ଭୋଗରାଇ: ଜୀବନ ଯୁଦ୍ଧରେ ହାରିଯିବା ପରେ ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି ବାଲେଶ୍ବର ଏଫ୍ଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଓରଫ୍ ରୋଜି। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଜନ୍ମମାଟି ପଳାଶିଆ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସୌମ୍ୟାଶ୍ରୀଙ୍କ ମୃତଦେହ ଗାଁରେ ପହଞ୍ଚିବାଠାରୁ ଅଗ୍ନିରେ ବିଲୀନ ହେବା ପର୍ଯ୍ୟନ୍ତ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ସମଗ୍ର ଅଞ୍ଚଳ। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରାଜିଲ୍ଲା ସ୍ତବ୍ଧ ହୋଇଯାଇଛି।
ଗତ ଶନିବାର ଦିନ ଏଫ୍ଏମ୍ କଲେଜ ସହକାରୀ ପ୍ରଫେସରଙ୍କ ନିର୍ଯାତନା ସହି ନପାରି ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ ସୌମ୍ୟାଶ୍ରୀ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସୋମବାର ରାତି ୧୧ଟା ୪୬ ମିନିଟ୍ ସମୟରେ ସେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ।
ଆଜି ସକାଳେ ମହାପ୍ରୟାଣ ଗାଡ଼ିରେ ସୌମ୍ୟାଶ୍ରୀଙ୍କ ମରଶରୀର ବାଲେଶ୍ବରରେ ପହଞ୍ଚିଥିଲା। ପାର୍ଥିବ ଶରୀର ଥାନାଛକରେ ପହଞ୍ଚିବା ପରେ ସେଠାରେ ବିଜେଡି,
ବିଜେପି, କଂଗ୍ରେସର ନେତା ଓ ସାଧାରଣ ଲୋକେ ଫୁଲତୋଡ଼ା ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଜନ୍ମମାଟି ସୁନାଧରବସାଣ ପଞ୍ଚାୟତ ଅନ୍ତର୍ଗତ ପଳାଶିଆ ଗ୍ରାମକୁ ନିଆଯାଇଥିଲା। ଠିକ୍ ୯ଟା ୧୫ ମିନିଟ୍ ସମୟରେ ମରଶରୀର ଗାଁରେ ପହଞ୍ଚିଲା ବେଳକୁ ସେଠାରେ ଲୋକାରଣ୍ୟ ହୋଇସାରିଥିଲା।
କାନ୍ଦ ବୋବାଳିରେ ଫାଟି ପଡ଼ିଲା ଗାଁ
ଆତ୍ମୀୟସ୍ବଜନ, ସାଙ୍ଗସାଥୀ ଓ ଗ୍ରାମବାସୀଙ୍କ କାନ୍ଦବୋବାଳିରେ ସମଗ୍ର ଅଞ୍ଚଳ ଫାଟି ପଡୁଥିଲା। ସୌମ୍ୟାଶ୍ରୀଙ୍କ ଜେଜେ ମା’, ମା’ ପାଗିଳୀ ପ୍ରାୟ ହୋଇଯାଇଥିବା ବେଳେ ବାପା ଏକପ୍ରକାର ମୂକ ପାଲଟି ଯାଇଥିଲେ। ଘରପାଖରେ ପାଖାପାଖି ୨୦ ମିନିଟ୍ ରହିବାପରେ ନିକଟସ୍ଥ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସୌମ୍ୟାଶ୍ରୀଙ୍କ ପୁତୁରା ଅରବିନ୍ଦ ବିଶି ମୁଖାଗ୍ନି ଦେଇଥିଲେ। ଗତ ଶନିବାରଠାରୁ ରାଜ୍ୟ ତଥା ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିବା ସୌମ୍ୟାଶ୍ରୀ ଦୁଃଖଦ ବିଦାୟ ନେଇଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ସେଠାରେ ୪ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।
ଆଜି ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ବାଲେଶ୍ବର ବିଧାୟକ ମାନସ ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ, ରେମୁଣା ବିଧାୟକ ଗୋବିନ୍ଦ ଦାସ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ବିଧାୟକ ସ୍ବରୂପ କୁମାର ଦାସ ଓ ସୁଧାଂଶୁ କୁମାର ପରିଡ଼ା, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ବ୍ଲକ୍ ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା, ବିଜେପି ନେତା ଆଶିଷ ପାତ୍ର, ବରିଷ୍ଠ ବିଜେପି ନେତା ଅଂଶୁମାନ ମହାନ୍ତିଙ୍କ ସହିତ ଶତାଧିକ ରାଜନେତା, ଜନସାଧାରଣ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ସେହିପରି, ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏସ୍ପି ରାଜପ୍ରସାଦ, ଅତିରିକ୍ତ ଏସ୍ପି ଦେବଜ୍ୟାତି ଦାଶ, ଜଳେଶ୍ୱର ଭାରପ୍ରାପ୍ତ ଏସ୍ଡିପିଓ ମାନସ କୁମାର ଦେଓ, ଉପଜିଲ୍ଲାପାଳ ସୁଧାକର ନାୟକ, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମଧୁସ୍ମିତା ସାମନ୍ତରାୟ, ବିଡିଓ ସୂର୍ଯ୍ୟକୁମାର ନାୟକ, ଭୋଗରାଇ ବିଡିଓ ପ୍ରଶାନ୍ତ ମହାରଣା, ଭୋଗରାଇ ଥାନା ଆଇଆଇସି ରୋହିତ ବଳ, ତାଳସାରୀ ଥାନା ଆଇଆଇସି ଚମ୍ପାବତୀ ସୋରନ ପ୍ରମୁଖ ଉପସ୍ଥିତ ଥିଲେ।