କଟକ : ମା’ ତାରିଣୀ ଇଷ୍ଟକନ୍ ପ୍ରାଇଭେଟ୍ ଲିମିଟେଡର ସ୍ଥାବର ଓ ଅସ୍ଥାବର ସ˚ପତ୍ତି ବାଜ୍ୟାପ୍ତି କରି ନିଲାମ କରିବା ପାଇଁ ଚିଟ୍ଫଣ୍ତ ମାମଲାର ଶୁଣାଣି ଲାଗି ଗଠିତ କଟକ ଡେଜିଗ୍ନେଟେଡ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିଲାମଲବ୍ଧ ଅର୍ଥ ଏହି ସ˚ସ୍ଥାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ ମା’ ତାରିଣୀ ଇଷ୍ଟକନ ସ˚ସ୍ଥାର କଟକ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ୪୨ ଏକର ଜମି ଓ ବ୍ୟାଙ୍କରେ ଜମା ଥିବା ୫୧ ଲକ୍ଷ ୫୭ ହଜାର ୧୮ ଟଙ୍କା, ଗୋଟିଏ ଗାଡିକୁ ବାଜ୍ୟାପ୍ତି କରାଯାଇ ସ˚ପୃକ୍ତ ଅର୍ଥକୁ ଏହି ଚିଟ୍ଫଣ୍ତ୍ ସ˚ସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧୢରେ ବଣ୍ଟନ କରାଯିବ।
ଉଲ୍ଲେଖଯୋଗ୍ୟ ଯେ, ଜମାକାରୀଙ୍କ ସ୍ବାର୍ଥରକ୍ଷା ପାଇଁ ପ୍ରଣୟନ କରାଯାଇଥିବା ଓଡିଶା ପ୍ରୋଟେକ୍ସନ୍ ଅଫ୍ ଇଣ୍ଟରେଷ୍ଟସ୍ ଅଫ୍ ଡିପୋଜିଟରସ୍(ଇନ୍ ଫାଇନାନସିଆଲ ଏଷ୍ଟାବ୍ଲିସମେଣ୍ଟ) ଆକ୍ଟ, ୨୦୧୧(ଓପିଆଇଡି ଆଇନ୍)ର ଧାରା ୪(୩)ରେ ପ୍ରାଧିକୃତ ଅଧିକାରୀ ମା ତାରିଣୀ ଇଷ୍ଟକନ୍ ସଂସ୍ଥାର ଜବତ ଜମି, ଗାଡି ଓ ବ୍ୟାଙ୍କ ଜମାକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଅନୁମତି ଲୋଡି କଟକ ସ୍ବତନ୍ତ୍ର ଅଦାଲତରେ ୨୦୧୭, ଅକ୍ଟୋବର ୧୭ରେ ଆବେଦନ କରିଥିଲେ। ମାମଲାରେ ସଂସ୍ଥାର ଏମଡି ନିରଂଜନ ରଣା, ନିର୍ଦ୍ଦେଶକ ଗୀତାଞ୍ଜଳି ରଣା ଓ ଅନ୍ୟ ଦୁଇ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ମାମଲାର ଶୁଣାଣି କରି ଅଦାଲତ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଶୁଣାଣି ସମୟରେ ପ୍ରାଧିକୃତ ଅଧିକାରୀ ତଥା କଟକର ପୂର୍ବତନ ଏଡିଏମ୍ ରଘୁରାମ ଆର୍.ଆୟର ଓ ସହିଦନଗର ଥାନାର ତତ୍କାଳୀନ ଏସଆଇ ତଥା ତଦନ୍ତକାରୀ ଅଧିକାରୀ ଗୋପାଳକୃଷ୍ଣ ଜେନା ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିବା ସହିତ ଦାଖଲ ହୋଇଥିବା ବିଭିନ୍ନ ନଥିପତ୍ର ଚିହ୍ନଟ କରିଥିଲେ। ସ୍ବତନ୍ତ୍ର ଅଦାଲତ ବିଚାରପତି ମାମଲାର ଚୂଡାନ୍ତ ଶୁଣାଣି କରି ଜାନୁଆରି ୨୨ରେ ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ, ସହିଦନଗର ଥାନାରେ ମା’ ତାରିଣୀ ଇଷ୍ଟକନ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ବିରୋଧରେ ୨୦୧୬, ଜୁନ୍ ୨ରେ ମାମଲା ରୁଜୁ ହୋଇଥିଲା। ଜମି ଦେବା ନାଁରେ ସାଧାରଣ ଜମାକାରୀଙ୍କ ଟଙ୍କା ହଡପ ନେଇ ଅଭିଯୋଗ ରହିଥିଲା। ଏହାପରେ ସଂସ୍ଥାର ବିଭିନ୍ନ ସ୍ଥାନରେ ଥିବା ଜମି, ଗାଡି ଓ ଭୁବନେଶ୍ବରର ଏକ ବ୍ୟାଙ୍କରେ ଜମା ଥିବା ୫୧ ଲକ୍ଷ ୫୭ ହଜାର ୧୮ ଟଙ୍କା ସହିଦନଗର ଥାନା ପୁଲିସ ଜବତ କରିଥିଲା। ଅର୍ଥ ବିଭାଗ ପକ୍ଷରୁ ୨୦୧୭, ଅକ୍ଟୋବର ୧୩ରେ ଜାରି ମଧୢବର୍ତ୍ତିକାଳୀନ ନିର୍ଦ୍ଦେଶ (ଆଡ୍ ଇଣ୍ଟେରିମ୍ ଅର୍ଡର ଅଫ୍ ଆଟାଚମେଣ୍ଟ)ରେ ମା ତାରିଣୀ ଇଷ୍ଟକନର ଜବତ ସ୍ଥାବର ଓ ଅସ୍ଥାବର ସଂପତ୍ତିର ପରିଚାଳନା ଭାର ପ୍ରାଧିକୃତ ଅଧିକାରୀ ତଥା କଟକ ଏଡିଏମଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ଏହା ପରେ ପ୍ରାଧିକୃତ ଅଧିକାରୀ ଏହି ସଂପତ୍ତି ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକରୀଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଅନୁମତି ଲୋଡି ସ୍ବତନ୍ତ୍ର ଅଦାଲତରେ ଆବେଦନ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/court-aa.jpg)