ରାଉରକେଲା: ସ୍ପେସ୍ ଟେକ୍ନୋଲୋଜି ଇନ୍କ୍ୟୁବେସନ ସେଣ୍ଟର୍(ଏସ୍-ଟିଆଇସି) ସ୍ଥାପନ ପାଇଁ ଆଜି ଏନ୍ଆଇଟି ଓ ଇସ୍ରୋ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଅନ୍ଲାଇନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଇସ୍ରୋ ଅଧ୍ୟକ୍ଷ ଡ. କେ. ଶିବନ ସମ୍ଭାଷଣରେ କହିଲେ, ଏସ୍ଟିଆଇସି ମାଧ୍ୟମରେ ଛାତ୍ରଛାତ୍ରୀ ବହୁଳଭାବରେ ଉପକୃତ ହେବେ। ଏଠାରୁ ଜ୍ଞାନ ଆହରଣ କରି ମହାକାଶ ବିଜ୍ଞାନ ସଂପର୍କୀତ ଗବେଷଣାକୁ ତ୍ବରାନ୍ବିତ ଓ ବ୍ୟାପକ କରିବାସହ ନୂଆ ଷ୍ଟାର୍ଟଅପ୍ ସୃଷ୍ଟି କରିପାରିବେ।
ଇସ୍ରୋ ପ୍ରଦତ୍ତ ବାସ୍ତବିକ ପ୍ରକଳ୍ପର ଗବେଷଣା କରିବାକୁ ଛାତ୍ରଛାତ୍ରୀ ସୁଯୋଗ ପାଇବେ। ଏସବୁକୁ ଭବିଷ୍ୟତରେ ମହାକାଶ ମିସନରେ ବ୍ୟବହୃତ କରାଯିବ। ଯାହାକି ଆତ୍ମ ନିର୍ଭର ଭାରତ ଗଠନ ଅଭିଯାନରେ ପ୍ରମୁଖ ଭୂମିକା ନିର୍ବାହ କରିବବୋଲି କହିଥିଲେ। ପୂର୍ବ ଭାରତରେ ଏସ୍ଟିଆଇସି ସ୍ଥାପନ ପାଇଁ ଅନୁଷ୍ଠାନକୁ ଚୟନ କରାଯାଇଥିବାରୁ ଏନ୍ଆଇଟି ନିର୍ଦ୍ଦେଶକ ପ୍ରଫେସର ଅନୀମେଶ ବିଶ୍ବାସ ସାଧୁବାଦ ଜଣାଇଥିଲେ।
ସିବିପିଓ(ଇସ୍ରୋ) ନିର୍ଦ୍ଦେଶକ ଡ. ପି.ଭି. ଭେଙ୍କିଟକ୍ରିଷ୍ଣନ ସ୍ବାଗତ ଭାଷଣ ଦେବାସହ ଦେଶର ବିଭିନ୍ନ ପ୍ରାନ୍ତରେ ୬ଟି ଏସ୍ଟିଆଇସି ସ୍ଥାପନର ଉଦ୍ଦେଶ୍ୟ ଓ ଗୁରୁତ୍ବ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ପ୍ରକାଶଥାଉକି, ଇସ୍ରୋ ପକ୍ଷରୁ ଏନ୍ଆଇଟିକୁ ବାର୍ଷିକ ୨ କୋଟି ଲେଖାଏଁ ଅନୁଦାନ ଦିଆଯିବ। ଏହି ଅନୁଦାନରେ ଏସ୍ଟିଆଇସି ସ୍ଥାପନ ସହ ଗବେଷଣା, ଉତ୍ପାଦର ବିକାଶରେ ବ୍ୟୟ କରାଯିବ। ପ୍ରଫେସର ସୁସ୍ମିତା ଦାସ ଏହାର ସଂଯୋଜକ ଦାୟିତ୍ବ ତୁଲାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/cc66ca3b-99cc-4411-abc0-00a6bfb9ebf7.jpg)