ହାତୀ ଘଉଡ଼ାଇବା ପାଇଁ ସ୍ୱତନ୍ତ୍ର ଆପ୍‌

ଭୁବନେଶ୍ବର : ହାତୀ ଉପଦ୍ରବ ଉପରେ ଅଙ୍କୁଶ ଲଗାଇବା ପାଇଁ ବନ ବିଭାଗ ଅଣ୍ଟା ଭିଡ଼ିଛି। ଜନବସତି ହେଉ କି ରାସ୍ତାରେ ହାତୀ ଦେଖାଗଲେ କିଭଳି ବନ କର୍ମଚାରୀ ଖୁବ୍‌ କମ୍ ସମୟରେ ସେଠାରେ ପହଞ୍ଚିପାରିବେ ସେଥିପାଇଁ ସମନ୍ବିତ ବନ୍ୟପ୍ରାଣୀ ପରିଚାଳନା ବ୍ୟବସ୍ଥା (ଇଣ୍ଟିଗ୍ରେଟେଡ୍‌ ୱାଇଲ୍ଡ ଲାଇଫ୍‌ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ) ନାମକ ଏକ ଆପ୍‌ର ବିକାଶ କରାଯାଇଛି। ବିଶେଷକରି ହାତୀ ଚଳାଚଳ ଅଞ୍ଚଳରେ ଲୋକମାନେ ଏହି ଆପ୍‌କୁ ନିଜ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରିବେ। ‌ଆଖପାଖ ଅଞ୍ଚଳରେ ହାତୀ ନଜର ଆସିଲେ; ତୁରନ୍ତ ଏହାର ଏକ ଫଟୋ କିମ୍ବା ଭିଡିଓ ଉଠାଇ ଅପ୍‌ଲୋଡ୍‌ କରିବେ। ଫଳରେ ୩-୫ କିମି ପରିସୀମା ମଧ୍ୟରେ ଥିବା ବନ କର୍ମଚାରୀ, ହାତୀ ସାଥୀ କିମ୍ବା ବନ ବିଭାଗ ଦ୍ବାରା ଚିହ୍ନଟ କର୍ମଚାରୀଙ୍କୁ ଏହି ମେସେଜ୍‌ ପହଞ୍ଚିବ। ହାତୀ କେଉଁ ଅଞ୍ଚଳରେ ଅଛି ତାହାର ସବିଶେଷ ତଥ୍ୟ ଦର୍ଶାଇବ। ମେସେଜ୍‌ ପାଇବା ମାତ୍ରେ ଅଧିକାରୀଙ୍କ ଟିମ୍‌ କିମ୍ବା ହାତୀ ସାଥୀ ସେଠାରେ ପହଞ୍ଚି ହାତୀ ଘଉଡ଼ାଇବେ। ତେବେ ବର୍ତ୍ତମାନ ପାଇଁ ଏହି ଆପ୍‌କୁ କେବଳ ହାତୀ ଘଉଡ଼ାଇବା ପାଇଁ ବ୍ୟବହାର କରାଯିବ। ପରବର୍ତ୍ତୀ ସମୟରେ ଏହାକୁ ସମସ୍ତ ବନ୍ୟଜନ୍ତୁଙ୍କ ପାଇଁ ବ୍ୟବହାର କରାଯିବ। ବନ୍ୟଜନ୍ତୁଙ୍କୁ ଶିକାର ହେଉ କି ବନ୍ୟଜନ୍ତୁ ଆକ୍ରମଣ; ଲୋକମାନେ କୌଣସି ଖବର ପାଇଲେ ଏହାର ତଥ୍ୟ ଅପ୍‌ଲୋଡ୍‌ କରିପାରିବେ।

ସମ୍ବନ୍ଧିତ ଖବର