ଜାଲ୍‌ ରସିଦ୍‌ କାରବାର ଘଟଣାରେ କନ୍‌ଷ୍ଟେବଲ୍‌ ଗିରଫ ହେବା ପରେ ଏଏସ୍‌ଆଇ ତଦୁର୍ଦ୍ଧ୍ବ ଅଧିକାରୀଙ୍କୁ ଜରିମାନା ଆଦାୟ କ୍ଷମତା

ସୂଚନା ଦେଲେ ବ୍ରହ୍ମପୁର ଏସ୍‌.ପି.

ବ୍ରହ୍ମପୁର: କରୋନା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ବେଳେ ଜାଲ୍‌ ରସିଦ୍‌ କାରବାର ଘଟଣାରେ ଜଣେ କନ୍‌ଷ୍ଟେବଲ୍‌ ଗିରଫ ହୋଇଛନ୍ତି। ଏହି ଜାଲିଆତି ଘଟଣାର ସମସ୍ତ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରାଯାଇଥିବା ପୁଲିସ ତଦନ୍ତ ବେଳେ ଜଣାପଡ଼ିଛି। ଛପା ହୋଇଥିବା ଜାଲ୍‌ ରସିଦ୍‌ ଏ ପର୍ଯ୍ୟନ୍ତ ପୁଲିସ ହାତରେ ଲାଗି ନାହିଁ। ତେଣୁ ତାହା ନଷ୍ଟ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି, ଯାହା ବିରୋଧରେ ପ୍ରମାଣ ମିଳିବ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର ସୂଚନା ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରେ ଜଣେ ମାତ୍ର ଅଭିଯୁକ୍ତଙ୍କ ସମ୍ପୃକ୍ତି ମିଳିଥିବା ପୁଲିସ କହୁଛି। କିନ୍ତୁ ସାଧାରଣ ଲୋକେ ଏହାକୁ ସହଜରେ ବିଶ୍ବାସ କରୁ ନାହାନ୍ତି। ଏହି ଜାଲ୍‌ କାରବାର ପଛରେ ଏକ ରାକେଟ୍‌ କାମ କରୁଥିବା ନେଇ ଚର୍ଚ୍ଚା ହେଉଛି। କନ୍‌ଷ୍ଟେବଲ୍‌ ଜଣକ ଅନ୍ୟ ବଡ଼ମୁଣ୍ଡକୁ ବଞ୍ଚାଇବାକୁ ଯାଇ ସବୁ ଦୋଷ ନିଜ ମୁଣ୍ଡରେ ନେଇ ଯାଇଥିବା ମଧ୍ୟ ଆଲୋଚନା ଶୁଣିବାକୁ ମିଳୁଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
କୋଭିଡ୍‌-୧୯ ପାଇଁ ମାସ୍କ୍‌ ବାଧ୍ୟତାମୂଳକ କରାଯାଇଛି। ପୁଲିସ ବିଭିନ୍ନ ଛକରେ ଜଗି ରହି ହେଲମେଟ୍‌ ଓ ମାସ୍କ ଯାଞ୍ଚ କରୁଛି। ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ ବେଳେ ଦିଆଯାଉଥିବା ରସିଦ୍‌ ଜାଲ୍‌ କରାଯାଇଥିବା ଜଣାପଡ଼ିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣାରେ ଜଣେ କନ୍‌ଷ୍ଟେବଲ୍‌ଙ୍କ ସମ୍ପୃକ୍ତି ଜଣାପଡ଼ିବା ପରେ ବ୍ରହ୍ମପୁର ଏସ୍‌.ପି. ଘଟଣାକୁ ଗୁରୁତ୍ବର ସହ ନେଇ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଦ୍ୟନାଥପୁର ଥାନା ପୁଲିସ ଟ୍ରାଫିକ୍‌ ଥାନାରେ କାର୍ଯ୍ୟରତ କନ୍‌ଷ୍ଟେବଲ୍‌ କୃଷ୍ଣଚନ୍ଦ୍ର ନାୟକଙ୍କୁ ଗିରଫ କରି ଗତ ୨୦ତାରିଖରେ କୋର୍ଟ ଚାଲାଣ କରିଥିଲା। ଆସନ୍ତା ୨୫ତାରିଖରେ ତାଙ୍କର ଜାମିନ୍‌ ଶୁଣାଣି ହେବ ବୋଲି ସୂଚନା ମିଳିଛି।
ଏଏସ୍‌ଆଇରୁ ତଦୁର୍ଦ୍ଧ୍ବ ଅଧିକାରୀଙ୍କୁ ନେଇ ଗଠିତ ଟିମ୍‌ କେବଳ ଜରିମାନା ଆଦାୟ କରି ପାରିବେ। ସେହିପରି ଅଧିକାରୀ ଜଣକ ୟୁନିଫର୍ମରେ ଥିବା ସହିତ ତାଙ୍କର ନେମ୍‌ପ୍ଲେଟ୍‌ ମଧ୍ୟ ରହିଥିବ। ବିନା ୟୁନିଫର୍ମରେ କୌଣସି ଅଧିକାରୀ ଜରିମାନା ଆଦାୟ କରି ପାରିବେ ନାହିଁ ବୋଲି ବ୍ରହ୍ମପୁର ଏସ୍‌.ପି. ନିର୍ଦ୍ଦେଶ ଜାରି କରିଛନ୍ତି। ଯଦି ଏପରି ଘଟଣା ନଜରକୁ ଆସେ ତେବେ ତୁରନ୍ତ ନିକଟସ୍ଥ ଥାନାକୁ ଖବର କରିବାକୁ କୁହାଯାଇଛି। ଏପରିକି ଆବଶ୍ୟକସ୍ଥଳେ ଜରିମାନା ଦେବା ସମୟରେ ସାଧାରଣ ନାଗରିକ ସମ୍ପୃକ୍ତ ଅଧିକାରୀଙ୍କୁ ତାଙ୍କର ପରିଚୟ ପଚାରି ପାରିବେ ବୋଲି ଏସ୍‌.ପି. କହିଛନ୍ତି।

ସମ୍ବନ୍ଧିତ ଖବର