ଅକ୍ଟୋବର ୨ରୁ ଆରମ୍ଭ ହେବ ‘ସ୍ୱତନ୍ତ୍ର ନିଶା ନିବାରଣ ଅଭିଯାନ’ ଏକ ମାସ ଧରି ବ୍ୟାପକ କାର୍ଯ୍ୟକ୍ରମ କରାଯିବ

ବେଆଇନ ନିଶା କାରବାର ଓ ନିଶା ସେବନ ଯୋଗୁ ଅନେକ ଧନ ଜୀବନ ହାନି ଘଟୁଛି। ଏନେଇ ଗତ ଏକ ବର୍ଷ ମଧ୍ୟରେ ନିରନ୍ତର ଚଢ଼ାଉ ଅଭିଯାନ ଫଳରେ ବହୁ କୋଟି ମୂଲ୍ୟର ବେଆଇନ ସାମଗ୍ରୀ ଜବତ....

drug

Photograph: (Delamere Health)

ଭୁବନେଶ୍ୱର: ବେଆଇନ ନିଶା କାରବାର ଓ ନିଶା ସେବନ ଯୋଗୁ ଅନେକ ଧନ ଜୀବନ ହାନି ଘଟୁଛି। ଏନେଇ ଗତ ଏକ ବର୍ଷ ମଧ୍ୟରେ ନିରନ୍ତର ଚଢ଼ାଉ ଅଭିଯାନ ଫଳରେ ବହୁ କୋଟି ମୂଲ୍ୟର ବେଆଇନ ସାମଗ୍ରୀ ଜବତ ହେବା ସହ ଏଥିରେ ସମ୍ପୃକ୍ତ ଅନେକ ଲୋକ ଗିରଫ ହୋଇଛନ୍ତି। ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବା ସହ ଓଡ଼ିଶାକୁ ବେଆଇନ ନିଶା କବଳରୁ ମୁକ୍ତ କରିବାକୁ ଆମ ସମସ୍ତଙ୍କୁ ମିଳିତ ଉଦ୍ୟମ କରିବାକୁ ପଡ଼ିବ। ଏଥିପାଇଁ ଆସନ୍ତା ଅକ୍ଟୋବର ୨ରୁ ସ୍ବତନ୍ତ୍ର ନିଶା ନିବାରଣ ଅଭିଯାନ ଆରମ୍ଭ ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ନିଶା ନିବାରଣ ପାଇଁ ଆରମ୍ଭ ହେବାକୁ ଥିବା ସ୍ବତନ୍ତ୍ର ସଚେତନତା ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ତଥା ‘ଆମ ସଂକଳ୍ପ - ନିଶା ନୁହେଁ ଜୀବନ’ ଓ ‘ନିଶା ମୁକ୍ତ ଭୁବନେଶ୍ୱର’ ର ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ, ନିଶା ମଣିଷକୁ ବିପଥଗାମୀ କରାଇବା ସହ ଶରୀରକୁ କ୍ଷତି ପହଞ୍ଚାଇଥାଏ। ଆହୁରି ବେଆଇନ ତଥା ନିଷିଦ୍ଧ ନିଶା ସେବନ ନିଶ୍ଚିତ ମୃତ୍ୟୁର କାରଣ ହୋଇଥାଏ। ତେଣୁ ବେଆଇନ ନିଶା କବଳରୁ ଆଜିର ଯୁବପିଢ଼ି ତଥା ସବୁ ବର୍ଗର ଲୋକଙ୍କୁ ବଞ୍ଚାଇବା ଲାଗି ମିଳିତ ଉଦ୍ୟମ ହେବା ଜରୁରୀ। ବିଶେଷ କରି ପରିବାର, ସ୍କୁଲ, କଲେଜ ତଥା ଗ୍ରାମାଞ୍ଚଳରୁ ନିଶା ସେବନର ଅପକାରିତା ବିଷୟରେ ସଚେତନତା ସୃଷ୍ଟି ହେବା ଆବଶ୍ୟକ। 

ଏକ ମାସ ଧରି ଚାଲିବାକୁ ଥିବା ଏହି ସଚେତନତା କାର୍ଯ୍ୟକ୍ରମ ଓ ଚଢ଼ାଉ ଅଭିଯାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସଚେତନତା ରାଲି ଓ ମାରାଥନ ଆୟୋଜନ ହେବାକୁ ଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯିବ। ସେହିପରି ଜଙ୍ଗଲ ବିଭାଗ ପକ୍ଷରୁ  ଗଞ୍ଜେଇ ତଥା ଅଫିମ ଚାଷ ନଷ୍ଟକୁ ବ୍ୟାପକ କରାଯିବାକୁ ନିଷ୍ପତ୍ତି ହୋଇଛି। ସଂସ୍କୃତି ବିଭାଗ ଓ ମିସନ ଶକ୍ତି ପକ୍ଷରୁ ପଥପ୍ରାନ୍ତ ନାଟକ ଓ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏହାସହ ସ୍ୱାସ୍ଥ୍ୟସେବା ଶିବିର, ସଚେତନତା କର୍ମଶାଳା ଆୟୋଜନ ସହ ସଡ଼କ ସୁରକ୍ଷାର ବାର୍ତ୍ତା ଦିଆଯିବ। ବୈଠକରେ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା, ଅବକାରୀ କମିସନର ପି. ଅ‌ନ୍ବେଷା ରେଡ୍ଡୀ, ଅତିରିକ୍ତ ସଚିବ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗ ତଥା ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe