ଭୁବନେଶ୍ବର: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭ ମେଳାକୁ ଦୃଷ୍ଟିରେ ରଖି ଓଡ଼ିଶାରୁ ଅଯୋଧ୍ୟାକୁ ସଂଯୋଗ କରିବାକୁ ରାଜ୍ୟ ସରକାର ସ୍ୱତନ୍ତ୍ର ବସ୍ ସେବାର ଶୁଭାରମ୍ଭ କରିବେ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍ଆରଟିସି) ଦ୍ବାରା ପରିଚାଳିତ ଏହି ହାଇ-ଏଣ୍ଡ ଆମିନିଟିଜ୍ ବସ୍ ସେବା ଯାତ୍ରୀଙ୍କୁ ଏକ ଆରାମଦାୟକ ଓ ସୁଗମ ଯାତ୍ରାର ଅନୁଭୂତି ପ୍ରଦାନ କରିବ। ବସ୍ଗୁଡ଼ିକ ୪ଟି ମୁଖ୍ୟ ମାର୍ଗ ଦେଇ ଚଳାଚଳ କରିବ। ପୁରୀରୁ ଅଯୋଧ୍ୟା, ସମ୍ବଲପୁରରୁ ଅଯୋଧ୍ୟା, ଭବାନୀପାଟଣାରୁ ଅଯୋଧ୍ୟା ଓ ବ୍ରହ୍ମପୁରରୁ ଅଯୋଧ୍ୟାକୁ ବସ୍ଗୁଡ଼ିକ ଗଡ଼ିବ। ପ୍ରତି ମାର୍ଗ ପାଇଁ ଦୁଇଟି ଲେଖାଏଁ ବସ୍ ଚାଲିବ, ଯାହାକି ଯାତ୍ରୀଙ୍କ ସୁବିଧା ସୁନିଶ୍ଚିତ କରିବ। ଏହି ସେବା ଓଡ଼ିଶାର ପ୍ରମୁଖ ସହରଗୁଡ଼ିକୁ ସଂଯୋଗ କରିବ। ଫଳରେ ରାଜ୍ୟର ସମସ୍ତ ତୀର୍ଥଯାତ୍ରୀ ଉପକୃତ ହୋଇପାରିବେ। ଜାନୁଆରି ୧୩ରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଏହି ସେବା ବଳବତ୍ତର ରହିବ।
ପୁରୀ, ବ୍ରହ୍ମପୁର, ସମ୍ବଲପୁର, ଭବାନୀପାଟଣାରୁ ଅଯୋଧ୍ୟାକୁ ସଂଯୋଗ
ଜାନୁଆରି ୧୩ରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ
ଯାତ୍ରୀଙ୍କ ଆରାମଦାୟକ ଯାତ୍ରାକୁ ପ୍ରାଥମିକତା ଦେବାକୁ ବସ୍ରେ ଆଧୁନିକ ସୁବିଧା ଯଥା ସ୍ଲିପର ଓ ସିଟର୍ ସିଟ୍, ମୋବାଇଲ୍ ଚାର୍ଜିଂ ପୋର୍ଟ, ଇନ୍ଫୋଟେନମେଣ୍ଟ ସିଷ୍ଟମ୍, ଲମ୍ବା ହ୍ୱିଲ୍ ରହିଛି। ବସ୍ ଭିତରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଅଗ୍ନି ସୁରକ୍ଷା ବ୍ୟବସ୍ଥା, ଲାଇଭ୍ ଭେଇକିଲ୍ ଟ୍ରାକିଂ, ଜରୁରୀକାଳୀନ ବଟନ୍, ଉନ୍ନତ ଡ୍ରାଇଭର ସହାୟତା ଭଳି ବୈଶିଷ୍ଟ୍ୟ ରହିଛି। ଯାତ୍ରୀମାନେ ସୁଲଭ ମୂଲ୍ୟରେ ଏହି ପ୍ରିମିୟମ୍ ସେବାଗୁଡ଼ିକର ଲାଭ ଉଠାଇପାରିବେ।
ଓଏସ୍ଆରଟିସି ୱେବସାଇଟ୍(osrtc.org), ଓଏସ୍ଆରଟିସି ମୋବାଇଲ୍ ଆପ୍ କିମ୍ବା ସେମାନଙ୍କର ନିକଟତମ ଓଏସ୍ଆରଟିସି ଟିକେଟ୍ କାଉଣ୍ଟରକୁ ଯାଇ ଟିକେଟ୍ କରିପାରିବେ। ଯାତ୍ରୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ୨୪ ଘଣ୍ଟିଆ ହେଲ୍ପ ଡେକ୍ସ(୧୮୦୦-୩୪୫-୧୧୨୨ ଟୋଲ୍ ଫି’ ନମ୍ବର ଓ ହ୍ୱାଟ୍ସଅପ୍ ନମ୍ବର-୭୮୪୯୦୦୫୨୨୦୫) ବ୍ୟବସ୍ଥା କରାଯାଇଛି। ଏଥିସହ ଓଏସ୍ଆରଟିସି କର୍ମଚାରୀ ଓ ଅଧିକାରୀମାନେ ଯାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରିବା ଏବଂ ଏକ ନିରବଚ୍ଛିନ୍ନ ସୁଗମ ଯାତ୍ରା ଯୋଗାଇଦେବାକୁ ବସ୍ରେ ନିୟୋଜିତ ରହିବେ। ମାର୍ଗବିବରଣୀ, ଭାୟା ଷ୍ଟପେଜ୍ ବିଷୟରେ ବିସ୍ତୃତ ସୂଚନା ଓଏସ୍ଆରଟିସି ୱେବସାଇଟ୍ ଏବଂ ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଉପଲବ୍ଧ ରହିଛି।