ଭୁବନେଶ୍ବର : ସାଧାରଣ ନିର୍ବାଚନକୁ ଆଉ ବର୍ଷେରୁ କମ୍ ସମୟ ବାକି। ବୁଧବାର ସରିଛି ଝାରସୁଗୁଡ଼ା ଉପନିର୍ବାଚନ। କାଲି (ଶନିବାର) ଫଳାଫଳ ବାହାରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ନୂଆଦିଲ୍ଲୀରେ। ମନ୍ତ୍ରିମଣ୍ଡଳ ହଲ୍‌ଚଲ୍‌ ହେଲା ପରି ପାରିପାର୍ଶ୍ବିକ ସ୍ଥିତି ଆଦୌ ଅନୁକୂଳ ନୁହେଁ। ତଥାପି ଆଜି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଦୁଇ ଜଣ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଅଚାନକ ଇସ୍ତଫା ଦେଇଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ମଧ୍ୟ ପଦ ଛାଡ଼ିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଏହି ଇସ୍ତଫା ପର୍ବ ରାଜ୍ୟ ରାଜନୀତିରେ ଆଲୋଡ଼ନ ଖେଳାଇଛି। ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ‌ ନେଇ ଚର୍ଚ୍ଚା ଜୋର ଧରିଛି। ମନ୍ତ୍ରିମଣ୍ଡଳରେ କିଏ କିଏ ସାମିଲ୍‌ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଯାଇଛି।

Advertisment

ଶୁକ୍ରବାର ମଧ୍ୟାହ୍ନରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଲୋକସେବା ଭବନରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ସମୟ ଗଡ଼ିବା ସହ ଚର୍ଚ୍ଚା ବଢ଼ି ଚାଲିଥିଲା। ମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବମାନେ ପରସ୍ପରକୁ ଫୋନ୍ କରି କାହାକୁ କଲ୍‌ ଆସିଛି କି ନାହିଁ, ବୁଝାବୁଝି ହେଲେ। କିନ୍ତୁ ସେମିତି କିଛି ଠୋସ୍‌ ସୂଚନା କେହି ପାଇପାରୁ ନଥିଲେ। ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ଇସ୍ତଫା ପର୍ବ। ପ୍ରଥମେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଲେ। ତାହାର କିଛି ସମୟ ପରେ ସମୀର ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଖବର ଆସିଲା। ଏତିକିରେ ଇସ୍ତଫା ପର୍ବରେ ପୂଣ୍ଣଛେଦ ପଡ଼ିଥିଲା।

publive-image Odisha News Lens

ଏମିତି ଅତର୍କିତ ଇସ୍ତଫା ବିଜେଡି ଆଭ୍ୟନ୍ତରୀଣ ମହଲକୁ ଚକିତ କରିଦେଇଥିଲା। ଗତ ବର୍ଷ ମନ୍ତ୍ରିମଣ୍ଡଳର ନବକଳେବର ହୋଇଥିଲା ବେଳେ ପୁଣି କାହିଁକି ଇସ୍ତଫାର ଆବଶ୍ୟକ ପଡ଼ିଲା ତାହା କେହି ବୁଝିପାରିଲେ ନାହିଁ। ଇସ୍ତଫା ଦେଇଥିବା ଦୁଇ ମନ୍ତ୍ରୀଙ୍କୁ ନେଇ ଏବେ ସର୍ବାଧିକ ଚର୍ଚ୍ଚା। ସାଂଗଠନିକ କାର୍ଯ୍ୟ ପାଇଁ ଇସ୍ତଫା ଦେଇଛନ୍ତି ବୋଲି ଉଭୟ ସଫେଇ ଦେଇଥିଲେ ବି ତାହା ରାଜନୈତିକ ମହଲରେ ଗ୍ରହଣୀୟ ହେଉନାହିଁ। କାରଣ ଗତ ବର୍ଷ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସମୀର ଦାଶଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା ଅତୁଟ ରଖିଥିଲେ। ତାଙ୍କୁ ମନ୍ତ୍ରିମଣ୍ଡଳରେ ପୁଣି ନେବା ସହ ବିଭାଗ ମଧ୍ୟ ବଦଳାଇ ନଥିଲେ। ସେହିପରି ନୂଆ କରି ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। କିନ୍ତୁ ବର୍ଷେ ନ ପୂରୁଣୁ ମୁଖ୍ୟମନ୍ତ୍ରୀ ଉଭୟଙ୍କ ଉପରୁ ଆସ୍ଥା ତୁଟାଇଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଉଭୟଙ୍କୁ ଇସ୍ତଫା ଦେବା ପାଇଁ କୁହାଗଲା ପରେ ସେମାନେ ନିଜ ନିଜ ଇସ୍ତଫାପତ୍ର ପଠାଇଥିଲେ।

ବିଜେଡିର ଜଣେ ନାରୀ ନେତ୍ରୀଙ୍କ ସହ ଅସଦାଚରଣ କରିଥିବା ପ‌ରି ସଙ୍ଗୀନ୍ ଅଭିଯୋଗ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାମରେ ଥିଲା। ସଂପୃକ୍ତ ନେତ୍ରୀ ଜଣଙ୍କ ଦୁଇ ଦୁଇ ଥର ଥାନାକୁ ଯାଇ ଅଭିଯୋଗ କରିଥିଲେ। କିନ୍ତୁ ବିଜେଡିର ନେତୃବୃନ୍ଦ ତାଙ୍କୁ ବୁଝାସୁଝା କରି ଘଟଣାଟିକୁ ରଫାଦଫା କରିବାକୁ ଉଦ୍ୟମ କରିଥିଲେ। ଯଦିଓ ଥାନାରେ ମାମଲା ହୋଇ ନଥିଲା, ତେବେ ଏଥିପାଇଁ ଶ୍ରୀ ସାହୁ ବିବାଦ ଭିତରକୁ ଆସିଯାଇଥିଲେ। ଦଳର ଭାବମୂର୍ତ୍ତିରେ ଏହା ଆଞ୍ଚ୍‌ ଆଣିଥିଲା।

ସେହିପରି ମନ୍ତ୍ରୀ ସମୀର ଦାଶ ନିଜ ନିର୍ବାଚନମଣ୍ଡଳୀର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ବିବାଦୀୟ ହୋଇପଡ଼ିଥିଲେ। ଏହି ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀଙ୍କ ଭୂମିକା ଉପରକୁ ଆଙ୍ଗୁଠି ଉଠିଥିଲା। ଗତ ସପ୍ତାହରେ ସେହି ଜିଲ୍ଲା ପରିଷଦ ଆସନରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହାରିଯାଇଥିଲେ। ଏହି ପରାଜୟ ପାଇଁ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଦାୟୀ କରାଯାଇଥିଲା।

ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପଛରେ ଭିନ୍ନ କାରଣ ଥିବା କୁହାଯାଉଛି। ତାଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯିବ ବୋଲି ଚର୍ଚ୍ଚା ଚାଲିଛି। ଇସ୍ତଫା ଦେବା ପରେ ଶ୍ରୀ ଆରୁଖ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ବ୍ୟକ୍ତିଗତ କାରଣରୁ ବାଚସ୍ପତି ପଦରୁ ଇସ୍ତଫା ଦେଇଛି। ବାଚସ୍ପତି ଭାବେ ନିଷ୍ଠାର ସହ ଦାୟିତ୍ବ ତୁଲାଇଛି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ବ ଦେବେ, ତାହାକୁ ସୁଚାରୁରୂପେ ତୁଲାଇବି। ଗତ ବର୍ଷ ଜୁନ୍ ମାସରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଇସ୍ତଫା ପରେ ଶ୍ରୀ ଆରୁଖ ବାଚସ୍ପତି ଦାୟିତ୍ବ ଗ୍ରହଣ କରିଥିଲେ।