ଭୁବନେଶ୍ୱର : ବଲାଙ୍ଗୀରରେ ମହିଳା କରୋନା ଆକ୍ରାନ୍ତଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଘଟଣାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୁରୁବାର ରୁଲିଂ ଦେଇଛନ୍ତି। ଆଜି ଶୂନ୍ୟକାଳରେ ଗୃହରେ ବୈଧାନିକ ପ୍ରଶ୍ନ ଜରିଆରେ ପୁଣି ଥରେ ଏହି ପ୍ରସଙ୍ଗ ଉତଥାପନ କରି ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କହିଥିଲେ, ଗତକାଲି ଏ ସମ୍ପର୍କରେ ଗୃହରେ ଉଦବେଗ ପ୍ରକାଶ କରାଗଲା। କୋଭିଡ୍ ସମୟରେ ଡାକ୍ତରଙ୍କ ଉପରେ ଆକ୍ରମଣ ନେଇ କାର୍ଯ୍ୟାନୁଷ୍ଠାନ ହେବା କଥା। କିନ୍ତୁ ଅଭିଯୋଗ ନଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଖୋଦ ନିଜେ ସେ ପୁଲିସ ଡିଜିଙ୍କୁ ଏ ସମ୍ପର୍କରେ ଅବଗତ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ଗତକାଲି ଏ ନେଇ ଗୃହରେ ସ୍ବର ଉଠାଇଲେ ବି ସରକାରଙ୍କ ପ୍ରତିକ୍ରିୟା ନାହିଁ। ତାହେଲେ ଆମେସବୁ ନିର୍ବାଚିତ ପ୍ରତିନିଧିମାନେ କଣ ଏଠାକୁ ଆସିଛୁ କାନ୍ଥବାଡ଼କୁ କହିବା ପାଇଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ।
ଜାତୀୟ କ୍ରାଇମ୍ ରେକର୍ଡ଼ ବ୍ୟୁରୋ (ଏନ୍ସିଆର୍ବି) ରିପୋର୍ଟ ଆଧାରରେ ‘ସମ୍ବାଦ’ରେ ପ୍ରକାଶିତ ଖବରକୁ ଉଲ୍ଲେଖ କରି ସେ କହିଥିଲେ, ମହିଳା ନିର୍ଯ୍ୟାତନା ମାମଲାରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳାଙ୍କ ଅଧିକାର ଓ ହିଂସା ବିରୋଧରେ ତାଙ୍କ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି ବୋଲି କହନ୍ତି। ଜଣେ କୋଭିଡ ଆକ୍ରାନ୍ତ ମହିଳାଙ୍କ ପ୍ରତି ଏତେବଡ଼ ଘଟଣା ଘଟିଲା କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଏ ନେଇ ଅନୁସନ୍ଧାନ ବି ହେଉନାହିଁ। ରିପୋର୍ଟ ମୁତାବକ ମହିଳାଙ୍କୁ ଉଲଗ୍ନ କରି ଆକ୍ରମଣ କରିବା ଘଟଣାରେ ଓଡ଼ିଶା ଏକ ନମ୍ବର। ମହିଳା ନିର୍ଯାତନା ନେଇ ଆଜି ଉତ୍ତରପ୍ରଦେଶ ଜଳୁଛି, କାଲି ଓଡ଼ିଶା ଜଳିବ। ବୋଧହୁଏ, ସରକାର ଏହି ଦିନକୁ ଅପେକ୍ଷା କରିଛନ୍ତି। ଶ୍ରୀ ମିଶ୍ର କହିସାରିବା ପରେ ଗୃହରେ ଉପସ୍ଥିତ ଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ବାଚସ୍ପତି ଶ୍ରୀ ପାତ୍ର ରୁଲିଂ ଦେଇ କହିଥିଲେ ଯେହେତୁ ଏହି ଅଭିଯୋଗର ସ୍ବାସ୍ଥ୍ୟ ବିଭାଗ ସହିତ ସମ୍ପର୍କ ରହିଛି, ତେଣୁ ଘଟଣାର ଅନୁଧ୍ୟାନ କରି ସ୍ବାସ୍ଥ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ।