ଜଉକଣ୍ଢେଇ ବାହାଘର ପାଇଁ ବାଜିଲା ଶୁଭଧ୍ବନି

ବାଲେଶ୍ବର: ବାଲେଶ୍ବର ଲୋକକଳା ଜଉକଣ୍ଢେଇର ବାହାଘର ଉତ୍ସବ କମିଟି ପକ୍ଷରୁ ୨୦୧୧ ମସିହାରୁ ପାରମ୍ପାରିକ ରୀତିରେ ଧୂମଧାମ୍‌ରେ ପାଳନ ହୋଇଆସୁଛି। ଚଳିତ ବର୍ଷ କମିଟିର ପଞ୍ଜିକା ଅନୁସାରେ ଦୋଳ ପୂର୍ଣ୍ଣିମା ଅବସରରେ କମିଟି ତରଫରୁ ବର କନିଆ ଜଉକଣ୍ଢେଇର ନାମ ଜୟଦେବ ଓ ପଦ୍ମାବତୀ ଘୋଷଣା କରାଯାଇଥିଲା। ଶ୍ରୀରାମ ନବମୀ ଅବସରରେ ଜଉକଣ୍ଢେଇ ବାହାଘର ଉତ୍ସବ କମିଟି ଦ୍ବାରା ଜୟଦେବ ଓ ପଦ୍ମାବତୀ ବର କନିଆ ଜଉକଣ୍ଢେଇ ନିର୍ମା‌ଣର ଶୁଭାରମ୍ଭ ବାମପଦାସ୍ଥିତ ନୋସି ଉତ୍କଳା ମୁକ୍ତମଂଚରେ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ ହୋଇଯାଇଛି।

ଜୟଦେବ ଓ ପଦ୍ମାବତୀ ଜଉକଣ୍ଢେଇ ନିର୍ମାଣର ଶୁଭାରମ୍ଭ

ଚନ୍ଦନ ପୂର୍ଣ୍ଣିମାରେ ଲଗ୍ନଧରା, ୨୬ରେ ବାହାଘର

ଏହି ଉତ୍ସବରେ ଆବାହକ ଶିଳ୍ପୀ କେଶୁଦାସ କର୍ମକର୍ତାଙ୍କୁ ମଂଚାହ୍ବାନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ରନାଥ ପାତ୍ର ପୌରୋହିତ୍ୟ କରି ଏହି ଜଉକଣ୍ଢେଇ ବାହାଘରକୁ ଓଡ଼ିଶାର ଜଉ କଳା, ସଂସ୍କୃତି, ଶିଳ୍ପ, ବାଣିଜ୍ୟ, କୃଷି ଓ ଉତ୍ପାଦନର ଏକ ସାଂସ୍କୃତିକ ଆନ୍ଦୋଳନ ବୋଲି କହିଥିଲେ। ତ୍ରିବେଣୀ ତୀର୍ଥ ଉନ୍ନୟନ ପରିଷଦର ସହସଂପାଦକ ନିରଞ୍ଜନ ଗିରି ବଳଙ୍ଗ, ଗଙ୍ଗାହାର ଓ ସୋନ ନଦୀର ଗୁପ୍ତ ପ୍ରୟାଗ ତ୍ରିବେଣୀ ତୀର୍ଥରୁ ବିଧି ମୁତାବକ ପୂଜାକରି ପବିତ୍ର ମାଟି ଓ ପାଣି ଆଣି ଜଉକଣ୍ଢେଇ ନିର୍ମାଣ ପାଇଁ ପ୍ରଦାନ କରି କହିଥିଲେ ଯେ, ଜଉକଣ୍ଢେଇ ବାହାଘର କେବଳ ଜଉ କଳା ସଂସ୍କୃତି ନୁହଁ ବରଂ ବାଲେଶ୍ବରର ବହୁ ଲୁପ୍ତ ସୁପ୍ତ ଓ ଗୁପ୍ତ ପ୍ରଥା ପରମ୍ପରାକୁ ଲୋକଲୋଚନକୁ ଆଣିବାରେ ପ୍ରୟାସ ଜାରି ରଖିଛି ଏବଂ ଏପ୍ରିଲ ୨୨ରେ ଜଉକଣ୍ଢେଇ ପଦ୍ମାବତୀର ତ୍ରିବେଣୀରେ ନୌବିହାର ପାଇଁ ଆମନ୍ତ୍ରଣ ଦେଲେ।

ଏ କମିଟିର ସଂପାଦକ ଡ.କୁମାର ଗୋପାଲ ବିଗତ ବର୍ଷର ସଫଳତା ବିବରଣୀ ଦେବା ସହ ଚନ୍ଦନ ପୂର୍ଣ୍ଣିମାରେ ଲଗ୍ନଧରା ଏବଂ ଏପ୍ରିଲ ୨୬ ରେ ଜଉକଣ୍ଢେଇ ବାହାଘର ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ। ଜଉକଣ୍ଢେଇ ଶିଳ୍ପୀ କନକଲତା ଦାସ ଓ ମାୟା ନାୟକ ପବିତ୍ର ମାଟି ଓ ପାଣି ନେଇ ଆନୁଷ୍ଠାନିକ ଭାବେ ଜଉକଣ୍ଢେଇ ନିର୍ମାଣର ଶୁଭାରମ୍ଭ କରିଥିବା ବେଳେ ଫୁଲମଣୀ ସୋରେନ, ଭାନୁମତୀ ସାହୁ, ସମବାରୀ ସୋରେନ, ମିନତୀ ମାରାଣ୍ତି ପ୍ରମୁଖ ଜଉକଣ୍ଢେଇ ଶିଳ୍ପୀ ଏଥିରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ଯୁବ କଣ୍ଠଶିଳ୍ପୀ ସନ୍ତୋଷ ବିଶ୍ବାଳ, କୁମାର ସମୁ, କୁମାର ଅଭିଷେକ, କୁମାର କାର୍ତ୍ତିକ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ବ୍ରହ୍ମନାଥ ରଥ, ବ୍ୟୋମନାଥ ରଥ, କାଳିକିଙ୍କର ଦାସ, ସୁରେଶ ପାଣିଗ୍ରାହୀ, ସ୍ମାରକ ଦାଶ, ମନସ୍ବିନୀ ଦେବୀ, ଅନିତା ରଥ, ଅର୍ଚ୍ଚନା ରଥ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ। ରାଜେଶ ଗିରି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର