫ ବ୍ୟକ୍ତି ମୋ ସମର୍ଥକ କେମିତି ହେଉଛନ୍ତି । ଗଣତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ମୁଁ କାମ କରୁଛି । ବଦ୍ରିବାବୁଙ୍କ ସହ ଥିବା ଅସାମାଜିକଙ୍କୁ ଗିରଫ କରାଯାଉନି । ବାହୁବଳୀ ନେତା ଭାବେ ନିର୍ବାଚନ ନଲଢନ୍ତୁ । ନିର୍ବାଚନ ହିଂସାଯୁକ୍ତ କରିବାକୁ କାହିଁକି ପ୍ରଚେଷ୍ଟା କରାଯାଉଛି? ମୁଁ କାହା ବିରୋଧରେ ଲଢେଇ କରୁନି । ମୋର ସରକାର କଳ ବିରୋଧରେ ଲଢେଇ । ବଦ୍ରିବାବୁ ଭୟଭୀତ ହୁଅନ୍ତୁ ନାହିଁ । ମୁଁ ମୋ ଲଢେଇ ଲଢୁଛି, ସେ ତାଙ୍କ ଲଢେଇ ଲଢନ୍ତୁ ।

ସମ୍ବନ୍ଧିତ ଖବର