ମନ କିଣିନେଲେ ସ୍ପେନ ସୁନ୍ଦରୀ, ଓଡ଼ିଆ ବୋହୂ ସାଜିଲେ ବିଦେଶୀ ଝିଅ

ଭୁବନେଶ୍ୱର: ବିଦେଶୀ ଝିଅ ସାଜିଲେ ଓଡ଼ିଆ ବୋହୂ | ମଥାରେ ସିନ୍ଦୁର ସହ ପାଦରେ ଅଳତା ନାଇଲେ ଆଉ ସାତ ଜନ୍ମ ପାଇଁ ଓଡ଼ିଆ ପୁଅଙ୍କ ସହ ରହିବାକୁ ଶପଥ ବି ନେଲେ | ଭୁବନେଶ୍ୱରର ଏକ ତାରକା ହୋଟେଲରେ ରବିବାର ଦିନ ଏମିତି ଏକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଯେଉଁଠାରେ ନିଜର ମନର ମଣିଷ ସହ ସୁଖର ସଂସାର କରିବା ପାଇଁ ସୁଦୂର ସ୍ପେନରୁ ଧାଇଁଆସିଥିଲେ ଯୁବତୀ ମାର୍ତ୍ତା ସାନ୍ତାମାରିଆ | ମାର୍ତ୍ତାଙ୍କ ସ୍ୱାମୀ ସାଜିଥିଲେ ଓଡ଼ିଆ ପୁଅ ତଥା ଲଣ୍ଡନର ବ୍ୟାଙ୍କ ଅଫ ଇଂଲଣ୍ଡରେ ଅର୍ଥନୀତିଜ୍ଞ ଥିବା ଜଗଦୀଶ ତ୍ରିପାଠୀ |


ମିଳିଥିବା ସୂଚନା ମୁତାବକ ଡାକ୍ତର ବିଜୟ କୁମାର ତ୍ରିପାଠୀ ଓ ଡାକ୍ତର ଶୁଭ୍ରା ତ୍ରିପାଠୀଙ୍କ ଏକମାତ୍ର ପୁଅ ଜଗଦୀଶ ଭୁବନେଶ୍ୱରରେ ନିଜ ପାଠପଢା ସାରିବା ପରେ ସିଙ୍ଗାପୁରରେ ଇଂଜିନିୟରିଂ ପାଠ୍ୟକ୍ରମ ସାରିଥିଲେ | ଏହାପରେ ସେ ସ୍ପେନର ବାରସୀଲୋନାରେ ଅର୍ଥନୀତିରେ ସ୍ନାତୋକୋତ୍ତର ସମ୍ପୂର୍ଣ୍ଣ କରିଥିଲେ | ସ୍ପେନରେ ଅର୍ଥନୀତିରେ ପିଏଚଡି କରୁଥିବାବେଳେ ତାଙ୍କର ସହପାଠୀ ଥିଲେ ମାର୍ତ୍ତା | ମାର୍ତ୍ତା ମଧ୍ୟ ଅର୍ଥନୀତିରେ ପିଏଚଡି କରୁଥିଲେ | କିଛିଦିନର ମିଳାମିଶା ପରେ ଦୁହିଁଙ୍କ ମନ ମିଶିଥିଲା | ଏହାପରେ ପ୍ରେମରେ ପଡିଯାଇଥିଲେ ଉଭୟ ଜଗଦୀଶ ଓ ମାର୍ତ୍ତା | ସ୍ପେନରେ ପିଏଚଡି ସାରିବା ପରେ ଉଭୟ ଲଣ୍ଡନରେ ଚାକିରି ପାଇଥିଲେ |

ପାଖାପାଖି ୬ ବର୍ଷର ପ୍ରେମ ପରେ ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ | ଏହାପରେ ନିଜର ପରିବାରଙ୍କୁ ଏ ବାବଦରେ କହିଥିଲେ | ଉଭୟ ପକ୍ଷର ସମ୍ମତି ପରେ ରବିବାର ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା | ନିଜ ବିବାହକୁ ନେଇ ଜଗଦୀଶଙ୍କ କହିବା କଥା ଯେ ଇଚ୍ଛା ଥିଲା ହିନ୍ଦୁ ରୀତିନୀତିରେ ଓଡିଶାରେ ହିଁ ବିବାହ କରିବେ | ଏହାପରେ ମାର୍ତ୍ତାଙ୍କ ପରିବାର ସଦସ୍ୟଙ୍କୁ ଓଡ଼ିଶାରେ ବିବାହ ପାଇଁ କହିଥିଲେ | ଯେଉଁଥିରେ ସେମାନେ ମଧ୍ୟ ରାଜି ହୋଇଯାଇଥିଲେ |

ଉପସ୍ଥିତ ବିଦେଶୀ ଅତିଥି

ସେହିପରି ମାର୍ତ୍ତା କହିଛନ୍ତି ଯେ ଓଡିଶା ଆସି ସେ ବହୁତ ଖୁସି | ଏଭଳି ବିବାହ କରିବା ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା | ବିବାହକୁ ନେଇ ମାର୍ତ୍ତାଙ୍କ ଶ୍ୱଶୁର ତଥା ଡାକ୍ତର ବିଜୟ କୁମାର ତ୍ରିପାଠୀ କହିଛନ୍ତି ଯେ ପିଲାମାନଙ୍କର ଖୁସି ହିଁ ସବୁଠାରୁ ବଡ଼କଥା | ଯଦି ଝିଅ ଘର ଆମକୁ ଆପଣେଇସାରିଛନ୍ତି ଆମେ କାହିଁକି ମନା କରିବା | ଗତକାଲି ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଏହି ବିବାହ କାର୍ଯ୍ୟକ୍ରମରେ ଲଣ୍ଡନ, ସିଙ୍ଗାପୁର ଓ ସ୍ପେନରୁ ପାଖାପାଖି ୪୦ ଜଣ ଅତିଥି ଯୋଗ ଦେଇଥିଲେ | ସ୍ପେନରୁ ଆସିଥିବା ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟପେୟର ଆୟୋଜନ ହୋଇଥିବାବେଳେ ଓଡ଼ିଶାର ରସଗୋଲା ସହ ବିଭିନ୍ନ ଓଡ଼ିଆ ଖାଦ୍ୟ ପରସା ଯାଇଥିଲା |

ସମ୍ବନ୍ଧିତ ଖବର