କୁଆଡ଼େ ଯାଉଛି ‘ଖବରି’ଙ୍କ ପାଇଁ ଥିବା ୨ କୋଟିର ‘ସୋର୍ସ ମନି’?

ପୁଲିସ ବିଭାଗରେ ଦାନା ବନ୍ଧୁଛି ଅସନ୍ତୋଷ

କଟକ : ରାଜ୍ୟ ପୁଲିସ ବିଭାଗରେ ତଳସ୍ତରର ଅଧିକାରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ। ବିଭାଗରେ ଆଇପିଏସ୍‌ ଏବଂ ଅନ୍ୟ ଅଧିକାରୀଙ୍କ ମଧ୍ୟରେ ଦୀର୍ଘ ଦିନରୁ ଏକ ଲକ୍ଷ୍ମଣରେଖା ରହିଥିବା ବେଳେ ଆଇପିଏସ୍‌ ଅଧିକାରୀଙ୍କ ବିରୋଧରେ ବିଭାଗର ଅନ୍ୟ କର୍ମଚାରୀ ଓ ଅଧିକାରୀଙ୍କ ଅସନ୍ତୋଷ ଆଗକୁ ବିସ୍ଫୋରକ ରୂପ ନେବା ଆଶଙ୍କା କରାଯାଉଛି। ନିର୍ଦ୍ଦିଷ୍ଟ କେତେକ ପ୍ରସଙ୍ଗରେ ଏ ପ୍ରକାର ଅସନ୍ତୋଷ ବଢିବାରେ ଲାଗିଛି। ସୂଚନା ଅନୁଯାୟୀ ଅପରାଧୀକ କାର୍ଯ୍ୟକଳାପ, ଅପରାଧୀଙ୍କ ଗତିବିଧି ସଂପର୍କରେ ପୁଲିସ ଅଧିକାରୀଙ୍କ ଦ୍ୱାରା ନିୟୋଜିତ ହେଉଥିବା ବ୍ୟକ୍ତି (ଖବ୍‌ରି)ଙ୍କୁ ଯଥା ସମ୍ଭବ ପାରିଶ୍ରମିକ ଦେବା ପାଇଁ ଏକ ପାଣ୍ଠିର ବ୍ୟବସ୍ଥା ରହିଛି। ବିଭାଗରେ ଏହାକୁ ‘ସୋର୍ସ ମନି’ କୁହାଯାଏ। ବର୍ଷକୁ ଏଥିପାଇଁ ୨ କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା ରହିଛି। କେଉଁ ବ୍ୟକ୍ତି (ଖବରି)ଙ୍କୁ ଟଙ୍କା ଦିଆଯାଏ ତାହାର ନିର୍ଦ୍ଦିଷ୍ଟ ରେକର୍ଡ ରଖାଯାଏ ନାହିଁ।

ଥାନାସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ପାଇଁ ଖବରିଙ୍କ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହି ଟଙ୍କା କିନ୍ତୁ ସେମାନଙ୍କ ନିକଟରେ ପହଞ୍ଚୁ ନାହିଁ। ସୋସ୍‌ର୍ ମନି ଏସ୍‌ପି ପାହ୍ୟାରୁ ତଳକୁ ଖସୁ ନଥିବାରୁ ଏହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ସେହିଭଳି ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ଭରଣା ହେବାର ଯେଉଁ ବ୍ୟବସ୍ଥା ରହିଛି, ସେଥିରେ ମଧ୍ୟ ପାତରଅନ୍ତର ଅଭିଯୋଗ ହେଉଛି। ଆଇପିଏସ୍‌ ଅଧିକାରୀ ଏବଂ ଅଫିସ କର୍ମଚାରୀଙ୍କ କ୍ଷେତ୍ରରେ ଏହି ଖର୍ଚ୍ଚ ଭରଣା ହେବାରେ କୌଣସି ସମସ୍ୟା ହେଉ ନଥିବା ବେଳେ ଥାନାସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ କ୍ଷେତ୍ରରେ ଏହା ଭରଣା ନହୋଇ ବର୍ଷବର୍ଷ ପଡି ରହୁଥିବା ଅଭିଯୋଗ ହେଉଛି। ବର୍ଷକୁ ଏଥିପାଇଁ ପାଖାପାଖି ୭ କୋଟିର ବଜେଟ୍‌ ରହୁଥିବା ବେଳେ ପୁଲିସ ବିଭାଗର ଫିଲ୍‌ଡ ଅଧିକାରୀ ଏଥିରୁ ବଂଚିତ ହେବା ଘଟଣା ଅସନ୍ତୋଷର କାରଣ ହୋଇଛି।

ଏଭଳି ଆର୍ଥିକ କେଳେଙ୍କାରୀ ସହ ତଳସ୍ତରର ଅଧିକାରୀଙ୍କୁ ଭଲ କାମ ପାଇଁ ‘ପ୍ରଶଂସା’ ରେକର୍ଡ ନଦେଇ କେବଳ ବିଭିନ୍ନ ଘଟଣାରେ ‘ସେନ୍ସର୍‌ଡ’ କରିବା, ବଦଳି କ୍ଷେତ୍ରରେ ମନଇଚ୍ଛା ନୀତି ଗ୍ରହଣ କରିବା, ଗାଡ଼ି ତେଲ ପାଇଁ ଟାଳଟୁଳ ନୀତି ଗ୍ରହଣ କରିବା ଭଳି ଘଟଣାକୁ ନେଇ ଅସନ୍ତୋଷ ବଢୁଛି। ଏମିତିକି ଏସବୁ ପ୍ରସଙ୍ଗରେ ତଳସ୍ତରର ଅଧିକାରୀ ସଂଘବଦ୍ଧ ଭାବେ ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକଙ୍କୁ ଭେଟି ଅଭିଯୋଗ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର