ସାଉଥ୍‌ ଏସିଆନ୍‌ ଅନ୍‌ଲାଇନ୍‌ ସାହିତ୍ୟ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ବର : କେନ୍ଦ୍ର ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀ ଏବଂ ‘ଫାଉଣ୍ଡେସନ୍‌ ଅଫ୍‌ ସାର୍କ ରାଇଟର୍ସ ଆଣ୍ଡ୍‌ ଲିଟରେଚର’ର ମିଳିତ ଆନୁକୂଲ୍ୟରେ ଗତ ୬ ତାରିଖଠାରୁ ଆୟୋଜିତ ଅନ୍‌ଲାଇନ୍‌ ସାହିତ୍ୟ ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ବାଂଲାଦେଶ, ଭାରତ, ଭୁଟାନ୍‌, ଆଫଗାନିସ୍ତାନ, ନେପାଳ, ଶ୍ରୀଲଙ୍କା ଏବଂ ମାଳଦ୍ବୀପର ଶହେ ତିରିଶରୁ ଊର୍ଦ୍ଧ୍ବ କବି, ଲେଖକ, ନାଟ୍ୟକାର ଏବଂ ସାହିତ୍ୟ ସମାଲୋଚକ ଯୋଗ ଦେଇଥିଲେ। ଅକ୍‌ଟୋବର ୬ ତାରିଖ ପୂର୍ବାହ୍ନରେ ଏହି ସମ୍ମିଳନୀକୁ ‘ଫାଉଣ୍ଡେସନ୍‌ ଅଫ୍‌ ସାର୍କ ରାଇଟର୍ସ ଆଣ୍ଡ୍‌ ଲିଟରେଚର୍‌’ର ଅଧ୍ୟକ୍ଷା ପଦ୍ମଶ୍ରୀ ଅଜିତ କୌର ଉଦ୍‌ଘାଟନ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବେ ସାହିତ୍ୟ ଏକାଡେମୀର ସଭାପତି ପ୍ରଫେସର ଚନ୍ଦ୍ରଶେଖର କମ୍ବର ଯୋଗ ଦେଇଥିଲେ। ଏହି ଅଧିବେଶନରେ ବାଂଲାଦେଶର ମହମ୍ମଦ ନୁରୁଲ୍ ହୁଦା, ଭୁଟାନର କୁନ୍‌ଜଙ୍ଗ୍‌ ଚୋଦେନ୍, ଆଫଗାନିସ୍ତାନର ନଜିବ ମନଲାଇ, ନେପାଳର କେଶବ ସିଗ୍‌ଦେଲ, ଶ୍ରୀଲଙ୍କାର କାଞ୍ଚନ ପ୍ରିୟକଣ୍ଠ ଏବଂ ମାଳଦ୍ବୀପର ଇବ୍ରାହିମ ୱାହିଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସାହିତ୍ୟ ଏକାଡେମୀର ସଚିବ ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ମାଧବ କୌଶିକ ସମାପନୀ ବକ୍ତବ୍ୟ ରଖିଥିଲେ।

ଏହି ତିନିଦିନିଆ କାର୍ଯ୍ୟକ୍ରମରେ ସଫି ସୌକ, ମାମଙ୍ଗ ଦାଇ, ରେଣୁକା ସିଂହ, ସି.ରାଧାକ୍ରିଷ୍ଣନ, ହମ୍ପା ନାଗରାଜୟା ପ୍ରମୁଖ ଭାରତୀୟ ଲେଖକ ଯୋଗ ଦେଇଥିବାବେଳେ ବାଂଲାଦେଶରୁ କାଇଜର ହକ୍‌, ଆଫଗାନିସ୍ତାନରୁ ଜାର୍ଗନା ସାଇକ୍‌, ନଜିବ ମନଲାଇ, ନେପାଳରୁ ବୀଣା ଥିଗ୍‌, ଦାମୋଦର ପଦସାଇଁ ପ୍ରମୁଖ ଲେଖକ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ କବିତା ପାଠ, ସାକ୍ଷାତ ଆଲୋଚନା, ‌‘ମୋ ସମୟ – ମୋ ସାହିତ୍ୟ’ ଏବଂ ସନ୍ଦର୍ଭ ଉପସ୍ଥାପନ ଆଦି ବହୁବିଧ କାର୍ଯ୍ୟକ୍ରମ ସ୍ଥାନ ପାଇଥିଲା। ଓଡ଼ିଶାରୁ ବିଶିଷ୍ଟ କଥାକାର ଗୌରହରି ଦାସ ଯୋଗ ଦେଇ ଦ୍ବାଦଶ ଅଧିବେଶନରେ ଅଧ୍ୟକ୍ଷତା କରିବା ସହ ‘ମୋ ସମୟ, ମୋ ସାହିତ୍ୟ’ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ନେପାଳୀ ଲେଖିକା ସଗୁଣା ଶାହ ଏହି ବିଷୟରେ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଏହି ଅନ୍‌ଲାଇନ୍‌ କାର୍ଯ୍ୟକ୍ରମର ସଂପୂର୍ଣ୍ଣ ଭିଡିଓ ରେକର୍ଡ ୟୁଟ୍ୟୁବ୍‌ ଏବଂ ସାହିତ୍ୟ ଏକାଡେମୀ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଥିବା ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଅଛି।

ସମ୍ବନ୍ଧିତ ଖବର