ପ୍ରତି ତହସିଲ୍‌ରେ ହେବ ସ୍ୱତନ୍ତ୍ର କୋର୍ଟ ରୁମ୍‌

ଭୁବନେଶ୍ୱର : ରାଜ୍ୟର ସମସ୍ତ ତହସିଲ୍‌ କାର୍ଯ୍ୟାଳୟରେ ସ୍ୱତନ୍ତ୍ର କୋର୍ଟ ରୁମ୍‌ ନିର୍ମାଣ ହେବ। ସମସ୍ତ କୋର୍ଟରୁମ୍‌ ଡିଜାଇନ୍‌ ଏକାଭଳି ହେବ। ତହସିଲଦାରମାନେ ଯେପରି ସୁବିଧାରେ ବିଭିନ୍ନ ମାମଲାର ଶୁଣାଣି କରିପାରିବେ ସେନେଇ ଏଭଳି ପଦକ୍ଷେପ ନିଆଯାଉଛି ବୋଲି ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି।

ତହସିଲଦାରମାନଙ୍କୁ ଏକଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ ଦାୟିତ୍ୱ ଦିଆଯାଇଥିବା ବେଳେ ସେମାନେ ବିଭିନ୍ନ ଜମିଜମା ସମ୍ପର୍କିତ ମାମଲାର ଶୁଣାଣି ତହସିଲ୍‌ କାର୍ଯ୍ୟାଳୟରେ କରୁଛନ୍ତି। ହେଲେ ତହସିଲଦାରଙ୍କ ପାଇଁ ସ୍ୱତନ୍ତ୍ର ରୁମ୍‌ ନଥିବାରୁ ତାଙ୍କ ନିଜସ୍ୱ ଚାମ୍ବରରେ ମାମଲାର ଶୁଣାଣି କରିବାକୁ ପଡ଼ୁଛି। ଏହାଦ୍ୱାରା ତହସିଲଦାରଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟ କରିବାରେ ସମସ୍ୟା ଉପୁଜୁଛି ଏବଂ କୌଣସି ମାମଲାର ଶୁଣାଣି ସମୟରେ ବି ଓକିଲମାନଙ୍କୁ ବସିବାକୁ କୌଣସି ବ୍ୟବସ୍ଥା କରାଯାଇପାରୁନି। ତେଣୁ ସମସ୍ତ ତହସିଲ କାର୍ଯ୍ୟାଳୟରେ ସ୍ୱତନ୍ତ୍ର କୋର୍ଟ ରୁମ୍‌ ନିର୍ମାଣ କରାଯିବ। ଏନେଇ ଡିଜାଇନ୍‌ ପ୍ରସ୍ତୁତ କରିବାକୁ ମୁଖ୍ୟ ଆର୍କିଟେକ୍ଟଙ୍କୁ କୁହାଯାଇଥିବାବେଳେ ଡିଜାଇନ୍‌ ପାଇବା ପରେ ତୁରନ୍ତ ଖର୍ଚ୍ଚ ଆକଳନ, ସ୍କେଚ୍‌ ମ୍ୟାପ୍‌ ଆଦି ପ୍ରସ୍ତୁତ କରିବାକୁ ମୁଖ୍ୟ ଯନ୍ତ୍ରୀ (ବିଲଡିଂ)ଙ୍କୁ କୁହାଯାଇଛି। କେବଳ କୋର୍ଟ ରୁମ୍‌ ନୁହେଁ ଯେଉଁ ତହସିଲ୍‌ ଅଞ୍ଚଳରେ ଅଧିକ ଜମିଜମା ରେକର୍ଡ ଅଛି ଏବଂ ଅଧିକ କିଣାବିକା ହେଉଛି ସେଠାରେ ସ୍ୱତନ୍ତ୍ର ଭାବେ ଅତିରିକ୍ତ ରେକର୍ଡ ରୁମ୍‌ ନିର୍ମାଣ କରାଯିବ। ସେହିପରି ରାଜ୍ୟରେ ୪୯୩ଟି ଆର୍‌ଆଇ କାର୍ଯ୍ୟାଳୟ ଥିବାବେଳେ ଏଥିରୁ ଅଧିକାଂଶ ଭଡ଼ା ଘରେ ଚାଲିଛି। ତେଣୁ ସମସ୍ତ ଆର୍‌ଆଇ ଅଫିସ ପାଇଁ ସରକାରୀ କାର୍ଯ୍ୟାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର