ଭୁବନେଶ୍ବର/ କଟକ: ନୂଆଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ସୋମବାର ସନ୍ଧ୍ୟାରେ ଭୟଙ୍କର ବିସ୍ଫୋରଣରେ ମୃତାହତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପୁଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ପରେ ଓଡ଼ିଶାରେ ହାଇଆଲର୍ଟ ଜାରି କରାଯାଇଛି। ପୁଲିସ ଡିଜି ରାଜ୍ୟର ସମସ୍ତ ପୁଲିସ ଜିଲ୍ଲାକୁ ହାଇଆଲର୍ଟ ଜାରି କରିଛନ୍ତି। ସମସ୍ତ ରେଳ ଷ୍ଟେସନ, ବିମାନବନ୍ଦର ଓ ୧୧ଟି ସମ୍ବେଦନଶୀଳ ପ୍ରତିଷ୍ଠାନଗୁଡ଼ିକୁ ହାଇଆଲର୍ଟ କରାଯାଇଛି। ପୁଲିସ ଜିଲ୍ଲା ଏସ୍ପି, କମିସନରେଟ୍ ଡିସିପି, ପୁଲିସ କମିସନରଙ୍କୁ ସତର୍କ ରହିବାକୁ ପୁଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ସୂଚନା ଅନୁଯାୟୀ, ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ବିସ୍ଫୋରଣ ପରେ ଓଡ଼ିଶାରେ ଜିଲ୍ଲା ଏସ୍ପି, ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ, ତଟରକ୍ଷୀ ଓ ନୌସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ବରର ଚାନ୍ଦିପୁର ଆଇଟିଆର୍, ଭଦ୍ରକର ଅବଦୁଲ କଲାମ ଦ୍ବୀପ, ଧାମରା ବନ୍ଦର, ଗୋପାଳପୁର ବନ୍ଦର, ପାରାଦ୍ବୀପ ବନ୍ଦର, ଗଞ୍ଜାମର ଇଣ୍ଡିଆନ୍ ରେୟାର୍ ଆର୍ଥ ଲିମିଟେଡ୍, ଇଫକୋ, ଆଇଓସିଏଲ୍, ପୁରୀ ଶ୍ରୀମନ୍ଦିର, କୋଣାର୍କ ମନ୍ଦିର, ସୁନାବେଢ଼ା ମିଗ୍ ବିମାନ ଫ୍ୟାକ୍ଟ୍ରି ଇତ୍ୟାଦି ସମ୍ବେଦନଶୀଳ ଅଞ୍ଚଳ ପ୍ରତି ବିପଦ ରହିଥିବା ଆଶଙ୍କା କରାଯାଉଛି। ଓଡ଼ିଶା ପୁଲିସର ୧୮ଟି ସାମୁଦ୍ରିକ ଥାନାଗୁଡ଼ିକୁ ମଧ୍ୟ ସତର୍କ କରାଯାଇଛି।
ଭୁବନେଶ୍ବର ବିମାନ ବନ୍ଦର ଉପରେ ସତର୍କ ନଜର ରଖିବାକୁ ପୁଲିସ କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ ଥିବା ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରାଯାଇଛି। ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭୁବନେଶ୍ବର ବିମାନ ବନ୍ଦରରେ ସିଆଇଏସ୍ଏଫକୁ ସକ୍ରିୟ ରହିବାକୁ କୁହାଯାଇଛି। ପୁଲିସ ଡିଜି ଵାଇ.ବି. ଖୁରାନିଆ କହିଛନ୍ତି ଯେ ସମସ୍ତ ଜିଲ୍ଲା ଏସ୍ପିଙ୍କୁ ଆଲର୍ଟ କରାଯାଇଛି। କି ପ୍ରକାର ପଦକ୍ଷେପ ନେବାକୁ ପଡ଼ିବ, ସେ ସମ୍ପର୍କରେ ସେମାନଙ୍କୁ କୁହାଯାଇଥିବା ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି। ଯଦି କୌଣସି ସ୍ଥାନରେ ସନ୍ଦେହଜନକ ବସ୍ତୁ କିମ୍ବା ସନ୍ଦିଗ୍ଧ ନଜରକୁ ଆସନ୍ତି ତୁରନ୍ତ ସ୍ଥାନୀୟ ପୁଲିସକୁ ଜଣାଇବା ସହ ୧୧୨ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)