ରାଜନେତାଙ୍କ ବିରୋଧରେ ବିଚାରାଧୀନ ମାମଲାର ତ୍ବରିତ ଶୁଣାଣି ପ୍ରସଂଗ : ଭୁବନେଶ୍ୱର, ବ୍ରହ୍ମପୁର ଓ ସୁନ୍ଦରଗଡ଼ରେ ସ୍ବତନ୍ତ୍ର ଅଦାଲତ

ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ ଦାଖଲ
ଜଣେ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ନିଯୁକ୍ତ
ତିନିଟି ସ୍ବତନ୍ତ୍ର ଅଦାଲତ, ୧୧ଟି ଜେଏମ୍‌ଏଫସି କୋର୍ଟ ପ୍ରସଂଗରେ ଜବାବ ତଲବ

କଟକ : ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲାଗୁଡିକର ତ୍ବରିତ ଶୁଣାଣି ପାଇଁ ଭୁବନେଶ୍ବର, ବ୍ରହ୍ମପୁର ଓ ସୁନ୍ଦରଗଡ଼ରେ ସ୍ବତନ୍ତ୍ର ଅଦାଲତ କରାଯାଇଛି। ଭୁବନେଶ୍ବର ଓ ବ୍ରହ୍ମପୁରସ୍ଥିତ ଦୁଇଟି ଅତିରିକ୍ତ ଜିଲ୍ଲା ଜଜ୍ ଅଦାଲତଙ୍କୁ ଏପରି ମାମଲା ଶୁଣାଣି ପାଇଁ ସ୍ବତନ୍ତ୍ର ଅଦାଲତ ମାନ୍ୟତା ପ୍ରଦାନ କରାଯାଇଛି। ସେହିଭଳି ଭାବେ ଭୁବନେଶ୍ବର ଓ ସୁନ୍ଦରଗଡ଼ସ୍ଥିତ ଦୁଇଟି ମାଜିଷ୍ଟ୍ରେରିଆଲ ଅଦାଲତଙ୍କୁ ଏଭଳି ମାମଲାଗୁଡିକର ଶୁଣାଣି ପାଇଁ ସ୍ବତନ୍ତ୍ର ଅଦାଲତ ଭାବେ ମାନ୍ୟତା ଦିଆଯାଇଛି। ଏହିସବୁ ଅଦାଲତରେ ସାଂସଦ, ବିଧାୟକ ଓ ପୂର୍ବତନ ସାଂସଦ ବିଧାୟକଙ୍କ ବିରୋଧରେ ଥିବା ମାମଲାଗୁଡିକର ଶୁଣାଣି ହେବ। ରାଜନେତାଙ୍କ ବିରୋଧରେ ବିଚାରାଧୀନ ମାମଲାର ତ୍ବରିତ ଶୁଣାଣି ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଏପରି ତଥ୍ୟ ଉଲ୍ଲେଖ କରାଯାଇଛି। ଏଥିପାଇଁ ଅନ୍ୟ ଅଦାଲତ ପ୍ରତିଷ୍ଠା, ଏ ସଂପର୍କିତ ଭିତ୍ତିଭୂମି, କର୍ମଚାରୀ ପ୍ରସଂଗରେ ହାଇକୋର୍ଟଙ୍କ ନିକଟରୁ ପ୍ରସ୍ତାବ ମିଳିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସାଂସଦ, ବିଧାୟକଙ୍କ ବିରୋଧରେ ମାମଲାର ତ୍ବରିତ ଶୁଣାଣି ଶେଷ କରିବା ସୁନିଶ୍ଚିତ କରିବା ପାଇଁ ପ୍ରତି ସ୍ବତନ୍ତ୍ର ଅଦାଲତରେ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ନିଯୁକ୍ତି ପ୍ରସଂଗରେ ଆଇନ ବିଭାଗକୁ ୨୦୨୦ ନଭେମ୍ବର ୧୯ରେ ଚିଠି ଲେଖା ଯାଇଥିଲା। ଭୁବନେଶ୍ବର ସ୍ବତନ୍ତ୍ର ଅଦାଲ‌ତରେ ସାଂସଦ, ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲା ପରିଚାଳନା ପାଇଁ ଆଇନ ବିଭାଗ ପକ୍ଷରୁ ଜଣେ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟରଙ୍କୁ ୨୦୧୯ ନଭେମ୍ବର ୨୭ରେ ନିଯୁକ୍ତି ଦିଆଯାଇଥିଲା। ସାକ୍ଷୀଙ୍କ ସୁରକ୍ଷା ପାଇଁ ଗୃହ ବିଭାଗ ପକ୍ଷରୁ ‘ୱିଟନେସ୍ ପ୍ରୋଟେକ୍ସନ୍ ସ୍କିମ୍’, ୨୦୧୯ ନେଇ ୨୦୧୯ ଜୁଲାଇ ୫ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ କାର୍ଯ୍ୟବିଧି ନିୟମାବଳୀ ପ୍ରକାଶ କରାଯାଇଥିଲା। ବିନା କୌଣସି ଡର, ଭୟରେ ସାକ୍ଷୀଙ୍କୁ ସୁରକ୍ଷିତ ବାତାବରଣରେ କୋର୍ଟରେ ସାକ୍ଷ୍ୟ ପ୍ରଦାନ ପାଇଁ ବ୍ୟବସ୍ଥା‌ ଲାଗି ଏପରି ନିୟମାବଳୀର ଉଦ୍ଦେଶ୍ୟ। ସାକ୍ଷୀଙ୍କ ସୁରକ୍ଷା ସଂପର୍କିତ ଏହି ନିୟମାବଳୀ ପାଳନ ପାଇଁ ଡିଜି ଓ ଆଇଜି ପୁଲିସ, କ୍ରାଇମବ୍ରାଞ୍ଚ ଏଡିଜି, ସମସ୍ତ ଜିଲ୍ଲାର ପବ୍ଲିକ୍ ପ୍ରସିକ୍ୟୁଟର ଓ ଏସ୍‌ପିଙ୍କୁ କୁହାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି ଚାଲିଛି। ୨୦୨୧ ଜାନୁଆରି ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୯ରେ ହାଇକୋର୍ଟ ମାମଲାର ଶୁଣାଣି କରି ତିନୋଟି ରାଜସ୍ବ ଡିଭିଜନରେ ତିନୋଟି ସ୍ବତନ୍ତ୍ର ଅଦାଲତ ଓ ୧୧ଟି ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ (ଜେଏମ୍‌ଏଫ୍‌ସି) ଅଦାଲତ ପ୍ରତିଷ୍ଠା ପ୍ରସଂଗରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟରେ ଦାଖଲ ଏ ସଂପର୍କିତ ଆକ୍ସନ ପ୍ଲାନ୍ ଅନୁସାରେ ଏଥିପାଇଁ ନିର୍ଦ୍ଧା‌ରିତ ସମୟସୀମା ରହିଥିବାବେଳେ ରାଜ୍ୟ ସରକାରଙ୍କୁ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ସବୁ ପ୍ରସଂଗରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମାମଲାର ବିବରଣୀ ଅନୁଯାୟୀ ସୁପ୍ରିମକୋର୍ଟ ସେପ୍ଟେମ୍ବର ୧୬ ତାରିଖରେ ‘ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର’ ମାମଲାର ଶୁଣାଣି କରି ରାଜନେତାଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ତ୍ବରିତ ଶୁଣାଣି କରି ଫଇସଲା କରିବା ସହ ଏଥିପାଇଁ ସ୍ବତନ୍ତ୍ର ଅଦାଲତ ଗଠନ ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ନିଜ ଆଡୁ ହାଇକୋର୍ଟ ଏହି ମାମଲା ରୁଜୁ କରିଥିଲେ। ମାମଲାରେ ରାଜ୍ୟ ଗୃହ ସଚିବ, ଆଇନ ସଚିବ, ପୁଲିସ ଡିଜି, ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର