ବାଲେଶ୍ବର: ନେପାଳ ପୋଖରାଠାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଦକ୍ଷିଣ ଏସୀୟ ଟେନିସ୍ କ୍ରିକେଟ୍ ଚାମ୍ପିଅନସିପ୍ରେ ଭାରତ ଟିମ୍ ରୌପ୍ୟ ପଦକ ହାସଲ କରିଛି। ଫେବ୍ରୁଆରି ୨୧ରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି କ୍ରିକେଟ୍ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ନେପାଳ ଚାମ୍ପିଅନ୍ ହୋଇଥିବା ବେଳେ ଭାରତ ରୌପ୍ୟ ହାସଲ କରିଛି। ଭାରତ ଟିମ୍ରେ ଓଡ଼ିଶାର ୪ ଜଣ ଖେଳାଳି ସ୍ଥାନ ପାଇଥିବା ବେଳେ ବାଲେଶ୍ବର ରେମୁଣା ବ୍ଲକ ଜଗନ୍ନାଥପୁର ଗ୍ରାମର ପଦ୍ମାବତୀ ସିଂ(୨୨) ଏଥିରେ ରହିଛନ୍ତି।
ବାପା ହାଡ଼ିବନ୍ଧୁ ସିଂ ଓ ମଞ୍ଜୁ ସିଂଙ୍କ ବଡ଼ଝିଅ ହେଉଛନ୍ତି ପଦ୍ମାବତୀ। ବାପା ଜଣେ ଚାଷୀ ହୋଇଥିବା ମା’ ମଞ୍ଜୁ ଅନ୍ୟଘରେ କାମ କରିଥାନ୍ତି। ପଦ୍ମାବତୀ ରେମୁଣା ହାଇସ୍କୁଲରେ ମାଟ୍ରିକ୍, ବାରିପଦା ମା’ ଦ୍ବାରଶୁଣୀ କଲେଜରୁ ଯୁକ୍ତଦୁଇ ଏବଂ ଡିଭାଇନ୍ କଲେଜରେ ଡିପ୍ଲୋମାର ତୃତୀୟ ବର୍ଷର ଛାତ୍ରୀ। ପିଲାଟି ଦିନରୁ ପଦ୍ମାବତୀ କ୍ରିକେଟ୍ ପ୍ରତି ରୁଚି ରଖିଥିଲେ। ତେଣୁ ସ୍କୁଲ ଓ କଲେଜସ୍ତରରେ କ୍ରିକେଟ୍ ସହିତ ବିଭିନ୍ନ ଖେଳରେ ଭାଗ ନେଇ ଚାମ୍ପିଅନ୍ ବି ହୋଇଛନ୍ତି। ପଦ୍ମାବତୀ ଟେନିସ୍ ବଲ୍ରେ ଖେଳିବା ସହିତ ଡ୍ୟୁଜ୍ ବଲ୍ରେ ବି କ୍ରିକେଟ୍ ଖେଳ ଅଭ୍ୟାସ ଜାରି ରଖିଛନ୍ତି।
ପୂର୍ବରୁ ପଦ୍ମାବତୀ ଜାତୀୟସ୍ତର ଖେଳି ବ୍ରୋଞ୍ଚ୍ ମେଡାଲ ଜିତିଛନ୍ତି। ସେମିତି ରାଜ୍ୟସ୍ତରରେ ଡ୍ୟୁଜ୍ ବଲ୍ରେ କ୍ରିକେଟ୍ ବି ଖେଳିଛନ୍ତି। କ୍ରିକେଟ୍ରେ ରୁଚି ରଖୁଥିବା ପଦ୍ମାବତୀଙ୍କୁ ସରକାରୀ ସ୍ତରରେ କିନ୍ତୁ କିଛି ସହାୟତା କି ସହଯୋଗ ମିଳୁନାହିଁ। ଯାହାଫଳରେ ନିଜ ସିଙ୍ଗରେ ନିଜେ ମାଟି ତାଡ଼ି ଏହି ସ୍ଥାନରେ ଆଜି ପହଞ୍ଚି ପାରିଛନ୍ତି। ପଦ୍ମାବତୀଙ୍କ ଦକ୍ଷତାକୁ ଦେଖି ଭୁବନେଶ୍ବର ଟେନିସ୍ କ୍ରିକେଟ୍ ଆସୋସିଏସନ୍ର ସଂପାଦକ ରାଗିଣୀ ମିତ୍ରା ତାଙ୍କୁ ବହୁ ସହଯୋଗ କରିଛନ୍ତି। ସେହିପରି ବାଲେଶ୍ବର ଡ୍ୟୁଜ୍ ବଲ୍ର କୋଚ୍ ଜଗତରଂଜନ ଦାସଙ୍କ ଠାରୁ ପଦ୍ମାବତୀ ପ୍ରଶିକ୍ଷଣ ନେଉଛନ୍ତି।
ପଦ୍ମାବତୀ କହନ୍ତି, ଖେଳରେ ରୁଚି ରହିଥିଲେ ବି କିଛି ସହଯୋଗ ନାହିଁ। ଡ୍ୟୁଜ୍ ବଲ୍ରେ ଯେମିତି ବିଭିନ୍ନ ଚାମ୍ପିଅନ୍ସିପ୍ ରହିଛି କ୍ରିକେଟ୍ ଟେନିସ୍ ବଲ୍ରେ ସେମିତି ପ୍ରତିଯୋଗିତା ଅନୁଷ୍ଠିତ ହେଉନାହିଁ। ତେଣୁ ମହିଳା କ୍ରିକେଟ୍ ଟେନିସ୍ ପାଇଁ ଯଦି ବିଭିନ୍ନ ଚାମ୍ପିଅନ୍ସିପ୍ର ବ୍ୟବସ୍ଥା ହୋଇପାରନ୍ତା ବହୁ ଖେଳାଳି ଏଥିରେ କ୍ୟାରିଅର କରିପାରନ୍ତେ। ତଥାପି ମୁଁ ଦୁଇଟି(ଟେନିସ୍ ଓ ଡ୍ୟୁଜ୍ ବଲ୍)ରେ ଖେଳ ଅଭ୍ୟାସ ଜାରି ରଖିଛି। ଭବିଷ୍ୟରେ ଖେଳ ସହିତ ଆର୍ମିରେ ଯିବାକୁ ଇଛା ରଖିଛି। ଅନ୍ୟପକ୍ଷରେ ବହୁ ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟସ୍ତର ଖେଳ ଖେଳି ଆସିଲେ ଜିଲ୍ଲା ପ୍ରଶାସନ କି ଅନ୍ୟ ବିଭାଗ ପକ୍ଷରୁ ସ୍ବାଗତ କରାଯାଏ, ହେଲେ ଦୁଃଖର କଥା କ୍ରିକେଟ୍ ଟେନିସ୍ରେ ରୌପ୍ୟ ଜିତି ଆସିଥିଲେ ବି ପ୍ରଶାସନ ପକ୍ଷରୁ ସେମିତି ପ୍ରୋତ୍ସାହିତ କରାଯାଏନାହିଁ।