ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ବାଟାଲିଅନ୍: ଭିଡ଼ ନିୟନ୍ତ୍ରଣ ପାଇଁ ଦିଆଯିବ ତାଲିମ

ରହିବେ ୧୧୯୦ ସୁରକ୍ଷାକର୍ମୀ, ଏସ୍‌ପିଙ୍କ ଅଧୀନରେ କାମ କରିବେ

ଭୁବନେଶ୍ବର: ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦିନକୁ ଦିନ ପୁରୀରେ ଭିଡ଼ ବଢ଼ିବାରେ ଲାଗିଛି। ଭିଡ଼ ନିୟନ୍ତ୍ରଣ ଏବେ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହେଲାଣି। କାର୍ତ୍ତିକ ମାସସାରା ଏହି ଖବର ମୁଣ୍ଡବିନ୍ଧାର ବିଷୟ ହୋଇଥିଲା। ଆଗକୁ ନୂଆବର୍ଷ ଅଛି। ଏବେଠୁ ଭିଡ଼ ଆୟତ୍ତ ବାହାରକୁ ଗଲାଣି। ଏସବୁର ସମାଧାନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଶ୍ରୀମନ୍ଦିରର ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ପାଇଁ ଏକ ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ୍‌ ଗଠନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବାଟାଲିଅନ୍‌ ଗଠନ ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି, କୋଭିଡ୍‌ ପରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପ୍ରତିଦିନ ବିଶ୍ବର କୋଣ ଅନୁକୋଣରୁ ୫୦ହଜାର ଶ୍ରଦ୍ଧାଳୁ ଆସୁଛନ୍ତି। ଛୁଟିଦିନ ଓ ଅନ୍ୟ ଧାର୍ମିକ ଉତ୍ସବ ସମୟରେ ଏହ ଭିଡ଼ ଦୁଇଗୁଣରୁ ତିନିଗୁଣ ବୃଦ୍ଧିପାଉଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆତୁର ଭକ୍ତ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡ୍‌ ଯନ୍ତ୍ରଣା ଭୋଗୁଛନ୍ତି। କେତେବେଳେ ଠେଲାପେଲା ତ ଆଉ କେ‌ତେବେଳେ ଧାଡ଼ିରେ ଠିଆ ହୋଇଥିବା ଶ୍ରଦ୍ଧାଳୁମାନେ ଅଚେତ ହୋଇଯାଉଛନ୍ତି। ଢିଲା ସୁରକ୍ଷାର ବ୍ୟବସ୍ଥାର ସୁଯୋଗ ନେଇ କିଛି
ଭକ୍ତ ଗଳାବାଟରେ ପଳାଉଥିବା ଅଭିଯୋଗ ଆସୁଛି। ଏଭଳି ଅବ୍ୟବସ୍ଥା ଚାଲିଥିବା ବେଳେ ଆସନ୍ତାମାସରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ହେବ।

ଏହାର ଉଦ୍‌ଘାଟନ ପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହାକୁ ନଜରରେ ରଖି ସବୁ ଅଂଶୀଦାରମାନଙ୍କ ସହ ଆଲୋଚନା ଓ ୫-ଟି ଅଧ୍ୟକ୍ଷଙ୍କ ପ୍ରସ୍ତାବ ପରେ ମୁଖ୍ୟମନ୍ତ୍ରୀ ଏହି ସ୍ବତନ୍ତ୍ର ବାଟାଲିଅନ୍‌ ଗଠନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ସ୍ବତନ୍ତ୍ର ବାଟାଲିଅନ୍‌‌ରେ ୧୧୯୦ ସୁରକ୍ଷାକର୍ମୀ ରହିବେ। ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ରଭାବେ ସେମାନଙ୍କୁ ତାଲିମ୍ ଦିଆଯିବ। ପୁରୀ ଏସ୍‌ପିଙ୍କ ଅଧୀନ‌ରେ ଓ ନିୟନ୍ତ୍ରଣରେ ଏହି ବାଟାଲିଅନ୍ କାର୍ଯ୍ୟ କରିବ ବୋଲି ସରକାରଙ୍କ ପକ୍ଷରୁ କୁହଯାଇଛି।

ବଡ଼ଦିନରେ ଭିଡ଼, ଦଳାଚକଟା ପରିସ୍ଥିତି

ବୃଦ୍ଧ, ମହିଳା, ଶିଶୁଙ୍କୁ ପାଦରେ ଦଳି ପଳାଇଲେ

ପୁରୀ: ବଡ଼ଦିନ ଛୁଟିରେ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଉଭୟ ବାହାରେ ଓ ଭିତରେ ହଜାର ହଜାର ସଂଖ୍ୟାରେ ଭକ୍ତ ଠେଲାପେଲା ଭିତରେ ଲମ୍ବାଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ଭିଡ଼ ଏତେ ଥିଲା ଯେ ଆଜି ସିଂହଦ୍ବାର ସେଡ୍‌ ନିକଟରେ ଦଳାଚକଟା ହୋଇଛି। ବୃଦ୍ଧ, ମହିଳା ଓ ଶିଶୁମାନଙ୍କୁ ପାଦରେ ଦଳି ପଳାଇଛନ୍ତି ଭକ୍ତ। ଘଟଣାସ୍ଥଳରେ ଥିବା କିଛି ପୁଲିସ ଓ ଅନ୍ୟ ଭକ୍ତ ସେମାନଙ୍କୁ ଉଦ୍ଧାର କରିଛନ୍ତି। କାହାରି କିଛି ହୋଇନାହିଁ। ଏହା ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଉପରେ ପୁଣିଥରେ ପ୍ରଶ୍ନବାଚୀ ଠିଆ କରିଛି। ସେପଟେ ଏହି ଭିଡ଼ ଭିତରେ କିଛି ସେବକ, ଯାତ୍ରୀ ଗୁମାସ୍ତା ଗଳା ବାଟ ତିଆରି କରି ଭକ୍ତଙ୍କୁ ଶୋଷଣ ଆରମ୍ଭ କରି ଦେଇଛନ୍ତି। ଗଳା ବାଟରେ ଦର୍ଶନ କରାଇଦେବେ କହି ମୋଟା ଅଙ୍କର ଟଙ୍କା ଆଦାୟ କରୁଛନ୍ତି। ଦୋଳମଣ୍ଡପ ସାହି ପ୍ରବେଶ ପଥ, ରାମଦୟା ପରିଷଦ ନିକଟ ପ୍ରବେଶ ପଥ ଓ ଛାଉଣୀ ମଠ ନିକଟରେ ଏହି ଗଳା ବାଟ ରହିଛି। ସର୍ବସମ୍ମୁଖରେ ଏହି ଘଟଣା ଘଟୁଛି। ସମସ୍ତେ ଦେଖୁଛନ୍ତି ଓ ନିରବଦ୍ରଷ୍ଟା ସାଜିଛନ୍ତି। ଫଳରେ ଆଜି ରାମଦୟା ପରିଷଦ ନିକଟ ଗଳା ବାଟ ନିକଟରେ ଦଳାଚକଟା ହୋଇଛି।

ବଡ଼ଦିନ ପାଇଁ ଆଜି ଥିଲା ସରକାରୀ ଛୁଟି। ଏଥିପାଇଁ ଆଜି ସକାଳୁ ଭିଡ଼ ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ସିଂହଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରୁଛନ୍ତି ଓ ଅନ୍ୟ ଦ୍ବାରରେ ପ୍ରସ୍ଥାନ କରୁଛନ୍ତି। ଆଜି ଭକ୍ତଙ୍କ ଧାଡ଼ି ମରିଚିକୋଟ ଛକ ଡେଇଁ ଯାଇଥିଲା। ଏଣୁ ଭକ୍ତମାନେ ଗଳା ବାଟରେ ପଶିବା ପାଇଁ ରାମଦୟା ପରିଷଦ ନିକଟରେ ଛିଡ଼ା ହୋଇଥିଲେ। ହଠାତ୍‌ ଭକ୍ତଙ୍କୁ ଦର୍ଶନ ପାଇଁ ଛାଡ଼ିବା ବେଳେ ଠେଲାପେଲା ଏତେ ହୋଇଥିଲା ଯେ ବାରିକେଡ୍‌ ସହ ବହୁ ଭକ୍ତ ଠେଲି ହୋଇ ତଳେ ପଡ଼ିଯାଇଥିଲେ। ଯେଉଁଥିରେ କୁନି କୁନି ପିଲା ବି ଥିଲେ। ଦର୍ଶନ ପାଇଁ ଅପେକ୍ଷାରେ ଥିବା ଭକ୍ତମାନେ ତାଙ୍କ ଉପରେ ଚଢ଼ି ଚାଲିଯାଇଥିଲେ। ପୁଲିସ ଓ ଭକ୍ତମାନେ ଭିଡ଼ ଆଡ଼େଇ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଅନ୍ୟପଟେ ଛାଉଣୀ ମଠ ମରାମତି ପାଇଁ ଲାଗିଥିବା ଲୁହା ବାଡ଼ ଉପରେ ଚଢ଼ି ଆଜି କିଛି ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଏ ସମ୍ପର୍କରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଶୀଲ ମିଶ୍ର କହିଛନ୍ତି, ଆଜି ବଡ଼ଦିନ ଥିବାରୁ ଭକ୍ତଙ୍କ ଭିଡ଼ ଅଧିକ ଥିଲା। କିନ୍ତୁ ଦଳାଚକଟା ଭଳି କୌଣସି ସ୍ଥିତି ଉପୁଜିନାହିଁ। ଗଳା ବାଟରେ ଭକ୍ତ ଯାଉଥିବା ନେଇ ଯେଉଁ ଅଭିଯୋଗ ଆସୁଛି, ତା ଉପରେ ଆମେ ନଜର ରଖିଛୁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର