ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ଦୁର୍ବ୍ୟବହାର : ବିଧାନସଭା ହୁଲସ୍ତୁଲ, ୧୦ ଥର ମୁଲତବୀ

ବିଜେଡି ଶାସନରେ ଚତୁର୍ଥ ସ୍ତମ୍ଭ ଉପରେ ଲଗାତର ଆକ୍ରମଣ ହେଉଛି, ବାଚସ୍ପତି ରୁଲିଂ ଦେଲେ, ଆଇନ୍ ତା’ ବାଟରେ ଯାଉ

ଭୁବନେଶ୍ବର : ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ ବେଳେ କେନ୍ଦ୍ରାପଡ଼ା ଏସ୍‌ପି ଜଣେ କର୍ତ୍ତବ୍ୟରତ ସାମ୍ବ‌ାଦିକଙ୍କ ଉପରକୁ ହାତ ଉଠାଇଥି‌େଲ। ଏହି ଭିଡିଓ ‌େସା‌ସିଆଲ ମିଡିଆରେ ଭାଇରାଲ ହେଲା ପରେ ଆଜି ବିଧାନସଭାରେ ପ୍ରସଙ୍ଗଟି ଉଠିଥିଲା। ଉଭୟ ବିଜେପି ଓ କଂଗ୍ରେସ ଏହାକୁ ତୀବ୍ର ସମାଲୋଚନା କରିଥିଲେ। ବିଜେପି ସଭ୍ୟମାନେ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରି ହୋହଲ୍ଲା କରିଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ବାଚସ୍ପତିଙ୍କୁ ଗୃହକୁ ବାରମ୍ବାର ମୁଲତବୀ ରଖିବାକୁ ପଡ଼ିଥିଲା।

ଆଜି ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ କେନ୍ଦ୍ରାପଡ଼ା ଏସ୍‌ପି ନିଉଜ୍-୧୮ର ଜଣେ ସାମ୍ବାଦିକଙ୍କୁ ମାରିବାକୁ ହାତ ଉଠାଇଲେ। ସେଠାରେ ଦୁଇ ଜଣ ପୂର୍ବତନ ମନ୍ତ୍ରୀ ଉପସ୍ଥିତ ଥିଲେ। ବିଜେଡି କ୍ଷମତାକୁ ଆସିବା ପରେ ଚତୁର୍ଥ ସ୍ତମ୍ଭକୁ ବାରମ୍ବାର ଆକ୍ରମଣ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ପାଖକୁ ଖରାପ ବ୍ୟବହାର ପ୍ରଦର୍ଶନ କରିବାକୁ ଯାଉ ନ ଥିବେ। ଭଲ ଭିଡିଓ କିମ୍ବା ଫଟୋ ପାଇଁ ଯାଉଥିବେ। ତେଣୁ ଏସ୍‌ପି ଏପରି ବ୍ୟବହାର ପ୍ରଦର୍ଶନ କରିବା କେତେଦୂର ଠିକ୍ ? ଜିଲ୍ଲାପାଳ ଓ ଏସ୍‌ପି ତ ବିଜେଡିର ଜିଲ୍ଲା ସଭାପତି ଓ ସମ୍ପାଦକ ପରି କାମ କରୁଥିବା କଥା ବିଜେପି ସବୁବେଳେ କହି ଆସିଛି। କେନ୍ଦ୍ରାପଡ଼ାରେ ତାହା ହିଁ ଘଟିଲା। ଲୋକଙ୍କ କଥା କହୁଥିବା ସାମ୍ବାଦିକଙ୍କୁ ଏପରି ବ୍ୟବହାର କରିଥିବା ଏସ୍‌ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ, କେନ୍ଦ୍ରାପଡ଼ା ଏସ୍‌ପି ଯେପରି ବ୍ୟବହାର କଲେ ତାହା ଦୁର୍ଭାଗ୍ୟଜନକ। ଏଠି ରାଜତନ୍ତ୍ର ନା ନବୀନତନ୍ତ୍ର ନା ପୁଲିସତନ୍ତ୍ର ଚାଲିଛି ? ଗଣତନ୍ତ୍ର କଦାପି ଚାଲିନି।

ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଲେ, କେନ୍ଦ୍ରାପଡ଼ା ଏସ୍‌ପି ସାମ୍ବାଦିକଙ୍କୁ ଧକ୍କା ମାରିବା ସହ ହାତ ଉଠାଇଛନ୍ତି। ପୂର୍ବରୁ ମଧ୍ୟ କିଟ୍‌ ବିଶ୍ବବିଦ୍ୟାଳୟରେ ଏମିତି ସାମ୍ବାଦିକଙ୍କୁ କର୍ତ୍ତୃପକ୍ଷ ମାଡ଼ ମାରିଥିଲେ। କିନ୍ତୁ ‌ତାହାର ମାଲିକଙ୍କୁ ବିଜେଡି ଟିକେଟ୍‌ ଦେଲା। ଚତୁର୍ଥ ସ୍ତମ୍ଭକୁ କାହିଁକି ସୁରକ୍ଷା ଦିଆଯାଉନି ? ବାଚସ୍ପତି ଏ ପ୍ରସଙ୍ଗରେ ରୁଲିଂ ଦିଅନ୍ତୁ। ବାଚସ୍ପତି କହିଥିଲେ, ଆପଣମାନେ କହିଥିବା କଥା ମୁଁ ଶୁଣିଛି। ତାହାକୁ ବିଚାର କରିବି। ଏସ୍‌ପି ମଧ୍ୟ କ୍ଷମା ମାଗିସାରିଛନ୍ତି। ଏତିକି କହି ବାଚସ୍ପତି ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ କହିବା ପାଇଁ ସୁଯୋଗ ଦେଲେ।

ବିଜେପି ସଭ୍ୟମାନେ ରୁଲିଂ ଦାବି କରି ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ପରବର୍ତ୍ତୀ ସମୟରେ ଏ କଥା ବିଚାର କରାଯିବ ବୋଲି ବାଚସ୍ପତି ଯେତେ କହିଥିଲେ ବି ସେମାନେ ଶୁଣି ନ ଥିଲେ। ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କଲେ। ପୁଲିସ୍ ଦାଦାଗିରି ଚଳିବ ନାହିଁ…, ପୁଲିସ୍ ଜୁଲମ୍ ବନ୍ଦ କର… ଏମିତି ସ୍ଲୋଗାନ୍‌ରେ ଗୃହ କମ୍ପିଲା। ସଭ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍‌ ତଳେ ବସି ସ୍ଲୋଗାନ୍ ଦେଲେ। ପରିସ୍ଥିତି ନିୟନ୍ତ୍ରଣକୁ ଆସୁ ନ ଥିବାରୁ ୧୧ଟା ୪୯ରେ ବାଚସ୍ପତି ଗୃହକୁ ୧୫ ମିନିଟ୍‌ ମୁଲତବୀ ରଖିଲେ। ତାହା ପରେ ୧୨ଟା ୪ରୁ ୧୫ ମିନିଟ୍‌, ୧୨ଟା ୧୯ରୁ ୧୨ଟା ୩୦, ପୁଣି ୧୨ଟା ୩୦ରୁ ୧୨ଟା ୪୦, ୧୨ଟା ୪୦ରୁ ୪୫, ୧୨ଟା ୪୫ରୁ ୧୨ଟା ୫୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଲା। ୧୨ଟା ୫୦ରେ ୬ ମିନିଟ୍‌ ପାଇଁ ଗୃହ ଚାଲିଲା। ତାହା ପରେ ଅପରାହ୍ନ ୩ଟା ଯାଏ ମୁଲତବୀ ରହିଲା।

ଅପରାହ୍ନ ୩ଟାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇ କହିଲେ, ପାଟଣାଗଡ଼ର ବିଧାୟକ ଜଣେ ଇଞ୍ଜିନିୟରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କଲେ ବୋଲି ଅଭିଯୋଗ ଆସିଲା। ବିଧାୟକ କ୍ଷମା ମାଗିଲା ପରେ ବି ତାଙ୍କୁ ଗିରଫ କରାଗଲା। ତେଣୁ କେନ୍ଦ୍ରାପଡ଼ା ଏସ୍‌ପି କ୍ଷମା ମାଗିଲା ପରେ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ? ବିଧାୟକ ଓ ପୁଲିସ ଅଫିସର୍‌ଙ୍କ ପାଇଁ କ’ଣ ଭିନ୍ନ ନିୟମ? ବିଧାୟକମାନେ କ’ଣ ଜଣେ ପୁଲିସ ଅଫିସର୍‌ଙ୍କଠାରୁ ନିକୃଷ୍ଟ ? ତେଣୁ ବାଚସ୍ପତି ଆଇନ ତା’ ବାଟରେ ଯାଉ ବୋଲି ରୁଲିଂ ଦିଅନ୍ତୁ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ତାରା ପ୍ରସାଦ ବା‌ହିନୀପତି ମଧ୍ୟ ସମାନ ଦାବି କରିଥିଲେ।

କିନ୍ତୁ ବାଚସ୍ପତି କୌଣସି ରୁଲିଂ ନ ଦେଇ ଗୃହ କାର୍ଯ୍ୟ ଚଳାଇବାକୁ ଉଦ୍ୟମ କଲେ। ପ୍ରତିବାଦରେ ବିଜେପି ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ। କଂ‌େଗ୍ରସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ପାଟିତୁଣ୍ଡ କଲେ। ବାଚସ୍ପତି ଓ ତାରାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। କଂଗ୍ରେସ ସଭ୍ୟମାନେ ବାଚସ୍ପତିଙ୍କ ବିରୋଧରେ ନାରାବାଜି କରିଥିଲେ। ୩ଟା ୩୧ରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଥିଲେ।

୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଲେ, ଗୃହକୁ ସ୍ବାଭାବିକ ଅବସ୍ଥାକୁ ନ ଆଣି ବାଚସ୍ପତି ଗୃହ ଚଳାଉଛନ୍ତି। ଏହା ନିନ୍ଦନୀୟ। ସରକାର ଓ ଶାସକ ଦଳ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ଏତିକି କହି ଶ୍ରୀ ମିଶ୍ରଙ୍କ ନେତୃତ୍ବରେ କଂଗ୍ରେସ ସଭ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ତଳେ ଧାରଣାରେ ବସିଥିଲେ। ବାଚସ୍ପତି ବାରମ୍ବାର ଅନୁରୋଧ କଲେ ବି ସେମାନେ ଯାଇ ନ ଥିଲେ। ୪ଟା ୧୦ରେ ବାଚସ୍ପତି ଅଧ ଘଣ୍ଟା ପାଇଁ ଗୃହକୁ ମୁଲତବୀ ରଖି ବିଜେଡି ଓ କଂଗ୍ରେସର ସଭ୍ୟମାନଙ୍କୁ ବୈଠକ ପାଇଁ ଡାକିଲେ। ୪ଟା ୪୦ରେ ପୁଣି ଆଉ ଅଧ ଘଣ୍ଟା ଗୃହକୁ ମୁଲତବୀ ରଖାଗଲା। ୫ଟା ୧୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବିଧାୟକ କିଶୋର ମହାନ୍ତିଙ୍କୁ ବିଜେପି ସଭ୍ୟମାନଙ୍କୁ ଯାଇ ଗୃହକୁ ଡାକିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଉଭୟ ବାହାରକୁ ଯାଇଥିଲେ ବି ବିଜେପି ସଭ୍ୟମାନଙ୍କୁ ପାଇ ନ ଥିଲେ। ଏହି ସମୟରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସମ୍ପର୍କରେ ବାଚସ୍ପତି ରୁଲିଂ ଦେଇଥିଲେ, ଆଇନ ତା’ ବାଟରେ ଯାଉ। ଏହା ପରେ ବିଜେପି ସଭ୍ୟମାନଙ୍କ ଅନୁପସ୍ଥିତିରେ ଯୋଜନା ଓ ସଂଯୋଜନ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇ ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର