ସେସ୍କୋ ପରେ ଏବେ ସାଉଥକୋର ବିଜୁଳି କାଟ୍ ଅଭିଯାନ, ଉପଭୋକ୍ତାଙ୍କ ଉପରେ ବାକି ପଡ଼ିଛି ୧୪ଶହ କୋଟି ଟଙ୍କାର ବିଲ୍

ଭୁବନେଶ୍ବର: ବିଜୁଳି ବିଲ୍ ବକେୟାର ରଖିଥିବା ଉପଭୋକ୍ତାଙ୍କ ଲାଇନ୍ କାଟିବା ପ୍ରକ୍ରିୟା ଆରମ୍ଭ କରିଛି ସାଉଥକୋ କର୍ମଚାରୀ । ଏଥିପାଇଁ ୧୨ଶହଟି ଟିମ୍ ନିଯୁକ୍ତ ହୋଇଛନ୍ତି । ସାଉଥକୋ ଅଧିନରେ ଆସୁଥିବା ୮ଟି ଜିଲ୍ଲାରେ ଏହି ବିଜୁଳି କାଟ୍ ଅଭିଯାନ ଆରମ୍ଭ ହୋଇଛି । ସାଉଥକୋ ଅଧିନରେ ଆସୁଥିବା ୮ଟି ଜିଲ୍ଲାରେ ୨୨ ଲକ୍ଷରୁ ଅଧିକ ଉପଭୋକ୍ତା ଅଛନ୍ତି । ଏମାନଙ୍କ ମଧ୍ୟରୁ ୧୫ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କ ପ୍ରାୟ ୧୩ଶହ କୋଟି ଟଙ୍କାର ବିଜୁଳି ବିଲ୍ ବାକି ପଡ଼ିଛି ।

ସେସକୋ ପରେ ଏବେ ଦକ୍ଷିଣ ଓଡିଶାରେ ବିଦ୍ୟୁତ ବିତରଣକାରୀ ସଂସ୍ଥା ସାଉଥକୋ ଆରମ୍ଭ କରିଛି ବିଜୁଳିକାଟ ଅଭିଯାନ । ଫେବ୍ରୁଆରୀ ୧୫ ତାରିଖ କଂଟ ସରିଯିବା ପରେ ଆକ୍ସନ ମୁଡରେ ବିଦ୍ୟୁତ ବିତରଣକାରୀ ସଂସ୍ଥା ସାଉଥକୋ । ୫ ମାସରୁ ଉଦ୍ଧ୍ୱର୍ କିମ୍ଭା ୫ ହଜାର ଟଙ୍କାରୁ ଅଧିକ ବିଲ ବକେୟା ରଖିଥିବା ଉପଭୋକ୍ତାଙ୍କ ବିଦ୍ୟୁତ ସଂଯୋଗକୁ ବିଛିନ୍ନ କରାଯାଉଛି । ସୂଚନା ଅନୁସାରେ ଏଥିପାଇଁ ସାଉଥକୋ ଗଠନ କରିଛି ୧୨ଶହ ଟିମ । ପ୍ରଥମ ଦିନରେ ୮ଟି ଜିଳ୍ଲାରେ ୫୭୬ ଟିମ୍ ବିଦ୍ୟୁତ ବିଛିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତେବେ ଯେଉଁ ଗ୍ରାହକ ଘଟଣାସ୍ଥଳରେ ବିଲ ପୈଠ କରୁଛନ୍ତି, ସେମାନଙ୍କ ସଂଯୋଗ ବିଛନ୍ନ କରାଯାଉନାହିଁ । କିନ୍ତୁ ଏହାରି ଭିତରେ ବ୍ରହ୍ମପୁରରେ ଦେଖିବାକୁ ମିଳିଛି କିଛି ଏଭଳି ଚିତ୍ର, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସହରର ଏଲଆଇଜି କଲୋନିରେ ଥିବା ସରକାରୀ କ୍ୱାର୍ଟରରେ ରହୁଛନ୍ତି ବେସରକାରୀ ଲୋକ । ଯେଉଁମାନେ ବେଆଇନ ଭାବେ ବିଜୁଳି ବ୍ୟବହାର କରୁଛନ୍ତି । ତେଣୁ ସେମାନଙ୍କ ଉପରେ କେମିତି କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ନେଇ ଉଠିଛି ପ୍ରଶ୍ନ ।

ସାଉଥକୋ ଅଧିକାରୀଙ୍କ କହିବା ଅନୁସାରେ କଳ କାରଖାନା ୨୮.୦୫ କୋଟି, ବାଣିଜ୍ୟିକ ସଂସ୍ଥା ୧୨୨.୮୭ କୋଟି, ସରକାରୀ ସଂସ୍ଥା ୯୫ କୋଟି ଓ ଘରୋଇ ଉପଭୋକ୍ତା ୧୦୭୬.୫୭ କୋଟି ଟଙ୍କାର ବିଦ୍ୟୁତ ବିଲ୍ ବାକି ରଖିଛନ୍ତି ।

 

ସମ୍ବନ୍ଧିତ ଖବର