ସାଉଥ୍‌କୋ କର୍ମଚାରୀଙ୍କ ଆନ୍ଦୋଳନ, ମନାଇବାକୁୁ ଟାଟାର ଉଦ୍ୟମ

ବ୍ରହ୍ମପୁର : ସାଉଥ୍‌କୋ ୟୁଟିଲିଟିର ମାଲିକାନା ଟାଟା ପାୱାର୍ ହାତକୁ ଚାଲିଯାଇଥିବା ବେଳେ ଏହାକୁ ସାଉଥ୍‌କୋର କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀମାନେ ତୀବ୍ର ବିରୋଧ କରିଛନ୍ତି। ବିଶେଷ କରି ଚାକିରି ସର୍ତ୍ତାବଳୀ ଏବଂ ଅନ୍ୟାନ୍ୟ ସୁବିଧା ସଂପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇ ନଥିବା ଯୋଗୁଁ କାର୍ଯ୍ୟାଳୟ ସମ୍ମୁଖରେ ସାଉଥ୍‌କୋ ଏମ୍ଲୋଏଜ୍ ଇଞ୍ଜିନିୟର୍ସ ଅଫିସର୍ସ ଏକତା ମଞ୍ଚ ପକ୍ଷରୁ ଏହି ଆନ୍ଦୋଳନ ଜାରି ରହିଛି। ଟାଟା ପାୱାର୍‌ର କେତେକ ଅଧିକାରୀ ଆଜି କାର୍ଯ୍ୟରେ ଯୋଗଦେବା ପାଇଁ ସାଉଥ୍‌କୋ କାର୍ଯ୍ୟାଳୟକୁ ଆସିଲା ବେଳେ ଆନ୍ଦୋଳନରତ କର୍ମଚାରୀଙ୍କ ବିରୋଧର ସମ୍ମୁଖୀନ ହୋଇ ଫେରିଯିବାକୁ ବାଧ୍ୟ ହୋଇଥିଲେ।

ସାଉଥ୍‌କୋ ପାୱାର୍ ଇଞ୍ଜିନିୟର୍ସ ସଂଘ, ଓଏସ୍ଇ କର୍ପୋରେସନ୍ ଇଞ୍ଜିନିୟର୍ସ ସଂଘ, ସାଉଥ୍‌କୋ ଫିନ୍ କ୍ୟାଡର୍ ୱେଲ୍‌ଫେୟାର୍ ଏମ୍ଲୋଏଜ୍ ସଂଘ, ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘ, ଓଏସ୍ଇବି ଟେକ୍ନିକାଲ୍ ଏମ୍ଲୋଏଜ୍ ୟୁନିୟନ୍, ଗ୍ରୀଡ୍‌କୋ ବିଦ୍ୟୁତ୍ କର୍ମଚାରୀ ସଂଘ, ଓଏସ୍ଇବି ବିଦ୍ୟୁତ୍ କର୍ମଚାରୀ ସଂଘ, ଓଏସ୍ଇବି ଏମ୍ଲୋଏଜ୍ ଫେଡେରେସନ୍, ଓଏସ୍ଇବି ଶ୍ରମିକ ମହାସଂଘ ଏବଂ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ତରଫରୁ ଚାଲିଥିବା ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ କର୍ମଚାରୀ ସାମିଲ୍‌ ହୋଇ ଦାବି ଗୁଡ଼ିକର ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ମଙ୍ଗଳବାର ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପାଇଁ ବୈଠକ ଡକାଯାଇଥିବା ସୂଚନା ମିଳିଛି । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଚଳିତମାସ ପହିଲାରୁ ଟାଟା ହାତକୁ ଚାଲିଯାଇଛି ସାଉଥ୍‌କୋ। ଏହା ମଧ୍ୟରେ ଟାଟା ପକ୍ଷରୁ କିଛି ପଦବିରେ ନିଯୁକ୍ତି ଦିଆଯିବାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି। ଆନ୍ଦୋଳନକାରୀଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ କେହି କାର୍ଯ୍ୟଭାର ଗ୍ରହଣ କରିପାରିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି।

ଅପରପକ୍ଷେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ଏବଂ ଟାଟା ପାୱାର ତରଫରୁ ମିଳିତ ଭାବେ ସ୍ଥାନୀୟ ସର୍କିଟ୍ ହାଉସ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଶୃଙ୍ଖଳା ଆଚରଣ ବ୍ୟତୀତ ଅନ୍ୟ କୌଣସି କାରଣ ପାଇଁ ବର୍ତ୍ତମାନର କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ ବୋଲି ପ୍ରକାଶ କରାଯାଇଥିଲା। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଭିତ୍ତିଭୂମିର ବିକାଶ ଏବଂ ଗୁଣାତ୍ମକ ସେବା ପାଇଁ କମ୍ପାନି ପ୍ରତିଶ୍ରୁତିବଦ୍ଧ ବୋଲି କମ୍ପାନିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ସିଂ କହିଥିଲେ। ପୂର୍ବ ଚାକିରି ସର୍ତ୍ତାବଳୀ ସହ ଅନ୍ୟାନ୍ୟ ସର୍ତ୍ତକୁ ପରବର୍ତ୍ତି ସମୟରେ ଲାଗୁ କରାଯିବ ବୋଲି ଆଶ୍ବାସନା ଦେଇଥିଲେ। କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ କମ୍ପାନି ପ୍ରତିଶ୍ରୁତି ଦେଇଛି ବୋଲି ମହାସଂଘର ସଭାପତି ତଥା ରାଜ୍ୟସଭା ସାଂସଦ ସୁବାସ ସିଂ ମତବ୍ୟକ୍ତ କରିଥିଲେ। ଏଥିସହ ମହାସଂଘର ସାଉଥ୍‌କୋ ଜୋନ୍ ପୃଷ୍ଠପୋଷକ ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଦାୟିତ୍ବ ଅର୍ପଣ କରାଯାଇଥିଲା। ଏହି ସମ୍ମିଳନୀରେ ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ସୁବାସ ମହାରଣା, ତୁମ୍ବନାଥ ପଣ୍ଡା ଓ ଦୁର୍ଗାମାଧବ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍‌ଣରେ ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ବିଜୁ ଶ୍ରମିକ ସାମ୍ମୁଖ୍ୟର ସଂପାଦକ ଡ. ରାଜେନ୍ଦ୍ର ଦାସ, ମହାସଂଘର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ସାଧାରଣ ସମ୍ପାଦକ ଅମର ପ୍ରତାପ ସିଂ, ମିଳିତ ମଞ୍ଚର ବିନୋଦ ବିହାରୀ ନାୟକ, ପ୍ରଭାତ କୁମାର କର, ଲମ୍ବୋଦର ପାତ୍ର, ପଞ୍ଚାନନ ଜେନା, ପ୍ରଫୁଲ କୁମାର ପଟ୍ଟନାୟକଙ୍କ ସମେତ ଅନ୍ୟ ପଦାଧିକାରୀମାନେ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର