କେନ୍ଦୁଝର/ଘଷିପୁରା: ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ଘରଦ୍ବାର। କ’ଣ ହେଲା ବୋଲି ଘରୁ ବାହାରି ଆସିଲେ ଲୋକେ। ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିଲେ ଯେଉଁଭଳି ଭୟଙ୍କର ଶବ୍ଦ ହୁଏ ଓ କମ୍ପନ ସୃଷ୍ଟି ହୁଏ ସେଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଓ ଆନନ୍ଦପୁର ଅଞ୍ଚଳରେ। ଶବ୍ଦର ମାତ୍ରା ଏପରି ଥିଲା ଯେ କିଛି କ୍ଷଣ ପାଇଁ ଘରଦ୍ବାର ଦୋହଲି ପଡ଼ିଥିଲା। ପ୍ରତ୍ୟେକ୍ଷଦର୍ଶୀଙ୍କଠାରୁ ପ୍ରକାଶ ଯେ ଲଗାତର ଅଳ୍ପ କିଛି ସେକେଣ୍ଡ୍ ବ୍ୟବଧାନରେ ୨ଟି ବଡ଼ ଧରଣର ବିସ୍ଫୋରଣଜନିତ ଶବ୍ଦ ଅନୁଭୂତ ହୋଇଥିଲା। ଏହି ଶବ୍ଦର ତୀବ୍ରତା ଏତେ ଥିଲା ଯେ ତାହା କେନ୍ଦୁଝର,ଯାଜପୁର ଓ ଭଦ୍ରକ ଜିଲ୍ଲାର ବହୁ ଅଞ୍ଚଳକୁ ଶୁଭିଥିଲା। ଫଳରେ ଲୋକେ ଭୟଭୀତ ହୋଇପଡ଼ିଥିଲେ।
ତେବେ ଏହି ଘଟଣାକୁ ପାଖାପାଖି ୧ ଘଣ୍ଟା ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏହାର ଉତ୍ସ ସଂପର୍କରେ ଏଯାବତ୍ କୌଣସି ଠୋସ୍ ସୂଚନା ମିଳିପାରି ନାହିଁ। କେନ୍ଦୁଝର ଜିଲ୍ଲାର ଘଷିପୁରା ଯାଜପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ହୋଇଥିବାରୁ ଏହି ପ୍ରଚଣ୍ଡ ଶବ୍ଦ ମଧ୍ୟ ଯାଜପୁର ଜିଲ୍ଲାର ବେଶ୍ କିଛି ଅଞ୍ଚଳକୁ ଶୁଣାଯାଇଛି। ଆମ ପ୍ରତିନିଧୀଙ୍କଠାରୁ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ କୌଣସି ନିର୍ମାଣ କାର୍ଯ୍ୟ ଲାଗି ହୁଏତ ଡିନାମାଇଟ୍ ବିସ୍ଫୋରଣ ଘଟିଥିବା ଆଶଙ୍କା କରାଯାଉଛି। ଏ ନେଇ ସ୍ଥାନୀୟ ପୁଲିସ୍ ମଧ୍ୟ ତଦନ୍ତ ଆରମ୍ଭ କରିଛି। ଏହି ଖବର ଲେଖା ହେବା ପର୍ଯ୍ୟନ୍ତ ଏତିକି ମାତ୍ର ତଥ୍ୟ ହସ୍ତଗତ ହୋଇଛି। ସମଗ୍ର ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। କେବଳ କେନ୍ଦୁଝର ଓ ଯାଜପୁର ଜିଲ୍ଲା ନୁହେଁ, ଭଦ୍ରକ ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟ ଏହି ପ୍ରଚଣ୍ଡ ଶବ୍ଦ ଶୁଣାଯାଇଛି।ଖୁବ୍ ଶୀଘ୍ର ନେଇ ଅଧିକ ଖବର ପ୍ରକାଶ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/19686730-8cf7-44cd-a65b-90b3828064cb.jpg)