ଭୁବନେଶ୍ବର: ନ୍ୟାୟ ପାଇଁ ଲଢ଼ି ଲଢ଼ି ଶେଷରେ ସୋମବାର ମଧ୍ୟ ରାତ୍ରରେ ଆଖି ବୁଜିଦେଲେ ସାହସୀ ଝିଅ ସୌମ୍ୟାଶ୍ରୀ। ତାଙ୍କ ମୃତ୍ୟୁ ପରେ ପୂରା ରାଜ୍ୟ ଉଠୁଛିପଡୁଛି। ଚାରିଆଡ଼େ ଖାଲି ନ୍ୟାୟ ପାଇଁ ଦାବି ହେଉଛି। ସେ ଚାଲିଯିବା ପରେ ଶୋକ ସାଗରେ ଭାସୁଛି ପୂରା ପରିବାର। ଏହି ସମୟରେ ସୌମ୍ୟାଶ୍ରୀଙ୍କ ବାପାଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି।
ଭିଡିଓରେ ସୌମ୍ୟାଶ୍ରୀଙ୍କ ବାପା କହୁଛନ୍ତି, ‘‘ମୋତେ ସରକାର ବହୁତ ସାହାଯ୍ୟ କରିଛନ୍ତି। ସରକାର ଏହି ଘଟଣାକୁ ନେଇ ସମ୍ବେଦନଶୀଳ ଅଛନ୍ତି। କିଛି ଦାବି ପୂରଣ କରିଛନ୍ତି ଓ ଆହୁରି କିଛି ଦାବି ପୂରା କରିବେ ବୋଲି ପ୍ରତିଶ୍ରୁତି ବି ଦେଇଛନ୍ତି। ଆମେ ଘରଲୋକ ମାନସିକ ସ୍ତରରେ ଖୁବ୍ ଦୁର୍ବଳ ହୋଇପଡିଛୁ। ଦୟାକରି ମୋ ଝିଅକୁ ନେଇ ରାଜନୀତି କରନ୍ତୁ ନାହିଁ। ସବୁଠାରୁ ବଡ଼ କଥା ହେଲା ଗତକାଲି ରାଷ୍ଟ୍ରପତି ୧୦ ମିନିଟ୍ ମୋ ସହ ଆଲୋଚନା କରିଥିଲେ। ସେ ମୋତେ ସମୟ ଦେଇଥିଲେ। ଝିଅ ବଞ୍ଚିବା ପାଇଁ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥନା କରିଥିଲେ। ହେଲେ ଭଗବାନ ତାଙ୍କ କଥା ଶୁଣିଲେନି କି ମୋ କଥା ବି ଶୁଣିଲେନି। ଯେତେ ଯାହା ହୋଇଗଲେ ବି ମୁଁ ଲଢ଼ିବା ଛାଡ଼ିବି ନାହିଁ। ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ମୁଁ ଲଢ଼େଇ ଜାରି ରଖିବି।’’
ଏପଟେ ସୌମ୍ୟାଶ୍ରୀଙ୍କ ପରିବାରକୁ ସହାୟତା ଘୋଷଣା। ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା । ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସହାୟତା ନେଇ ସୂଚନା ଦେଲେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ । ମୃତ ସୌମ୍ୟାଶ୍ରୀଙ୍କ ଗାଁରୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ବେଳେ ସହାୟତା କଥା ସ୍ପଷ୍ଟ କଲେ ସାଂସଦ ।