ପୁରୀ : ଚଳିତବର୍ଷ ରଥଯାତ୍ରା ପାଇଁ ପୁଲିସ ବିଭାଗ ତା’ର ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଘନଘନ ବୈଠକର ଆୟୋଜନ କରିବା ସହ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଉଛି। ଆଜି ଏସ୍‌ପି ଡା. କେ. ବିଶାଳ ସିଂହଙ୍କ ନେତୃତ୍ବରେ ବରିଷ୍ଠ ଅଧିକାରୀମାନେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ଏଠାରେ ଶ୍ରଦ୍ଧାଳୁମାନେ କିପରି ଶୃଙ୍ଖଳିତ ଦର୍ଶନ କରିବେ, ସେନେଇ ଆଲୋଚନା କରିଥିଲେ।

Advertisment

ରଥଯାତ୍ରା ଦିନଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ୯ ଦିନ ଧରି ଏଠାରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ସେବନ କରିବେ। ତେଣୁ ଏଠ‌ାରେ କିପରି ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇପାରିବ, ସେଦିଗରେ ଆଜି ଏଠାରେ ଆଲୋଚନା କରାଯାଇଥିଲା। ସେହିପରି ଚଳିତ ବର୍ଷ ରଥଯାତ୍ରା ପାଇଁ ଏସ୍‌ପି ଡା. କେ. ବିଶାଳ ସିଂହଙ୍କ ଅଧ୍ୟକ୍ଷତାରେ ତିନିଥର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସ୍‌ପି ଡା. ସିଂହଙ୍କ ବ୍ୟତୀତ ତିନି ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଡେପୁଟି କମାଣ୍ଡାଣ୍ଟ, ସିଟି ଡିଏସ୍‌ପି, ସଦର ଏସ୍‌ଡିପିଓ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟଙ୍କ ସମେତ ଟ୍ରାଫିକ୍‌ ଥାନା ଡିଏସ୍‌ପି ଓ ସମସ୍ତ ଥାନାର ଆଇଆଇସିମାନେ ଯୋଗ ଦେଇଥିଲେ। ଏହି ବୈଠକରେ ଟ୍ରାଫିକ୍‌ ବ୍ୟବସ୍ଥା, ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ, ରଥ ସୁରକ୍ଷାଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରର ସୁରକ୍ଷା ଓ ଏହା ଚାରିକଡ଼ରେ ଟ୍ରାଫିକ୍‌ କଟକଣା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ପୁଲିସ ବିଭାଗ ପକ୍ଷରୁ ୧୬୦ ପ୍ଲାଟୁନ୍‌ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯିବ ବୋଲି ସ୍ଥିର ହୋଇଛି। ସେହିପରି ରଥଯାତ୍ରାରୁ ସୁନାବେଶ ପର୍ଯ୍ୟନ୍ତ ସହରାଞ୍ଚଳରେ ଗାଡ଼ିମୋଟରର ପରିଚାଳନା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଆଲୋଚନା କରାଯାଇଥିଲା। ଯାତ୍ରୀ ପରିବହନକୁ ଶୃଙ୍ଖଳିତ କରିବା ପାଇଁ ବସ୍‌ ମାଲିକ ସଂଘ ଓ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଏସ୍‌ପି ପରାମର୍ଶ ଦେଇଥିଲେ। ସେହିପରି ପୁରୀର ତିନିଟି ପ୍ରବେଶ ପଥରେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ସହ ପାର୍କିଂସ୍ଥଳକୁ ଗାଡ଼ି ଛାଡ଼ିବା ନେଇ ଆଲୋଚନା କରାଯାଇଥିଲା।