ବିଶିଷ୍ଟ ଶ୍ରମିକ ନେତା ସୌରୀବନ୍ଧୁ କରଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ଶ୍ରମିକ ନେତା, ସାହିତ୍ୟିକ, ବାଗ୍ମୀ ଓ ସମ୍ଭକାର ଡ. ସୌରୀବନ୍ଧୁ କରଙ୍କର ଆଜି ରାତି ପ୍ରାୟ ୧୦ଟାରେ ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଯକୃତ ରୋଗରେ ପୀଡ଼ିତ ଥିବା ଶ୍ରୀ କର ରାଜଧାନୀରେ କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଶ୍ରମିକ ଶ୍ରେଣୀ, ବାମପନ୍ଥୀ ତଥା ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି।

୧୯୪୮ ଏପ୍ରିଲ ୨ ତାରିଖରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନୀ ମଣ୍ଡଳ ଅନ୍ତର୍ଗତ ରସୁଲପୁର ବ୍ଲକ୍‌ର ଖଣ୍ଡିତର ଗାଁରେ ଶ୍ରୀ କର ଜନ୍ମ ହୋଇଥିଲେ। ଛାତ୍ରାବସ୍ଥାରୁ ସେ ବାମପନ୍ଥୀ ବିଚାରଧାରା ପ୍ରତି ଆକୃଷ୍ଟ ହୋଇଥିଲେ। ଅଧ୍ୟୟନ ଶେଷ ପରେ ସେ କାନାରା ବ୍ୟାଙ୍କରେ ଚାକିରି ଜୀବନ ଆରମ୍ଭକରି ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଏମ୍ଲଇଜ୍‌ ଆସୋସିଏସନ୍‌ର ରାଜ୍ୟ ତଥା କେନ୍ଦ୍ରୀୟ ସ୍ତରରେ ନେତୃତ୍ବ ନେଇଥିଲେ। ୨୦୦୨ ମସିହାରେ ସେ ଅଖିଳ ଭାରତୀୟ ଟ୍ରେଡ୍‌ ୟୁନିୟନ୍‌ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇ ମୃତ୍ୟୁ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ। ଏହାଛଡ଼ା ସେ ସିପିଆଇର ରାଜ୍ୟ ସମ୍ପାଦକ, ରାଜ୍ୟ ବ୍ୟାଙ୍କ କର୍ମଚାରୀ ସଂଘ ସଭାପତି ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଶ୍ରମ କମିଟି ସଦସ୍ୟ ହୋଇଥିଲେ। ପରେ ସେ ଏଆଇଟିୟୁସିର ରାଜ୍ୟ ସାଧାରଣ ସମ୍ପାଦକ ଓ ସର୍ବଭାରତୀୟ ଉପସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ।

ଏହାଛଡ଼ା ଶ୍ରୀ କର ଜଣେ ସାହିତ୍ୟିକ ଭାବେ ମଧ୍ୟ ବେଶ୍ ଜଣାଶୁଣା ଥିଲେ ଏବଂ ଉଚ୍ଚକୋଟୀର ସାହିତ୍ୟ ରଚନା ପାଇଁ ଓଡ଼ିଶା ସାହିତ୍ୟ ଏକାଡମୀ ପୁରସ୍କାର ମଧ୍ୟ ପାଇଥିଲେ। ବିଭିନ୍ନ ସମ୍ବାଦପତ୍ରରେ ତାଙ୍କର ନିୟମିତ ସ୍ତମ୍ଭ ପ୍ରକାଶ ପାଉଥିଲା। ଶ୍ରୀ କରଙ୍କର ଗାନ୍ଧାରୀର ସ୍ବପ୍ନ, ଗାନ୍ଧୀ ଓ ବେଦାନ୍ତ, ଲେଖକ ଗାନ୍ଧୀ, ଶ୍ରୀମା, ସାରଦା ଦେବୀ ଭଳି କେତେକ ପୁସ୍ତକ ପ୍ରକାଶିତ ହୋଇ ପାଠକ ମହଲରେ ଆଦୃତ ହୋଇଥିଲା। ସେ ରାମକୃଷ୍ଣ ପରମହଂସଙ୍କର ଜଣେ ପରମ ଭକ୍ତ ଥିଲେ। ରାମକୃଷ୍ଣ ପରମହଂସ ଓ ସ୍ବାମୀ ବିବେକାନନ୍ଦଙ୍କ ଉପରେ ମଧ୍ୟ ପୁସ୍ତକ ରଚନା କରିଥିଲେ। ଶ୍ରୀ କର ଥିଲେ ପ୍ରଖ୍ୟାତ ସାହିତ୍ୟିକ ଡ. ବାଉରୀବନ୍ଧୁ କରଙ୍କ ଭାଇ। ତାଙ୍କର ୩ ପୁଅ ଓ ଜଣେ ଝିଅ ଅଛନ୍ତି।

ତାଙ୍କ ମୃତ୍ୟୁ ବେଳକୁ ପୁଅ ସିଦ୍ଧାର୍ଥ କର, ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇ କେନ୍ଦ୍ର କମିଟି ସଦସ୍ୟ ଦିବାକର ନାୟକ, ଜାତୀୟ କାର୍ଯ୍ୟକାରୀ ସଭ୍ୟ ରାମକୃଷ୍ଣ ପଣ୍ଡା, ଏଆଇଟିୟୁସି ରାଜ୍ୟ ଉପ ସାଧାରଣ ସମ୍ପାଦକ ବିଜୟ ଜେନା ପ୍ରମୁଖ ହସ୍ପିଟାଲରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଆସନ୍ତାକାଲି ମରଶରୀରକୁ ସିପିଆଇ ରାଜ୍ୟ କାର୍ଯ୍ୟାଳୟକୁ ଶେଷ ଦର୍ଶନ ପାଇଁ ନିଆଯିବ।

ସମ୍ବନ୍ଧିତ ଖବର