ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳିବ ଡାଏଲିସିସ୍‌ ସୁବିଧା

କିଡ୍‌ନି ରୋଗ ଉପରେ ଦକ୍ଷିଣ ଏସିଆ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର : ମଧୁମେହ ଓ ଉଚ୍ଚ ରକ୍ତଚାପ କିଡ୍‌ନି ରୋଗର ମୁଖ୍ୟ କାରଣ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଣ ସଂକ୍ରମିତ ରୋଗ କାର୍ଯ୍ୟକ୍ରମ ରାଜ୍ୟରେ ଆରମ୍ଭ କରିଛନ୍ତି। ରାଜ୍ୟର ୧୫ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ରୋଗୀଙ୍କ ସ୍କ୍ରିନିଂ କରାଯିବା ସହିତ ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା।

ଆଜି କିମ୍‌ସ ପକ୍ଷରୁ ବିଶ୍ୱ କିଡ୍‌ନି ଦିବସ ଅବସରରେ କିଡ୍‌ନି ରୋଗ ଉପରେ ଦକ୍ଷିଣ ଏସିଆ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ଜେନା କହିଲେ, ଦୀର୍ଘଦିନ ଧରି କିଡ୍‌ନି ରୋଗରେ ପୀଡ଼ିତ ରୋଗୀମାନଙ୍କୁ ମାଗଣରେ ଡାଏଲିସିସ୍‌ ସୁବିଧା ମିଳିବ। ମେଡିକାଲ କଲେଜ ବ୍ୟତୀତ କେତେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ଆରମ୍ଭ ହୋଇଛି। ସେହିପରି ଏସ୍‌ସିବି ମେଡିକାଲ କଲେଜରେ କିଡ୍‌ନି ପ୍ରତିରୋପଣ କାର୍ଯ୍ୟକ୍ରମ ଚାଲୁ ରହିଛି। ଏ ପର୍ଯ୍ୟନ୍ତ ଏସ୍‌ସିବିରେ ୧୪୧ଟି କିଡ୍‌ନି ପ୍ରତିରୋପଣ ହୋଇସାରିଛି। ଆଗାମୀ ଦିନରେ ଏସ୍‌ସିବିରେ ଭିତ୍ତିଭୂମିର ବିକାଶ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ କିଡ୍‌ନି ରୋଗର କାରଣ ଓ ନିରାକରଣ ଦିଗରେ ସରକାରୀ ଓ ଘରୋଇ ଡାକ୍ତରଖାନାଗୁଡ଼ିକ ଏକାଠି ହୋଇ କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଏକ ବିକାଶଶୀଳ ରାଷ୍ଟ୍ର ଗଠନ ଦିଗରେ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ଆବଶ୍ୟକ। ଯୁବପିଢ଼ିର ଦେଶ କୁହାଯାଉଥିବା ଭାରତରେ ଯୁବକମାନେ ଯଦି ସ୍ୱାସ୍ଥ୍ୟବାନ ନ ହେବେ ତାହାଲେ ଦେଶ ଆଗକୁ ବଢ଼ିପାରିବ ନାହିଁ। ବିକାଶ ନାଁରେ ବ୍ୟାପକ ଜଙ୍ଗଲ ନଷ୍ଟ କରାଯାଉଥିବାରୁ ଏହାର ପ୍ରଭାବ ପରିବେଶ ଉପରେ ପଡ଼ୁଛି। ଏବେ ହୃଦ୍‌ଘାତ ନୁହେଁ କିଡ୍‌ନି ଭଳି ରୋଗରେ ଅଧିକ ସଂଖ୍ୟକ ଲୋକ ପ୍ରାଣ ହରାଉଛନ୍ତି। ଆମର ପ୍ରାକୃତିକ ପରିବେଶକୁ କିଭଳି କ୍ଷତି ନ ପହଞ୍ଚିବ ତାହା ଉପରେ ଦୃଷ୍ଟି ଦେବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି ଅବସରରେ ସ୍ମରଣିକାର ଉନ୍ମୋଚନ କରାଯିବା ସହିତ ଦେଶ ତଥା ବିଦେଶରୁ ଆସିଥିବା ବିଶେଷଜ୍ଞମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଆୟୋଜକ କମିଟିର ଅଧ୍ୟକ୍ଷ ତଥା କିମ୍‌ସର ଏମିରଟସ ପ୍ରଫେସର ଡା.ସୁରେଶ ଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିମ୍‌ସ ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଯତୀନ କୁମାର ଦାଶ ଧନ୍ୟବାଦ ଦେଇଥିଲେ। ସମ୍ମିଳନୀରେ ଭାରତ ସମେତ ବାଂଲାଦେଶ ଓ ନେପାଳରୁ ଖ୍ୟାତାନାମା କିଡ୍‌ନି ରୋଗ ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ର ସଭାପତି ଶାଶ୍ୱତୀ ବଳଙ୍କ ସମେତ କିମ୍‌ସର ଡାକ୍ତର ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର