ବିଲୁପ୍ତ ହୋଇଯିବେ ଘରଚଟିଆ: ଦିଲ୍ଲୀ, ବିହାରର ରାଜ୍ୟପକ୍ଷୀ, ଓଡ଼ିଶାରେ ସଂରକ୍ଷଣ ଉଦ୍ୟମ ନାହିଁ

ବ୍ରହ୍ମପୁର : ଆଉ ଶୁଣିବାକୁ ମିଳୁନି କିଚିରି ମିଚିର ଶବ୍ଦ। ଘରର ପକ୍ଷୀ ଘର ଚଟିଆ କୁଆଡ଼େ ହଜିଗଲାଣି। ଚାଳଘର, ସ୍କାଏ ଲାଇଟ୍‌, କାନ୍ଥର ସନ୍ଧି, ଲାଇଟ୍‌ ପୋଷ୍ଟ୍‌ ଭଳି ସ୍ଥାନରେ ଘର ଚଟିଆ ତାଙ୍କର ବସା କରିଥାନ୍ତି। ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିବା ପରେ ସମୟ କ୍ରମେ ଛାତ ଘର, କ˚କ୍ରିଟ୍‌ ରାସ୍ତା, ମୋବାଇଲ୍‌ ଟାଵାର‌୍‌ ଓ ବିଦ୍ୟୁତ୍‌ ଖୁଣ୍ଟ ସ˚ଖ୍ୟା ବୃଦ୍ଧି ପାଇବାରୁ ଘର ଚଟିଆ ପକ୍ଷୀ ସଂଖ୍ୟା ଧୀରେ ଧୀରେ ଲୋପ ପାଇବାରେ ଲାଗିଛି। ଘର ଚଟିଆର ବଂଶ ବୃଦ୍ଧି ସହିତ ସଂରକ୍ଷଣ ପାଇଁ ଦିଲ୍ଲୀ ଓ ବିହାରରେ ଅଭିନବ ଉଦ୍ୟମ କରାଯାଇଛି। ସେଠାକାର ସରକାର ଘର ଚଟିଆକୁ ରାଜ୍ୟ ପକ୍ଷୀର ମାତ୍ୟତା ଦେଇଛନ୍ତି। କିନ୍ତୁ ଓଡ଼ିଶା ସରକାର ଘର ଚଟିଆର ସଂରକ୍ଷଣ ଦିଗରେ ସେଭଳି ଆଖି ଦୃଶିଆ ଉଦ୍ୟମ କରୁ ନାହାନ୍ତି। ଦିନକୁ ଦିନ ବଦଳୁଥିବା ପରିବେଶରେ ଘର ଚଟିଆ ଖାପ ଖୁଆଇ ପାରୁ ନାହାନ୍ତି। ଏଣୁ ଏମାଙ୍କର ବଂଶ ଲୋପ ପାଇଯିବା ଭଳି ସ୍ଥିତିରେ ପହଞ୍ଚିଗଲାଣି।

ପ୍ରକୃତି ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ଆଇୟୁସିଏନ୍‌ (ଇଣ୍ଟର୍‌ନ୍ୟାସ୍‌ନାଲ୍‌ ୟୁନିଅନ୍‌ ଫର୍‌ କନ୍‌ସର୍‌ଭେସନ୍‌ ଅଫ୍‌ ନେଚର୍‌) ନାମରେ ଏକ ଅନ୍ତର୍ଜାତୀୟ ସଂସ୍ଥା ଗଠିତ ହୋଇଛି। ଏହାର ରିପୋର୍ଟ ଅନୁସାରେ ଘର ଚଟିଆଙ୍କ ସଂଖ୍ୟା ୮୦ ପ୍ରତିଶତ କମି ସାରିଲାଣି। ଯାହାକି ଚିନ୍ତାର କାରଣ ହୋଇଛି। ପୂର୍ବଭଳି ଘରମାନଙ୍କରେ ଆଉ ଘର ଚଟିଆ ଦେଖାଯାଉ ନାହାନ୍ତି। ସରକାରୀସ୍ତରରେ ମଧ୍ୟ ସେଭଳି କିଛି ଖାସ୍‌ ଉଦ୍ୟମ ହେଉ ନାହିଁ। ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ କାମ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନମାନେ ଏଭଳି ପଶୁ ଓ ପକ୍ଷୀ ସଂରକ୍ଷଣ ପାଇଁ କାର୍ଯ୍ୟ ଜାରି ରଖିଛନ୍ତି।

ଏଥିପାଇଁ ମାର୍ଚ୍ଚ ୨୦ତାରିଖରେ ବିଶ୍ବ ଘର ଚଟିଆ ଦିବସ ପାଳନ କରାଯାଉଛି। ବିକାଶ ନାମରେ ପ୍ରକୃତିର ବିନାଶ ଜାରି ରହିଥିବା ଯୋଗୁଁ ଏମାନଙ୍କ ସଂଖ୍ୟା ଦିନକୁ ଦିନ ଲୋପ ପାଇବାରେ ଲାଗିଛି। ଜଗତୀକରଣର ପ୍ରଭାବରେ ଗାଁ ଗୁଡ଼ିକ ସହର ସହ ତାଳ ଦେଇ ବିକଶିତ ହେବାରେ ଲାଗିଛି। ପୂର୍ବଭଳି ଆଉ ଚାଳ ଓ ଖପର ଘର ଦେଖିବାକୁ ମିଳୁ ନାହିଁ। ସବୁଜ ଜଙ୍ଗଲ ସଫା କରି କଂକ୍ରିଟ ଜଙ୍ଗଲ ସୃଷ୍ଟି କରାଯାଉଛି। ଫଳରେ ଘର ଚଟିଆ ତାଙ୍କର ବସା ହରାଇ ବସୁଛନ୍ତି। ସହର ଠାରୁ ଆରମ୍ଭ କରି ଗାଁରେ ମଧ୍ୟ ଗଛଲତା ସଫା କରି ଦିଆଯାଉଛି। ଘର ଚଟିଆ ସେହି ଗଛରୁ ଆଉ ପୂର୍ବଭଳି ଖାଦ୍ୟ ପାଇପାରୁ ନାହାନ୍ତି। ବୃକ୍ଷରୋପଣ ନାଁରେ ଯେଉଁ ଚାରା ରୋପଣ କରାଯାଉଛି ତାହା ଘର ଚଟିଆଙ୍କ ପାଇଁ ସମ୍ପୂର୍ଣ୍ଣ ଅଚିହ୍ନା। ସେଥିପାଇଁ ଘର ଚଟିଆ ସେଠାରେ ତାଙ୍କର ବସା କରିପାରୁ ନାହାନ୍ତି। ପରିବେଶ ପ୍ରଦୂଷଣ ସହିତ ମୋବାଇଲ୍‌ ଟାୱାର୍‌ରୁ ସୃଷ୍ଟି ହେଉଥିବା ତରଙ୍ଗ ମଧ୍ୟ ଏମାନଙ୍କ ପାଇଁ କାଳ ହୋଇଛି। ଯାହାକି ହିନ୍ଦୀ ଚଳଚିତ୍ର ‘୨.୦’ରେ ପ୍ରଦର୍ଶିତ କରାଯାଇଛି।

ଏହି ଘର ଚଟିଆଙ୍କ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଣାବନ୍ଧ ଗ୍ରାମର ରବୀନ୍ଦ୍ର ନାଥ ସାହୁ। ୨୦୦୭ରୁ ସେ ଘର ଚଟିଆଙ୍କ ସୁରକ୍ଷା ପାଇଁ କାମ କରି ଆସୁଛନ୍ତି। କୃତ୍ରିମ ବସା ତିଆରି କରି ଏମାନଙ୍କୁ ବଞ୍ଚିବା ପାଇଁ ରାହା ଦେଖାଉଛନ୍ତି। ବିନା କୌଣସି ସରକାରୀ ସହାୟତାରେ ସେ ନିଜସ୍ବ ଉଦ୍ୟମରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର, ବାଘଝରି, ଅନୁଗୁଳ, ଭୁବନେଶ୍ବର, ସୁନ୍ଦରଗଡ଼, ବଣାଇ, ବାଲୁଗାଁ, କେନ୍ଦୁଝର, ପାରଦୀପ, ରାଉରକେଲା, ସୋନପୁର ଭଳି ସ୍ଥାନରେ ଘର ଚଟିଆ ସଂରକ୍ଷଣ ପାଇଁ କୃତ୍ରିମ ବସା ସ୍ଥାପନ କରିଛନ୍ତି।

ନିକଟରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ମାଲକାନଗିରି‌ ଜିଲ୍ଲାରେ ମଧ୍ୟ କୃତ୍ରିମ ବସା ସ୍ଥାପନ କରାଯାଇଥିବା ଶ୍ରୀ ସାହୁ କହିଛନ୍ତି। କାଠ, ନଡ଼ିଆ ଖୋଳପା, ବାଉଁଶ ଭଳି ସାମଗ୍ରୀରେ ଘର ଚଟିଆଙ୍କ ପାଇଁ କୃତ୍ରିମ ବସା ତିଆରି କରାଯାଉଥିବା ଶ୍ରୀ ସାହୁ କହିଛନ୍ତି। ଘର ଚଟିଆ ସଂରକ୍ଷଣ ପାଇଁ ତାଙ୍କୁ ୨୦୧୫ରେ ଜାତୀୟସ୍ତରରେ ୱିପ୍ରୋ (ନେଚର୍‌ ଫର୍‌ ଏଭର୍‌) ତରଫରୁ ମୁମ୍ବାଇରେ ତାଙ୍କୁ ପୁରସ୍କୃତ କରାଯାଇଛି। ଘର ଚଟିଆଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଓଡ଼ିଶା ସରକାର କିଛି ଦୃଢ଼ ପଦକ୍ଷେପ ଗ୍ରହଣ କଲେ ଏମାନଙ୍କ ବଂଶ ବିସ୍ତାର ହୋଇପାରିବ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର