ଖୋର୍ଦ୍ଧା: ଭୁବେନଶ୍ବର ପରେ ଖୋର୍ଦ୍ଧା, ଜଟଣୀ ଆଦି ଉପକଣ୍ଠ ଅଞ୍ଚଳରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇବା ଘଟଣାରେ ଚଳିତ ବର୍ଷ ଜୁଲାଇ ୩ ତାରିଖରେ ଖୋର୍ଦ୍ଧା ପୌର ପ୍ରଶାସନ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପ୍ରତିଶ୍ରୁତି ଦେଇଥିଲେ ଯେ ସ୍ବତନ୍ତ୍ର ଯୋଜନାରେ ଖୋର୍ଦ୍ଧା ପୌରାଞ୍ଚଳର ନାଳନର୍ଦ୍ଦନା ସଫା ହେବ, ଅଳିଆ ଆବର୍ଜନା ଲଟାବୁଦା ସବୁ ସଫା ହେବ। ଜୁଲାଇ ୬ ତାରିଖ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକରେ ନାଳନର୍ଦ୍ଦନା, ଅଳିଆ-ଆବର୍ଜନା ଆଦି ସଫା କରିବାକୁ ସ୍ବତନ୍ତ୍ର ଆକ୍ସନ ପ୍ଲାନ ମଧ୍ୟ ପ୍ରସ୍ତୁତ ହେଲା। ଏହା ମଧ୍ୟରେ ଦୁଇ ମାସ ବିତିଗଲାଣି, ଆକ୍ସନପ୍ଲାନ୍‌ କାର୍ଯ୍ୟକାରୀ ହେବା ତ ଦୂରକଥା ରାସ୍ତାଘାଟରେ ଅଳିଆଆବର୍ଜନା ଉଠିବା ପରିବର୍ତେ ଅଧିକ ଜମା ହେବାରେ ଲାଗିଛି।

Advertisment

ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାର ସଦରମହକୁମାର ରାସ୍ତାଘାଟର ଅବସ୍ଥା ଯାହା ସେଥିରୁ ଏଠାରେ ଏକ ନିର୍ବାଚିତ ପୌର ପରିଷଦ ରହିଛି ଓ ଏହା ସହରର ସାମୂହିକ ସ୍ବଚ୍ଛତା, ପରିମଳ, ସ୍ବାସ୍ଥ୍ୟପାଇଁ କାର୍ଯ୍ୟ କରୁଛି ବୋଲି ବିଶ୍ବାସ କରିହେବନାହିଁ। ସାଧାରଣ ଲୋକଙ୍କ ସମସ୍ୟା ଓ ନିବେଦନ ଦୂରରେ ଥାଉ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଡେଙ୍ଗୁ ନିୟନ୍ତ୍ରଣ ସମୀକ୍ଷା ବୈଠକରେ ନିଷ୍ପତ୍ତିକୁ ମଧ୍ୟ ପୌର ପ୍ରଶାସନର ଖାତିର ନାହିଁ। ଜୁଲାଇ ୬ ତାରିଖରେ ବସିଥିବା ବୈଠକରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଏକ ସ୍ବତନ୍ତ୍ର ଆକ୍ସନପ୍ଲାନ୍‌ ହୋଇଥିଲା। ଡେଙ୍ଗୁ ନିୟନ୍ତ୍ରଣକୁ ଆସିବା ଯାଏଁ ପ୍ରତ୍ୟେହ ସଂଧ୍ୟାରେ ମଶାମରା ଧୂଆଁ ଛାଡ଼ିବା, ଜମି ରହିଥିବା ପାଣିର ନିଷ୍କାସନ, ‌ରାସ୍ତାକଡ଼ରେ ଉଠିଥିବା ଅନାବନା ଗଛ ସଫଳ କରିବା, ଆବର୍ଜନା ନିଷ୍କାସନ କରିବା, ଜମି ରହିଥିବା ନାଳର ନିଷ୍କାସନ ପାଇଁ ପଦକ୍ଷେପ ନେବାକୁ ‌ନିଷ୍ପତ୍ତି ନିଆଯାଇଥିଲା। ବର୍ତମାନ ସହରର ଅଧିକାଂଶ ସ୍ଥାନ ଆବର୍ଜନାରେ ଭର୍ତି ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ କଥା ସ୍ଥାନୀୟ କାଉନ୍‌ସିଲର ଶୁଣୁନାହାନ୍ତି କି କାଉନ୍‌ସିଲରଙ୍କ ନିବେଦନକୁ ପୌର ପରିଷଦ ଅଧ୍ୟକ୍ଷା କର୍ଣ୍ଣପାତ କରୁନାହାନ୍ତି। ପୌର ପରିଷଦର ନିର୍ବାହୀ ଅଧିକାରୀ ‘ପଦକ୍ଷେପ ନିଆଯାଉଛି’ ବୋଲି ଦୁଇପଦ କଥାରେ ନିଜ ଉପରୁ ଦାୟିତ୍ବ ହଟାଇଦେଉଛନ୍ତି।

publive-image

ଜିଲ୍ଲାରେ ଡେଙ୍ଗୁ ସ୍ଥିତିନେଇ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟାଧିକାରୀ ଡାକ୍ତର ଜୀବନ୍ତ କୁମାର ଆଚାର୍ଯ୍ୟ କହିଛନ୍ତି ଯେ ଜିଲ୍ଲାରେ ୨୬୨୪ଜଣ ଡେଙ୍ଗୁ ସଂକ୍ରମିତ ବର୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୧୭୪୫ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୪୬୨ ସଂକ୍ରମିତ ଅଛନ୍ତି। ଆଜି ଗୋଟିଏ ଦିନରେ ୯୯ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହା ମଧ୍ୟରୁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୪୪ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୨୯ଜଣ ‌ସଂକ୍ରମିତ ଅଛନ୍ତି। ଅଗଷ୍ଟ ମାସରେ ଖୋର୍ଦ୍ଧା ଜିଲ୍ଲାରେ ମୋଟ ଡେଙ୍ଗୁ ସଙ୍କ୍ରମିତଙ୍କ ସଂଖ୍ୟା ୧୯୩୭ ଥିଲା। ଏହା ମଧ୍ୟରୁ ବିଏମ୍‌ସିରେ ୧୧୩୯, ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୪୨୫ ଥିବା ବେଳେ ଠିକଣା ସୂଚନାରେ ତଥ୍ୟଗତ ତ୍ରୁଟି ଆଦି ଯୋଗୁଁ୩୩୭ଜଣଙ୍କୁ ଚିହ୍ନଟକରାଯାଇପାରିନଥିଲା। ବର୍ତମାନ ସୁଦ୍ଧା ଜିଲ୍ଲାରେ ୨୪,୫୦୧ଟି ପରୀକ୍ଷଣ ମଧ୍ୟରୁ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୧୭୧୫୭ଟି, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬୭୦୪ଟି, ପଟିଆ ସହରାଞ୍ଚଳ ଚିକିତ୍ସାଳୟରେ ୨୧୯ ଓ ଆଇଆର୍‌ସି ଭିଲେଜ ଚିକିତ୍ସାଳୟରେ ୪୬୯ଟି ପରୀକ୍ଷଣ ‌କରାଯାଇଛି। ମୋଟ ପରୀକ୍ଷଣରୁ ୨୪୫୧ଜଣଙ୍କ ଠାରେ ଡେଙ୍ଗୁ ଥିବା ଜଣାଯାଇଛି। ଏହା ମଧ୍ୟରୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ର ୨୧୧୧, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୪୦, ପଟିଆରେ ୪୪ ଓ ଆଇଆର୍‌ସି ଭିଲେ୍ଜ ସହରାଞ୍ଚଳ ଚିକିତ୍ସାଳୟରେ ୫୭ଜଣ ରୋଗୀ ଅଛନ୍ତି।