ବାଲିଆପାଳ: ସମୃଦ୍ଧ ଓଡ଼ିଶା ଓ ସୁସ୍ଥ ଭବିଷ୍ୟତ ଗଠନ ପାଇଁ ଛାତ୍ରଛାତ୍ରୀମାନେ ୫ଟି ‘ମ’ ଓ ୫ଟି ‘ନ’ର ଅନୁପାଳନ କରିବା ପାଇଁ ସଂକଳ୍ପ ନେବା ଉଚିତ। ମାଆ, ମାଟି ଓ ମାତୃଭାଷାକୁ ସମ୍ମାନ ଦେବା। ମଦମୁକ୍ତ ଓଡ଼ିଶା ଗଠନ କରିବା ଏବଂ ମୋବାଇଲ୍‌ର ଅପବ୍ୟବହାରଠାରୁ ଦୂରେଇ ରହିବା। ସେହିପରି ନିରୋଗ, ନମ୍ର, ନିଡର ଓ ନିରହଙ୍କାରୀ ହେବା ସହ ନିରାଡ଼ମ୍ବର ଜୀବନଯାପନ କରିବା। ଅନ୍ୟପଟେ ପିଲାମାନଙ୍କ ଭବିଷ୍ୟତ ଗଠନ କରିବା ଦିଗରେ ପିତାମାତାମାନେ ଚାପ ପକାଇବା ଉଚିତ ନୁହେଁ। କାରଣ ବୃତ୍ତିରେ ସଫଳ ହେବାକୁ ହେଲେ ଜଣଙ୍କୁ ପ୍ରବୃତ୍ତି ସହ ବନ୍ଧୁତା କରିବାକୁ ପଡ଼ିବ। ଗତକାଲି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଛକସ୍ଥିତ ଶୁଭମ୍‌ ଗେଷ୍ଟ ହାଉସ୍‌ ପରିସରରେ ‘ଛବିବାଳା ଟ୍ରଷ୍ଟ’ ଏବଂ ‘ସୁବର୍ଣ୍ଣ ସମ୍ପର୍କ ପରିବାର’ ପକ୍ଷରୁ ଆୟୋଜିତ ମେଧାବୃତ୍ତି ସମ୍ମାନ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ମତବ୍ୟକ୍ତ କରିଛନ୍ତି ‘ସମ୍ବାଦ-ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ।

Advertisment

‘ସୁବର୍ଣ୍ଣ ସମ୍ପର୍କ ପରିବାର’ର ସଂଯୋଜକ ସମାଜସେବୀ ସଞ୍ଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର କହିଥିଲେ ଯେ ଈଶ୍ବରଙ୍କଠାରେ ଭକ୍ତି ଥିଲେ ଜଣେ ମାନସିକ ଶକ୍ତି ହାସଲ କରିପାରିବ। ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ବସ୍ତା ବିଧାୟିକା ସୁବାସିନୀ ଜେନା। ସେ କହିଥିଲେ; ମନରେ ସକରାତ୍ମକ ଭାବନା ଓ ଦୃଢ଼ ଇଚ୍ଛାଶକ୍ତି ରହିଲେ ଏବଂ କଠିନ ପରିଶ୍ରମ ସହ ଈଶ୍ବର ବିଶ୍ୱାସୀ ହେଲେ ସଫଳତା ନିଶ୍ଚିତ ମିଳିବ। ସମ୍ମାନିତ ଅତିଥି ଭାବେ ‘ଭେଲ୍‌’ର ପୂର୍ବତନ ଏମ୍‌ଡି ମନମୋହନ ସେଠୀ ଏବଂ ଯୁବ ଶିଳ୍ପଦ୍ୟୋଗୀ ସଞ୍ଜୟ କୁମାର ଦେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ‘ଛବିବାଳା ଟ୍ରଷ୍ଟ’ର ଅଧ୍ୟକ୍ଷ ତଥା ଆପୋଲୋ ହସ୍‌ପିଟାଲ୍‌ର ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡା. ବ୍ରଜରାଜ ଦାସ କହିଲେ, ଆତ୍ମପ୍ରଚାର ଛାଡ଼ି ପର ଉପକାରରେ ବ୍ରତୀ ହେଲେ ଜୀବନ ସରଳ ଓ ସମୃଦ୍ଧ ହୁଏ। ତେଣୁ ବିଦ୍ୟାଳୟଗୁଡ଼ିକରେ ସମାଜ ଶିକ୍ଷା ପ୍ରଦାନ ସହ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ବାଲିଆପାଳ ‘ସମ୍ବାଦ-ସାହିତ୍ୟଘର’ର ସଭାପତି ଝାଡ଼େଶ୍ୱର ପ୍ରଧାନ ଏବଂ ବାଘାଯତୀନ ସ୍ମୃତି ପରିଷଦର ଆବାହକ ଅରବିନ୍ଦ ବେହେରା ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ବାଘାଯତୀନ ସ୍ମୃତି ପରିଷଦ ଓ ବାଲିଆପାଳ ‘ସମ୍ବାଦ-ସାହିତ୍ୟଘର’ ପକ୍ଷରୁ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ମାଟ୍ରିକ୍‌ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବାଲିଆପାଳର ୭୩ ଜଣ ଛାତଛାତ୍ରୀଙ୍କ ସହ ବସ୍ତା, ଜଳେଶ୍ୱର ଓ ଭୋଗରାଇ ବ୍ଲକ୍‌ ଟପର୍‌ ଓ ପ୍ରଧାନଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉଲ୍ଲେଖ ଥାଉକି, ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡା. ଦାସଙ୍କ ଦିବଂଗତ ମାଆ ଛବିବାଳା ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ଛବିବାଳା ଟ୍ରଷ୍ଟ’ ଗଠନ କରାଯାଇଛି। ଯାହା ପକ୍ଷରୁ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହାସହିତ କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବାର ପରମ୍ପରା ରହିଛି।