ରାୟଗଡ଼ା: ଗତ ୫ ବର୍ଷରେ ରାୟଗଡ଼ା ଜିଲ୍ଲାରୁ ୨୬ ଅନାଥ ଶିଶୁ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୧୯ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଛି। କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ନିୟମାବଳୀ ଅନୁଯାୟୀ ଜିଲ୍ଲା ଜଜଙ୍କ ନିର୍ଦେଶରେ ପୋଷ୍ୟ ସନ୍ତାନ ହସ୍ତାନ୍ତର ପ୍ରକ୍ରିୟା ହୋଇଥିବା ବେଳେ ପ୍ରତି ବର୍ଷ ସେମାନଙ୍କ ସ୍ଥିତି ଉପରେ ନଜର ରଖିଛନ୍ତି ସରକାର।
ରାୟଗଡ଼ାରେ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଉଦଘାଟନ ଅବସରରେ ଏହି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ। ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଯୋଗଦେଇ ସ୍ବତନ୍ତ୍ର କେନ୍ଦ୍ରର ଉଦଘାଟନ କରିଥିଲେ। ଗତ ୫ ବର୍ଷରେ ହସ୍ତାନ୍ତର ହୋଇଥିବା ଶିଶୁମାନେ ଉକ୍ତ ପିତାମାତାଙ୍କ ପାଖରେ କିପରି ରହିଛନ୍ତି ଓ ସେମାନଙ୍କର ବର୍ତ୍ତମାନର ସ୍ଥିତି ବିଷୟରେ ଆଇଡିଏସ ସଂସ୍ଥାର କାର୍ଯ୍ୟକର୍ତ୍ତା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରିଥିଲେ। କିଛି ଶିଶୁ ରାଜ୍ୟ ଭିତରେ, କିଛି ରାଜ୍ୟ ବାହାରେ, କିଛି ଶିଶୁ ଅନ୍ୟଦେଶରେ ଯାଇ ପୋଷ୍ୟ ସନ୍ତାନ ଭାବେ ସେହି ପିତାମାତାଙ୍କ ପାଖରେ ରହିବାର ଏବଂ ଶିଶୁଙ୍କ ବର୍ତ୍ତମାନର ଜୀବନ ଶୈଳୀ ସଂପର୍କିତ ଫଟୋ ଦେଖାଇଥିଲେ।
ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶିଶୁମାନଙ୍କର ବର୍ତ୍ତମାନର ଜୀବନ ଶୈଳୀ ବିଷୟରେ ଶୁଣି ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ରାୟଗଡ଼ା ଜିଲ୍ଲାରେ ଥିବା ଅନାଥ ଶିଶୁଙ୍କୁ ଠାବ କରି ଉପଯୁକ୍ତ ଥଇଥାନ ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ରାୟଗଡ଼ା ଜିଲ୍ଲା ପାଇଁ ପ୍ରଦତ୍ତ ସ୍ଵତନ୍ତ୍ର ଆଇଡିକୁ ଜିଲ୍ଲାପାଳ ଉନ୍ମୋଚନ କରିଥିଲେ। ଏହି ଅବସରରେ ରାଜ୍ୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବଳ କେନ୍ଦ୍ର କାର୍ଯ୍ୟକ୍ରମ ପରିଚାଳକ ଶୁଭଦର୍ଶୀ ଦାସ, ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ବି. ଏଲ୍. ଏନ୍. ପୃଷ୍ଟି, ରାୟଗଡ଼ା ଶିଶୁ ମଙ୍ଗଳ ସମିତିର ଅଧକ୍ଷ ରାଜକିଶୋର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ପରିଚାଳନା କରୁଥିବା ସଂସ୍ଥା ଆଇଡିଏସର ସମ୍ପାଦକ ଦେବେନ୍ଦ୍ର କୁମାର ବେହେରା, ପୋଷ୍ୟ ସନ୍ତାନ ଗ୍ରହଣ ପରାମର୍ଶଦାତା ପ୍ରଶାନ୍ତ କୁମାର କାନୁନଗୋ, ରାୟଗଡ଼ା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମୀନାକ୍ଷି ଦାସ, ଆଇସିଡିଏସ କାର୍ଯ୍ୟକ୍ରମ ଅଧିକାରୀ କାମାକ୍ଷୀ ମଞ୍ଜରୀ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶଥାଉକି, ଯଦି କୌଣସି ସ୍ଥାନରେ ଅବହେଳିତ ବା ପରିତ୍ୟକ୍ତ ଅବସ୍ଥାରେ ଶିଶୁ ନଜରକୁ ଆସନ୍ତି ତେବେ ତୁରନ୍ତ ଚାଇଲଡ ଲାଇନକୁ ୧୦୯୮ ଦେୟ ମୁକ୍ତ ନମ୍ବରରେ ଫୋନ କରି ଜଣାଇବାକୁ ପ୍ରଶାସନ ନିବେଦନ କରିଛି। ଶିଶୁକୁ ଶିଶୁ ମଙ୍ଗଳ ସମିତିରେ ହାଜର କରାଇବା ପରେ ଶିଶୁର ଯଦି କେହି ନିଜର ଲୋକ ନଥାନ୍ତି ବା ଶିଶୁର ନିଜର ଲୋକଙ୍କ ମଧ୍ୟରୁ କେହିବି ଉକ୍ତ ଶିଶୁର ଯତ୍ନ ନେବାକୁ ଇଚ୍ଛା ପ୍ରକାଶ କରୁନଥାନ୍ତି ତେବେ ଶିଶୁଟିକୁ ପୋଷ୍ୟ ସନ୍ତାନ ଯୋଗ୍ୟ ବୋଲି ଆଇନତଃ ଘୋଷଣା କରାଯିବା ସହ ଜିଲ୍ଲାରେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯିବ।