ବାଲେଶ୍ବର: ସ୍ଥାନୀୟ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ପ୍ରତି କେନ୍ଦ୍ର ବଜେଟ୍ରେ ‘ୱାନ୍ ଷ୍ଟେସନ୍, ୱାନ୍ ପ୍ରୋଡକ୍ଟ’ ଯୋଜନା ଆରମ୍ଭ କରିବାକୁ ଗୁରୁତ୍ବ ଦେଇଛନ୍ତି। ଭାରତୀୟ ରେଳ ନେଟୱାର୍କକୁ ବ୍ୟବହାର କରି ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତ୍ୟେକ ଷ୍ଟେସନ୍ରେ ସେଲ୍ସ ହବ୍ କରାଯାଇ ଏହି ଉତ୍ପାଦକୁ ବିକ୍ରି କରାଯିବା ମୁଖ୍ୟ ଉଦ୍ଦେଶ୍ୟ। ସାରା ଦେଶରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଦକ୍ଷିଣ-ପୂର୍ବ ରେଳ ବିଭାଗ ଅଧୀନରେ କେବଳ ବାଲେଶ୍ବର ଓ ଜଳେଶ୍ବର ରେଳ ଷ୍ଟେସନ୍ରେ ଏହି ଯୋଜନା ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଜଣାଯାଇଛି।
ବାଲେଶ୍ବରରେ ନଡ଼ିଆକତା ଶିଳ୍ପ
ଜଳେଶ୍ବରରେ ସିଲଭର ଓ ଷ୍ଟୋନ୍ର ସାମଗ୍ରୀ
ସ୍ଥାନୀୟ ଶିଳ୍ପକୁ ମିଳିବ ପରିଚୟ
ସୂଚନା ମୁତାବକ, ଏହି ଯୋଜନା ବାଲେଶ୍ବର ରେଳ ଷ୍ଟେସନ୍ ୩ ନଂ ପ୍ଲାଟ୍ଫର୍ମରେ ଆରମ୍ଭ ହେବ। ବାଲେଶ୍ବର ଜିଲ୍ଲା ନଡ଼ିଆକତା ଶିଳ୍ପ ପାଇଁ ପ୍ରସିଦ୍ଧିଲାଭ କରିଥିବା ବେଳେ ଏହାକୁ ଗୁରୁତ୍ବ ଦିଆଯାଇଛି। ନଡ଼ିଆକତାରୁ ତିଆରି ହେଉଥିବା ବିଭିନ୍ନ ଘରୋଇ ଉପକରଣ ଷ୍ଟେସନ୍ ପରିସରରେ ବିକ୍ରି କରାଯିବ। ଏଥିପାଇଁ ଆବେଦନ କରିଥିବା ଆଶାୟୀଙ୍କ ମଧ୍ୟରୁ ବାଲେଶ୍ବରର ନଡ଼ିଆକତା ଶିଳ୍ପ ବ୍ୟବସାୟୀ କେଦାର ପରିଡ଼ାଙ୍କୁ ଷ୍ଟଲ୍ ଖୋଲିବାକୁ ଅନୁମତି ଦିଆଯାଇଛି। ସେହିପରି ଜଳେଶ୍ବର ଷ୍ଟେସନ୍ରେ ସିଲଭର ଓ ଷ୍ଟୋନ୍ର ବିଭିନ୍ନ ପ୍ରକାର ଗହଣା ଓ କସ୍ମେଟିକ୍ ସାମଗ୍ରୀ ବିକ୍ରି କରିବାକୁ ଗୁରୁତ୍ବ ଦିଆଯାଇଛି।
ଏହି ଯୋଜନାକୁ ୧୫ ଦିନ ପାଇଁ ପାଇଲଟ୍ ଆଧାରରେ କାର୍ଯ୍ୟକାରୀ କରାଯିବ। ପରେ ଗୁରୁତ୍ବକୁ ଦେଖି ଆଗାମୀ ଯୋଜନା ପାଇଁ ନିଷ୍ପତ୍ତି ନିଆଯିବ। ୧୫ ଦିନ ପାଇଁ ପ୍ରତି ଷ୍ଟଲ୍ପିଛା ୫ ଶହ ଟଙ୍କା ଲେଖାଏଁ ବ୍ୟବସାୟୀ ରେଳ ବିଭାଗକୁ ପ୍ରଦାନ କରିବେ। ଏ ସଂପର୍କରେ ବାଲେଶ୍ବର ଷ୍ଟେସନ୍ ମ୍ୟାଜେନର ବିକାଶ ରଂଜନ ବେରା କହିଛନ୍ତି, ଏହି ଷ୍ଟେସନ ଏକ ମାର୍କେଟିଂ ଚ୍ୟାନେଲ ଭାବରେ କାର୍ଯ୍ୟ କରିବ। ଏହା ଦ୍ବାରା ରେଳ ଯାତ୍ରୀ ବାଲେଶ୍ବରର ସ୍ଥାନୀୟ ଶିଳ୍ପ ସଂପର୍କରେ ଜାଣିବା ସହିତ ଏଥିରେ ବହୁ ବ୍ୟବସାୟୀ ଯୋଡ଼ି ହେବେ। ସ୍ଥାନୀୟ ଉତ୍ପାଦକୁ ନୂଆ ପରିଚୟ ମିଳିବ।