ପୁଲିସ ବାବୁଙ୍କୁ ଏସପିଙ୍କ ଛାଟ : ବିଳମ୍ବରେ ଆସିଥିବା ଯୋଗୁଁ ଘଣ୍ଟାଏ ଅଫିସ ବାହାରେ

ଭବାନୀପାଟଣା : କଳାହାଣ୍ଡି ପୁଲିସ ଏସପି ସୋମବାର ଜିଲ୍ଲା ପୁଲିସ ମୁଖ୍ୟାଳୟ କର୍ମଚାରୀଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି। ବିଳମ୍ବରେ ଆସିଥିବା ପୁଲିସ କର୍ମଚାରୀଙ୍କୁ ଗେଟ ବନ୍ଦ କରିବା ଯୋଗୁଁ ଏକ ଘଣ୍ଟା ପର୍ଯ୍ୟନ୍ତ ସେମାନେ ବାହାରେ ହଟହଟା ହୋଇଥିଲେ।

ଏସପି ମାଡ଼କର ସନ୍ଦିପ ସମ୍ପଦ ସୋମବାର ସକାଳ ୧୦ଟାରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଞ୍ଚିଥିଲେ। ଅଫିସରେ ବସିବାର ୧୦ ମିନିଟ ପରେ ମଧ୍ୟ ବହୁ କର୍ମଚାରୀ ପହଞ୍ଚି ନଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ଏସପି ମୁଖ୍ୟାଳୟ ଭିତର ଗେଟ ବନ୍ଦ କରି ଦେଇଥିଲେ। ଏକ ଘଣ୍ଟା ଧରି ବିଳମ୍ବରେ ଆସିଥିବା ପୁଲିସ ଅଧିକାରୀ ଓ କର୍ମଚାରୀ ବାହାରେ ହଟହଟା ହୋଇ ଅପେକ୍ଷା କରିଥିଲେ। ପରେ ଏସପି ଜୁନାଗଡ଼ ଦୁନ୍ଦେଲମାଲରେ ଏକ ଜନଶୁଣାଣି ଶିବିରକୁ ବାହାରିବା ପାଇଁ ଗେଟ ଖୋଲା ଯାଇଥିଲା। ଅପେକ୍ଷାରେ ଥିବା କର୍ମଚାରୀମାନେ ଅଫିସକୁ ଆଶା ଆଶଙ୍କାରେ ପଶିଥିଲେ। ଏନେଇ ଏସପି ଠିକ ସମୟରେ ଅଫିସରେ ପହଞ୍ଚିବା ନେଇ ତାଗିଦ କରିଛନ୍ତି।

ଏନେଇ କଳାହାଣ୍ଡି ଏସପି ମାଡକର ସନ୍ଦିପ ସମ୍ପଦଙ୍କୁ ପଚାରିବାରୁ ବିଳମ୍ବରେ ଆସିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ତାଗିଦ କରାଯାଇଛି। ପରବର୍ତ୍ତୀ ସମୟରେ ଠିକ ସମୟରେ ଅଫିସକୁ ନ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ। ଭବାନୀପାଟଣା ସହରର ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ସରକାରୀ ବାବୁମାନେ ବିଳମ୍ବରେ ଆସୁଥିବା ଯୋଗୁଁ ବିଭିନ୍ନ କାମରେ ଦୂରଦୂରାନ୍ତରୁ ଆସୁଥିବା ଲୋକେ ଦହଗଂଜ ହେଉଛନ୍ତି। କଳାହାଣ୍ଡି ଜିଲ୍ଲାପାଳ ଏନେଇ ଅଚାନକ ପରିଦର୍ଶନ କଲେ ବହୁ ଅଫିସର ବାସ୍ତବ ଚିତ୍ର ଜଣାପଡ଼ିବ ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର