ଜେଇଇ ମେନ୍‌ ଫଳ ପ୍ରକାଶ ପାଇଲା : ସୌରଭ ସୌମ୍ୟକାନ୍ତ ଓଡ଼ିଶା ଟପର୍‌

ଭୁବନେଶ୍ୱର : ପ୍ର‌ବେଶିକା ପରୀକ୍ଷା ସରିବାର ମାତ୍ର ୫ଦିନ ମଧ୍ୟରେ ପ୍ରକାଶ ପାଇଛି ଜେଇଇ ମେନ୍‌ ପେପର୍‌-୧ ପରୀକ୍ଷା ଫଳ। ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଦେଶର ୨୪ଜଣ ଛାତ୍ରଛାତ୍ରୀ ୧୦୦ ପର୍ସେଣ୍ଟାଇଲ୍ ରଖିଛନ୍ତି। ସେମାନଙ୍କ ମଧ୍ୟରୁ ତେଲେଙ୍ଗାନାର ସର୍ବାଧିକ ୮ଜଣ ଥିବା ବେଳେ ଦିଲ୍ଲୀର ୫ ଜଣ, ରାଜସ୍ଥାନର ୪ଜଣ, ଆନ୍ଧ୍ରପ୍ରଦେଶର ୩ ଜଣ, ହରିୟାଣାର ୨ଜଣ ଏବଂ ଗୁଜରାଟ ଓ ମହାରାଷ୍ଟ୍ରର ଜଣେ ଲେଖାଏଁ ପ୍ରାର୍ଥୀ ରହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ଛାତ୍ର ସୌରଭ ସୌମ୍ୟକାନ୍ତ ନନ୍ଦ ଓଡ଼ିଶା ଟପର୍‌ ହୋଇଛନ୍ତି। ସେ ୯୯.୯୯ ପର୍ସେଣ୍ଟାଇଲ୍ ରଖିଛନ୍ତି। ଓଡ଼ିଶାରୁ ୨୭ହଜାର ଛାତ୍ରଛାତ୍ରୀ ରୢାଙ୍କ ହାସଲ କରିଥିବା ଏନ୍‌ଟିଏ ପକ୍ଷରୁ କୁହାଯାଇଛି। ଏହି ପରୀକ୍ଷାଫଳ ଆଧାରରେ ଓଡ଼ିଶାରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଇଞ୍ଜିନିୟରିଂ କଲେଜରେ ବି.ଟେକ୍ ପାଠ୍ୟକ୍ରମରେ ନାମ‌ଲେଖା ହେବ।

ବହୁ ବାଦବିବାଦ ପରେ ‌ସେପ୍ଟେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। ଜେଇଇ ମେନ୍‌ର ପେପର୍‌-୧ ଓ ପେପର୍‌-୨ର ଫଳାଫଳ ଆଧାରରେ ୨.୪୫ ଲକ୍ଷ କୃତୀ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଉକ୍ତ ପରୀକ୍ଷା ଚଳିତ ମାସ ୨୭ ତାରିଖରେ ହେବ।

ସାଧାରଣ କଟ୍‌ ଅଫ୍‌ ମାର୍କ ୯୦.୩୭ ପର୍ସେଣ୍ଟାଇଲ୍ ରହିଥିବାବେଳେ ଏଡବ୍ଲୁଏସ୍ ବର୍ଗର ୭୦.୨୪, ଓବିସି ବର୍ଗର ୭୨.୮୮, ଏସସି ବର୍ଗର ୫୦.୧୭, ଏସ୍‌ଟି ବର୍ଗର ୩୯.୦୬, ପିଡବ୍ଲୁଡି ବର୍ଗର ପର୍ସେଣ୍ଟାଇଲ୍ ୦.୦୬ ରହିଛି। ଉଭୟ ଜାନୁଆରି ଓ ସେପ୍ଟେମ୍ବର ମାସ ପରୀକ୍ଷାକୁ ହିସାବକୁ ନେଲେ ୭.୧୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୩.୦୮ଲକ୍ଷ ରହିଥିଲା। ଏହାଛଡ଼ା ୫ ଜଣ କିନ୍ନର ମଧ୍ୟ ପରୀକ୍ଷା ଦେଇଥିଲେ। ଯଦି ଉଭୟ ଜାନୁଆରି ଓ ସେପ୍ଟେମ୍ବର ମାସ ପରୀକ୍ଷାକୁ ବିଚାରକୁ ନିଆଯାଏ, ତେବେ ୫.୮୮ ଲକ୍ଷ ଛାତ୍ରଛାତ୍ରୀ ଉଭୟ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ ଏବଂ ୪.୫୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ୨୩୨ଟି ସହରର ୬୬୦ କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳ jeemain.nta.nic.inରୁ ଦେଖିପାରି‌ବେ।

ସମ୍ବନ୍ଧିତ ଖବର