ସୌମ୍ୟରଂଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ରାଜ୍ୟପାଳ ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ‘ସମ୍ବାଦ’ର ସଂପାଦକ ତଥା  ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଥିବା ଆଜି ନିଜେ ଟୁଇଟ୍‌ କରି ସୂଚନା ଦେଇଥିଲେ। ଏହାପରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୌମ୍ୟରଂଜନଙ୍କ ଆଶୁ ଆରୋଗ୍ୟ କାମନା କରି ଟୁଇଟ୍ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।

ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନା ପଜିଟିଭ ଥିବା ଜଣାପଡ଼ିବା ପରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କହିଛନ୍ତି, ‘ସମ୍ବାଦର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନା ପଜିଟିଭ୍‌ ହୋଇଥିବା ଜାଣିବାକୁ ପାଇଲି । ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି।’

ସେହିପରି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟୁଇଟ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ଖୁବ୍‌ ଶୀଘ୍ର ସୌମ୍ୟରଂଜନଙ୍କୁ ସୁସ୍ଥ କରି ଦିଅନ୍ତୁ ବୋଲି କାମନା କରିଛନ୍ତି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସଂପାଦକ ସଂଜୟ ଦାସବର୍ମା ମଧ୍ୟ ଶ୍ରୀ ପଟ୍ଟନାୟକ କରୋନା ମୁକ୍ତ ହୁଅନ୍ତୁ ବୋଲି ନିଜ ବାର୍ତ୍ତାରେ ଜଣାଇଛନ୍ତି।

ଏଥିସହିତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ, ଛାତ୍ର, ସର୍ବୋପରି ପୁରୀ ‘ସମ୍ବାଦ’ ପରିବାର ସଦସ୍ୟମାନେ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କର ଆଶୁ ଆରୋଗ୍ୟ କାମନା କରି ଶ୍ରୀମନ୍ଦିର ସିଂହଦ୍ୱାରରେ ଅଖଣ୍ଡ ଦୀପ ଜାଳିଛନ୍ତି। ଏଥିସହ କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ପୀଠ ଏବଂ  ଖଣ୍ଡପଡ଼ାର ବଜରଙ୍ଗୀ ମନ୍ଦିରରେ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇ ସମୂହ ଦୀପ ଦାନ କରାଯାଇଛି।

କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଟୁଇଟ୍‌ କରି ସୌମ୍ୟରଂଜନ କହିଥିଲେ, ‘ମୁଁ ଆଜି କରୋନା ପଜିଟିଭ ହୋଇଥିବା କଥା ଜଣାପଡ଼ିଛି । ମୁଁ ସୁସ୍ଥ ଅଛି । ଗତ ସପ୍ତାହରେ ମୋ ସଂସ୍ପର୍ଶରେ ଆସିଥିବା ବନ୍ଧୁମାନଙ୍କୁ ଡାକ୍ତରୀ ପରାମର୍ଶ ନେବାପାଇଁ ଅନୁରୋଧ କରୁଛି ।

ସମ୍ବନ୍ଧିତ ଖବର