ବେତନଟୀ(ରଞ୍ଜନ କୁମାର ମହାନ୍ତି): ନାଁ ତାର ବବ୍ଲୁ। ସେ ଏବେ ଶିମିଳିପାଳରେ ସମସ୍ତଙ୍କ ଗେହ୍ଲା। ବନ ବିଭାଗ କର୍ମଚାରୀ, ମାହୁନ୍ତ ଓ ଶିମିଳିପାଳକୁ ଆସୁଥିବା ର୍ପଯ୍ୟଟକ ସମସ୍ତେ ଭଲ ପାଆନ୍ତି ବବ୍ଲୁକୁ। ଅଣ୍ଡିରା ହାତୀ ବବ୍ଲୁକୁ ଏବେ ୫ ବର୍ଷ ହେଲାଣି। ଜଙ୍ଗଲ ରାଇଜର ସମସ୍ତ ଆଦବ କାଇଦା ସେ ଶିଖିଗଲାଣି। ଆଉ ତାକୁ ଏ ସବୁ ଶିଖେଇଛି ତାର ପାଳକ ମା’ କୁହାଯାଉଥିବା ଶୋଭା। ଏହି ମା’ ପୁଅ ଯୋଡ଼ିଙ୍କ ନିଆରା କାହାଣୀ ମଧ୍ୟ ଏବେ ଖୁବ୍ ଚର୍ଚ୍ଚାରେ।
ବବ୍ଲୁ ଶାବକ ଥିବା ବେଳେ ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ(କୋର୍ ଏରିୟା)ରୁ ନିଜର ଜନ୍ମକଲା ମା’ ଏବଂ ଦଳର ଅନ୍ୟ ହାତୀଙ୍କ ସହ ଶିମିଳିପାଳ ପାଦଦେଶକୁ ଆସିଥିଲା। ହେଲେ ଦୁର୍ଭାଗ୍ୟକୁ ନିଜର ମା’ ସହିତ ଏକ ଗାତରେ ଖସିପଡ଼ିଲା। ବନ କର୍ମଚାରୀମାନେ ଉଭୟଙ୍କୁ ଗାତରୁ ଉଦ୍ଧାର କଲେ। ହେଲେ ଶାବକ ବବ୍ଲୁକୁ ମଣିଷ ଛୁଇଁ ଦେଇ ଥିବାରୁ ତାର ମା’ କିମ୍ବା ହାତୀପଲ କେହି ତାକୁ ସାଙ୍ଗରେ ନେଲେନି। ଶିମିଳିପାଳ ପାଦ ଦେଶରେ ତାକୁ ଛାଡ଼ି ଦେଇ ଘଞ୍ଚ ଜଙ୍ଗଲକୁ ବାହୁଡ଼ିଗଲେ। ଆଉ ଏତିକି ବେଳେ ବବ୍ଲକୁ ଉଦ୍ଧାର କରି ନିଜ ହେପାଜତକୁ ନେଲା ବନବିଭାଗ।
ପ୍ରଥମେ ତାକୁ ବେତନଟୀ-ବାରିପଦା ରାସ୍ତା ପାର୍ଶ୍ବରେ ଥିବା ମଞ୍ଚାବନ୍ଧା ନର୍ସରୀରେ ରଖାଗଲା। ଉପଯୁକ୍ତ ଖାଦ୍ୟପାନୀୟ ଦିଆଗଲା ଓ ଚିକିତ୍ସା କରାଗଲା। ହେଲେ ଯେତେ ଯାହା ଦେଲେ ବି କିଛି ଖାଇଲାନି ବବ୍ଲୁ। ଖାଦ୍ୟ ଅଭାବରୁ ଧିରେଧିରେ ଅସୁସ୍ଥ ହୋଇପଡ଼ିଲା ଏହି ହାତୀ ଶାବକ। ଆଉ ଏତିକି ବେଳେ ଜଣେ ଅଧିକାରୀ ବବ୍ଲୁ ପାଇଁ ମା’ର ଆବଶ୍ୟକତା ଥିବା କହିଥିଲେ। ଝାଡ଼ଖଣ୍ତୀ ହାତୀଙ୍କୁ ଘଉଡ଼ାଇବାକୁ ଅଣା ଯାଇଥିବା ମାଈ ହାତୀ ଶୋଭାକୁ ବବ୍ଲୁ ପାଖକୁ ଅଣାଗଲା। ଆଉ ତା ପରଠୁ ଯୋଡ଼ି ହୋଇଗଲା ଶୋଭା ଓ ବବ୍ଲୁ ମଧ୍ୟରେ ସମ୍ପର୍କର ଡୋରୀ। ଶୋଭାକୁ ପାଖରେ ପାଇ ଧିରେଧିରେ ସ୍ବାଭାବିକ ହେବାକୁ ଲାଗିଲା ବବ୍ଲୁ। କେଇଟା ବର୍ଷ ମଧ୍ୟରେ ଦକ୍ଷ ମାହୁନ୍ତଙ୍କ ପ୍ରଶିକ୍ଷଣ ଓ ମା’ ଶୋଭାର ନଜରରେ ସବୁକିଛି ଶିଖିଗଲା ବବ୍ଲୁ। ଶୋଭା ଓ ବ୍ଲୁର କାହାଣୀ ମଧ୍ୟ ବିଖ୍ୟାତ ହେବାକୁ ଲାଗିଲା ଓ ଏମାନଙ୍କୁ ଦେଖିବାକୁ ର୍ପଯ୍ୟଟକଙ୍କ ଭିଡ଼ ଲାଗିଲା। ପର୍ଯ୍ୟଟକଙ୍କ ଭିଡ଼ରୁ ତ୍ରାହି ପାଇବା ପାଇଁ ବନ ବିଭାଗ ଏହି ଦୁଇ ହାତୀଙ୍କୁ ପିଠାବଟା ୱାଇଲ୍ଡ ଲାଇଫ ରେଞ୍ଜକୁ ସ୍ଥାନାନ୍ତର କରିଦେଲେ। ଏବେ ଲୁଲୁଙ୍ଗ ଓ ସୀତାକୁଣ୍ତକୁ ବଣଭୋଜି କରିବାକୁ ଯାଉଥିବା ପର୍ଯ୍ୟଟକମାନେ ଏହି ଦୁଇ ପୋଷା ହାତୀଙ୍କୁ ଦେଖନ୍ତି ଓ ମାହାନ୍ତଙ୍କ ପାଖରୁ ଏମାନଙ୍କ କାହାଣୀ ଶୁଣନ୍ତି। ଶିମିଳିପାଳ ଅଭୟାରଣ୍ୟରୁ ଉଦ୍ଧାର ହୋଇଥିବା ବାଘୁଣୀ ଖଇରୀ ସହିତ ହେଟା ବାଘ, ଭାଲୁ ପରେ ଏହି ବବ୍ଲୁ ହେଉଛି ବନ ବିଭାଗର(ଶିମିଳିପାଳ ରେଞ୍ଜେର ଜନ୍ମିତ) ପ୍ରଥମ ପୋଷା ହାତୀ। ବବ୍ଲୁକୁ ଆଗକୁ ଢ଼େର ଗୁରୁ ଦାୟିତ୍ବ ଦେବାକୁ ଚିନ୍ତା କରୁଛି ବନ ବିଭାଗ। ବଣୁଆ ହାତୀଙ୍କୁ ଘଉଡାଇବା ଓ ଶିମିଳିପାଳକୁ ଶିକାରୀଙ୍କ କବ୍ଜାରୁ ରକ୍ଷା କରିବା ପାଇଁ ଆଗକୁ ବବ୍ଲୁ ହିଁ ହେବ ମୁଖ୍ୟ ଅସ୍ତ୍ର।