ଧାନର ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ : ଏଥର ପ୍ରଧାନମନ୍ତ୍ରୀଙ୍କୁ ନିଜେ ଲେଖିବେ ବାଚସ୍ପତି

ଭୁବନେଶ୍ୱର : ଧାନର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟକୁ ୨୯୩୦ ଟଙ୍କା ଧାର୍ଯ୍ୟ କରାଯିବା ନେଇ ବିଧାନସଭା ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଦୁଇ ଦୁଇ ଥର ପ୍ରସ୍ତାବ ଦେଇଛି। ଏ ନେଇ ଗୃହ କମିଟି ପକ୍ଷରୁ ଚିଠି ଦିଆଯାଇଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଥରେ ବି ପ୍ରାପ୍ତିସ୍ୱୀକାର କରିନାହିଁ। ବରଂ ସେହି ପ୍ରସ୍ତାବ ସମ୍ବଳିତ ଚିଠିକୁ ଅଳିଆଗଦାରେ ଫୋପାଡ଼ି ଦେଇଛି ପିଏମ୍‌ଓ। ଏହି ସାକ୍ଷାତ ପ୍ରସ୍ତାବକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏଭଳି ଆଚରଣକୁ ବିଧାନସଭା ଭିତରେ ଏବଂ ବାହାରେ ତୀବ୍ର ନିନ୍ଦା କରାଯାଇଛି। ଏହା ସତ୍ତ୍ୱେ ଏଥର ବାଚସ୍ପତି ପ୍ରଦୀପ କୁମାର ଅମାତ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବେ ବୋଲି ଆଜିର ଗୃହ କମିଟି ବୈଠକରେ ଦଳମତ ନିର୍ବିଶେଷରେ ନିଷ୍ପତ୍ତି ନିଆଯାଇଛି।

ଆଜି ସନ୍ଧ୍ୟାରେ ବିଧାନସଭା ରୁମ୍‌ ନଂ ୫୪ରେ ବାଚସ୍ପତି ଶ୍ରୀ ଅମାତଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଶେଷରେ ଗୃହ କମିଟିର ନିଷ୍ପତ୍ତିି ସଂପର୍କରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ। କହିଥିଲେ, ଆଜିର ଗୃହ କମିଟି ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଆଉ ଥରେ ସମୟ ମାଗିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥର ବାଚସ୍ପତି ପ୍ରଧାନମନ୍ତ୍ରୀଙ୍କୁ ନିଜେ ଚିଠି ଲେଖିବେ। ସାକ୍ଷାତ ଆଲୋଚନା ପାଇଁ ସମୟ ମାଗିବେ। ଯଦି ଗତ ଦୁଇଥର ଭଳି କୌଣସି ଉତ୍ତର ନ ମିଳେ, ବିଧାନସଭାରେ ପରବର୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ।

ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଗୃହ କମିଟି ବୈଠକରେ ଯୋଗ ଦେଇଥିବା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଡା. ଦାମୋଦର ରାଉତ କହିଲେ ଯେ ରାଜ୍ୟରେ ଏବେ ଚାଷୀଙ୍କ ଉପରେ ଗୋଟିକ ପରେ ଗୋଟିଏ ବିପଦ ମାଡ଼ି ଆସିଛି। ମରୁଡ଼ି, ପୋକ ଆକ୍ରମଣ ପରେ ଅଦିନିଆ ମେଘ ଦାଉ ସାଧିଛି। କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ଆସି ଚାଷୀମାନଙ୍କ ଦୁଃଖ ଦେଖି ଯାଇଛନ୍ତି। ଏହା ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ ନିକଟରୁ ଯଦି କିଛି ଉତ୍ତର ନ ମିଳେ, ଆଗାମୀ ୨୮ ତାରିଖରେ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନରେ ଆଲୋଚନା କରାଯିବ। ଗୃହରେ ପରବର୍ତୀ କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ଡା. ରାଉତ କହିଥିଲେ। ଅନ୍ୟପକ୍ଷରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଲେ ଯେ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଉପେକ୍ଷିତ କରିଛନ୍ତି। ଯଦି ପ୍ରଧାନମନ୍ତ୍ରୀ କିଛି ଉତ୍ତର ନ ଦିଅନ୍ତି, ତେବେ ସମସ୍ତ ୧୪୭ ବିଧାୟକ ଦିଲ୍ଲୀରେ ତାଙ୍କ(ପ୍ରଧାନମନ୍ତ୍ରୀ) ବାସଭବନ ସାମ୍ନାରେ ବସିବା କଥା ସ୍ଥିର କରାଯାଉ ବୋଲି ସେ ମତ ଦେଇଛନ୍ତି।

ଆଜିର ଗୃହ କମିଟି ବୈଠକରେ ବିଜେଡି ସଦସ୍ୟା ତଥା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ସିପିଏମ୍‌ ନେତା ଲକ୍ଷ୍ମଣ ମୁଣ୍ଡା ଅନୁପସ୍ଥିତ ଥିଲେ। ତେବେ ବିଜେପି ବିଧାୟକ ଡା. ବିଭୂତି ଭୂଷଣ ହରିଚନ୍ଦନ ଦଳର ପ୍ରତିନିଧିତ୍ୱ କରିଥିଲେ।

ସମ୍ବନ୍ଧିତ ଖବର