ଓଡ଼ିଶାର ୬ ସଂଗ୍ରାମୀଙ୍କ ସ୍ମୃତିରେ ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚିତ

ଭୁବନେଶ୍ବର : କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଓଡ଼ିଶାର ୬ ଜଣ ମହାନ ସ୍ବାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ସହିଦ ବାଜି ରାଉତ, ସହିଦ ଚକରା ବିଷୋୟୀ, ସହିଦ ଚାଖି ଖୁଣ୍ଟିଆ ଓ ପାର୍ବତୀ ଗିରିଙ୍କ ସ୍ମୃତିରେ ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ ଦ୍ବାରା ପାଳନ କରାଯାଉଥିବା ଆଜାଦି କା ଅମୃତ ମହୋତ୍ସବ ଅବସରରେ ଏହି କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ୟ୍ୟକ୍ରମ ବେଳେ ଉଭୟ କେନ୍ଦ୍ର ମନ୍ତ୍ରୀ ଉକ୍ତ ୬ ଜଣ ସଂଗ୍ରାମୀଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ ।

ଏହି ଅବସରରେ ଟୁଇଟ କରି ଧର୍ମେନ୍ଦ୍ର ଲେଖିଛନ୍ତି “ ବ୍ରିଟିଶ ବିରୋଧରେ ମହାନ ଯୋଦ୍ଧା ଜୟୀ ରାଜଗୁରୁଙ୍କ ସଂଗ୍ରାମ, ପାଇକ ବିଦ୍ରୋହରେ ବକ୍ସି ଜଗବନ୍ଧୁଙ୍କ ବଳିଷ୍ଠ ନେତୃତ୍ୱ, ଘୁମୁଷର ପାଇଁ ଆପ୍ରାଣ ଚେଷ୍ଟା କରିଥିବା ଜନଜାତି ଜନନାୟକ ଚକରା ବିଷୋୟୀ, ସିପାହୀ ବିଦ୍ରୋହରେ ଚାଖି ଖୁଣ୍ଟିଆଙ୍କ ଭୂମିକା,ଶହୀଦ ବାଜି ରାଉତଙ୍କ ସାହସ ଓ ପାର୍ବତି ଗିରିଙ୍କ ଦେଶସେବାର ଇଚ୍ଛାଶକ୍ତି ପ୍ରେରଣା ହୋଇ ରହିବ । ଆଗାମୀ ଦିନରେ ଏଭଳି ମହାନାୟକଙ୍କ ତ୍ୟାଗ ତଥା ବଳିଦାନକୁ ଶତାବ୍ଦୀ ଶତାବ୍ଦୀ ଧରି ଉଜ୍ଜିବୀତ କରି ରଖିବା ପାଇଁ ଓଡ଼ିଶାର ପୁରାତନ ଇତିହାସ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା କରିବା ପାଇଁ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ(ଆଇସିଏଚଆର) ମାଧ୍ୟମରେ ପ୍ରଚେଷ୍ଟା କରାଯିବ ।

“ଓଡ଼ିଶା ମାଟିର ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଜୟୀ ରାଜଗୁରୁ,ବକ୍ସି ଜଗବନ୍ଧୁ,ଚକରା ବିଷୋୟୀ,ଚାଖି ଖୁଣ୍ଟିଆ,ଶହୀଦ ବାଜି ରାଉତ ଓ ପାର୍ବତି ଗିରିଙ୍କ ସ୍ମୃତିରେ ଉନ୍ମୋଚିତ ହୋଇଥିବା ଲଫାପାକୁ କିଣି ବ୍ୟବହାର କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛି। ତେବେ ଯାଇ ଏହି ମହାପୁରୁଷ ଓ ମହିୟସୀ ମହିଳାଙ୍କୁ ସଠିକ୍ ଶ୍ରଦ୍ଧାଞ୍ଜଳି ଦେଇ ହେବ।“ ବୋଲି ସେ ଲେଖିଛନ୍ତି ।

ସମ୍ବନ୍ଧିତ ଖବର