ଭୁବନେଶ୍ବର: ମଙ୍ଗଳବାର ବାଚସ୍ପତି କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ନିଲମ୍ବନ କରିବା ପରେ ସେମାନେ ଗୃହରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧାରଣାରେ ବସିଥିଲେ। ହେଲେ ରାତି ପ୍ରାୟ ୨ଟାରେ ବିଧାନସଭାର ମାର୍ଶାଲ ଓ ସୁରକ୍ଷାକର୍ମୀ ତାଙ୍କୁ ମାଡ଼ ମାରି ଗୃହରୁ ବିଦା କରିଦେଇଥିବା ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ଆଜି ବାଚସ୍ପତି ସୁରମା ପାଢ଼ୀ ଗୃହରେ ବିବୃତି ରଖିଛନ୍ତି। ବାଚସ୍ପତି କହିଛନ୍ତି ଯେ କଂଗ୍ରେସ ବିଧାୟକମାନଙ୍କ ହିଂସାତ୍ମକ ଆଚରଣକୁ  ଉପଲବ୍ଧି କରି ସମସ୍ତ ସଦସ୍ୟଙ୍କୁ ଗୃହ ମଧ୍ୟରୁ ବାହାର କରିବା ପାଇଁ ବିଧାନସଭାର ମାର୍ଶାଲ ଓ ସୁରକ୍ଷାକର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଦେଶ ଅନୁଯାୟୀ ମାର୍ଶାଲ ଓ ସୁରକ୍ଷାକର୍ମୀମାନେ କେତେକ ସଦସ୍ୟଙ୍କୁ ଗୃହମଧ୍ୟରେ ବସିଥିବା ଧାରଣାରୁ ଉଠାଇ ଲବି ବାହାରେ ଥିବା ବିଧାନସଭା ଗେଟ୍ ବାହାରେ ସସମ୍ମାନେ ଛାଡ଼ି ଦେଇଥିଲେ। ଅନ୍ୟ ସମସ୍ତ ସଦସ୍ୟ ସ୍ବତଃପ୍ରବୃତ୍ତ ଭାବେ ବିଧାନସଭା ବାହାରକୁ ଚାଲି ଯାଇଥିଲେ।

Advertisment

ବାଚସ୍ପତି କହିଛନ୍ତି, ଚଳିତ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ ତାରିଖଠାରୁ ପ୍ରତ୍ୟେକ ଦିନ ବିରୋଧୀ ଦଳର କେତେକ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ବିଭିନ୍ନ ବିଷୟରେ ପ୍ଲାକାର୍ଡ, ପୋଷ୍ଟର, ବ୍ୟାନର ଆଦି ପ୍ରଦର୍ଶନ କରିବା ସହ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇଆସୁଥିଲେ। ‌ମାର୍ଚ୍ଚ ୨୦ରେ କେ‌େତକ ସଦସ୍ୟ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ହାତରେ କଳାବ୍ୟାଚ୍ ପିନ୍ଧି, କଳା ପୋଷାକ ପରିଧାନ କରି ଗୃହର ମଧ୍ୟଭାଗରେ ହୁଇସିଲ୍ ବଜାଇବା, ଘଣ୍ଟ, ଘଣ୍ଟି, ତୂରୀ, ବଂଶୀ ଆଦି ବଜାଇ ଗୃହ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି କରୁଥିଲେ। ଏହା ଶୋଭନୀୟ କାର୍ଯ୍ୟ ନୁହେଁ ବୋଲି ଗୃହର ସମସ୍ତ ସଦସ୍ୟ ଜାଣିଛନ୍ତି। ଏହି ସବୁ କାର୍ଯ୍ୟ ଗୃହର ପରମ୍ପରା, ଶୃଙ୍ଖଳା ଓ ପଦ ମର୍ଯ୍ୟାଦା ଭଙ୍ଗ କରୁଥିଲା।

ଗୃହରେ ବିବୃତି ରଖିଲେ ବାଚସ୍ପତି
ବିବୃତି ଏକପାଖିଆ, ଏଥିରେ ସମଗ୍ର ଘଟଣାର ପ୍ରତିଫଳନ ହୋଇନାହିଁ: ପ୍ରସନ୍ନ ଆଚାର୍ଯ୍ୟ
୧୨ ଦିନରେ ୩୯ ଘଣ୍ଟାର ଆଲୋଚନା ହୋଇପାରିଲାନି

ଏହାସହ ବାଚସ୍ପତି କହିଛନ୍ତି, ଚଳିତ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ମୋଟ୍ ୧୨ଟି ବୈଠକ ଦିବସ ମଧ୍ୟରୁ ମାତ୍ର ୨ଟି ‌ବୈଠକ ଦିବସରେ ପ୍ରଶ୍ନୋତ୍ତର କାର୍ଯ୍ୟ ସଂପାଦନ କରାଯାଇ ୮ଟି ପ୍ରଶ୍ନର ଆଲୋଚନା କରାଯାଇଛି। ଦ୍ବିତୀୟତଃ ଏହି ୧୨ଟି ବୈଠକ ଦିବସରେ ବିରୋଧୀ ଦଳର ସଦସ୍ୟଙ୍କ ବିଶୃଙ୍ଖଳା ପାଇଁ ଗୃହରେ ପ୍ରାୟ ୩୯ ଘଣ୍ଟା ୨ ମିନିଟ ସମୟ କୌଣସି ଆଲୋଚନା ହୋଇ ପାରିନାହିଁ। ଯାହା ଅତ୍ୟନ୍ତ ନୈରାଶ୍ୟଜନକ। ବିରୋଧୀ ଦଳ ବିଧାୟକଙ୍କୁ ବିଶୃଙ୍ଖଳିତ ଆଚରଣରୁ ନିବୃତ୍ତ ରହିବା ପାଇଁ ବାରମ୍ବାର ଅନୁରୋଧ କରାଯାଇଥିଲା। ଗୃହର ସୁପରିଚାଳନା ପାଇଁ ୪ ଥର ସର୍ବଦଳୀୟ ବୈଠକ ଡକାଯାଇ ଆଲୋଚନା କରାଯାଇଥିଲା। କିନ୍ତୁ ବା‌ରମ୍ବାର ଅନୁରୋଧ ସତ୍ତ୍ବେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ସହ ଜାଣିଶୁଣି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିଲେ। ଗୃହର ପଦ ମର୍ଯ୍ୟାଦା ରଖିବା ପାଇଁ ଏଭଳି ବିଶୃଙ୍ଖଳିତ ଆଚରଣ ନ କରିବାକୁ ଉପବାଚସ୍ପତି ମା‌ର୍ଚ୍ଚ ୨୧ରେ ରୁଲିଂ ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ବେ କଂଗ୍ରେସ ବିଧାୟକମାନଙ୍କ ଆଚରଣରେ କୌଣସି ପରିବର୍ତ୍ତନନ ହେବାରୁ ୨୫ ତାରିଖରେ ୧୨ ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଥିଲା। ଗୃହର ନିୟମ ଅନୁଯାୟୀ, ନିଲମ୍ବିତ ବିଧାୟକମାନେ ଗୃହ ପରିତ୍ୟାଗ କରିବା କଥା। କିନ୍ତୁ ସେମାନେ ଗୃହ ପରିତ୍ୟାଗ ନ କରି ଧାରଣାରେ ବସିଥିଲେ। ରାତି ସାରା ସେମାନେ ଗୃହରେ ଧାରଣା ଦେବେ ବୋଲି ଜାଣିବା ପରେ ସେମାନଙ୍କ ପାଇଁ ସମସ୍ତପ୍ରକାରର ବନ୍ଦୋବସ୍ତ ଓ ପଦକ୍ଷେପ ନେବାକୁ ବିଧାନସଭା ସଚିବାଳୟକୁ ନିର୍ଦ୍ଦେଶ ଦେଇଥିଲି। ତଦନୁଯାୟୀ ସବୁ ବ୍ୟବସ୍ଥା ବି ହୋଇଥିଲା। ହେଲେ ରାତି ୯ଟା ବେଳେ କଂଗ୍ରେସ ବିଧାୟକମାନେ ବିଧାନସଭା ସଚିବାଳୟର ବାରଣ୍ଡାକୁ ଆସି ତାଙ୍କର ପିଏସ୍ଓ ଏବଂ ପୂର୍ବରୁ‌ ସେମାନଙ୍କ ସହ ଆସିଥିବା ରାଜନୈତିକ କର୍ମୀମାନଙ୍କ ସହ ମିଶି ମାର୍ଶାଲ ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ସୁରକ୍ଷାକର୍ମୀମାନେ କ୍ଷତବିକ୍ଷତ ହୋଇଥିଲେ। ଏବେ ସେମାନେ ଚିକିତ୍ସାଧୀନ ଅଛନ୍ତି। ଏହି ହିଂସାତ୍ମକ ଆଚରଣ ପାଇଁ ସେମାନଙ୍କୁ ଗୃହରୁ ଉଠାଇ ନିଆଯାଇଥିଲା।

ବାଚସ୍ପତିଙ୍କ ବିବୃତି ଉପରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଏହି ବିବୃତି ଏକପାଖିଆ, ଏଥିରେ ସମଗ୍ର ଘଟଣାର ପ୍ରତିଫଳନ ହୋଇନାହିଁ। ଏହି ଘଟଣା ରାଜ୍ୟ ବିଧାନସଭା ଇତିହାସର ଏକ ବିରଳ ଘଟଣା, ପୂର୍ବରୁ ଏପରି ଘଟଣା କେବେ ଘଟିନଥିଲା। ଗୃହ ଚଳାଇବା ପାଇଁ ଉଭୟ ସରକାରୀ ଓ ବିରୋଧୀ ଦଳର ଆବଶ୍ୟକତା ରହିଛି। କିନ୍ତୁ ସରକାରୀ ଦଳ ବିରୋଧୀ ଦଳକୁ ବାଦ୍‌ ଦେଇ ବିଧାନସଭା ଚଳାଇବାକୁ ଚାହୁଛନ୍ତି। ସରକାର ସହନଶୀଳ ହେବାର ଆବଶ୍ୟକତା ଅଛି, କିନ୍ତୁ ସରକାର ଅସହିଷ୍ଣୁ ହୋଇପଡ଼ୁଛନ୍ତି। ବିରୋଧୀ ଦଳର ସମାଲୋଚନାକୁ ଗ୍ରହଣ କରିପାରୁନାହାନ୍ତି। ସେହିପରି ଗୃହ ଭିତରକୁ ବାହାର ଲୋକଙ୍କ ପ୍ରବେଶର ବାରଣ ରହିଛି। ଆମେ ଜାଣିବାକୁ ପାଉଛୁ, ଗତକାଲି ଗୃହରୁ  କଂଗ୍ରେସ ବିଧାୟକଙ୍କୁ ବାହାର କରିବା ପାଇଁ କିଛି ବାହାର ଲୋକ ଭିତରକୁ ପ୍ରବେଶ କରିଥିଲେ। ଗୃହର ପରମ୍ପରାକୁ ସରକାର ଭାଙ୍ଗୁଛନ୍ତି। ଏହା ନିନ୍ଦନୀୟ।