ବୀରମହାରାଜପୁର: ଦୀପାବଳି ଶାଢ଼ି ତିଆରି କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ବାଗବର ପଞ୍ଚାୟତ କେନ୍ଦୁପାଲି ଗାଁର ବାନ୍ଧଶିଳ୍ପୀ ମନୋଜ ମେହେର। ଏଥିପାଇଁ ସେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ଵାରା ସମ୍ମାନିତ ହୋଇଛନ୍ତି। ବଜାରରେ ବି ଶାଢ଼ିର ବେଶ୍‌ ଚାହିଦା ରହିଛି। ଶାଢ଼ିଟି ସୂକ୍ଷ୍ମ ମାଲବରି ସିଲ୍‌କ ସୂତାରେ ପ୍ରସ୍ତୁତ ହୋଇଛି। ଶାଢ଼ିର ଦେହସାରା ମେହେର ସମ୍ପ୍ରଦାୟର ତନ୍ତ ସାମଗ୍ରୀ ଯଥା ଚହଁଟା, କୁଂଚି, ଖୁଂଟାପଟା, ଅସାରୀ, କମଡ଼ା, ନରି, ମଙ୍ଗା ସହ ଦୀପାବଳିରେ ପ୍ରସ୍ତୁତ ହେଉଥିବା ପିଠା, ମଣ୍ଡା, ଠେରରା ଭଳି ଜିନିଷକୁ ସ୍ଥାନୀତ କରାଯାଇଛି। ଏହାସହ ସେହିଦିନ ଭୁଲିଆ ସମ୍ପ୍ରଦାୟ ଦ୍ୱାରା ଗାଁ ଦାଣ୍ଡରେ ଆଖୁଦଣ୍ଡ ଧରି ବାହାରୁଥିବା ଶୋଭାଯାତ୍ରାର ଝଲକ ସହ ସେତେବେଳେ ଗାନ କରାଯାଉଥିବା ଗୀତର ପଦକୁ ମଧ୍ୟ ସ୍ଥାନୀତ କରାଯାଇଛି। ଶାଢ଼ିଟିକୁ ପ୍ରସ୍ତୁତ କରିବାକୁ ଏକମାସ ସମୟ ଲାଗିଥିବା ବେଳେ ଏହାକୁ ପ୍ରସ୍ତୁତ କରିବାରେ ବୁଣାକାର ମନୋଜ ମେହେରଙ୍କୁ ତାଙ୍କ ପରିବାର ସଦସ୍ୟ ସହଯୋଗ କରିଛନ୍ତି। ଶାଢ଼ିର ବଜାର ଦର ୨୭ ହଜାର ରହିଥିବା ବୁଣାକାର ମନୋଜ କହିଛନ୍ତି।

Advertisment

ମନୋଜ କୁହନ୍ତି ଯେ, ସୁବର୍ଣ୍ଣପୁର ଜିଲ୍ଲାର ହସ୍ତତନ୍ତ କାରିଗରଙ୍କ ହାତବୁଣା ଲୁଗା ଏବେ ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି। ନିଜ ପରମ୍ପରାକୁ ଶାଢିରେ ସ୍ଥାନ ଦେବାର ପ୍ରଚେଷ୍ଟା କରିଛୁ। ଗୁରୁ ପ୍ରଫୁଲ୍ଲ ମେହେର ମୋତେ ଏହି ଡିଜାଇନ୍ ଦେଇଥିଲେ। ଏହାପରେ ସମସ୍ତ ପରିବାର ମିସି ଗୋଟିଏ ମାସ ପରିଶ୍ରମ କରି ଏହି ଶାଢ଼ି ବୁଣି ପାରିଛୁ। ଏଥିରେ ଦିଆଲି (ଦୀପାବଳି) ପୂଜାରେ ବ୍ୟବହାର ସମସ୍ତ ଯନ୍ତ୍ର ସ୍ଥାନ ଦେଇଛୁ । ଏହା ସହିତ ଆମ ଭୁଲିଆ ଭାଷାର ଏକ ଗୀତ ସ୍ଥାନିତ କରାଯାଇଛି। ‘ରଜା ବାହାବେ ଆବେ, ଖଣ୍ଡ ଖଜା ଖାବେ, ଅନ୍ଧାରେ ଆବେ, ଉଜାଲେ ଜାବେ, ନଡ଼ିଆ ମହା ପ୍ରସାଦ ଖାବେ, ରଜା ବାହାବେ ଆବେ।’

ଗୁରୁ ପ୍ରଫୁଲ୍ଲ ମେହେର କହିଛନ୍ତି, ଆମେ ସବୁବେଳେ କିଛି ନୂଆଁ ଜିନିଷ ବାନ୍ଧ କଳାକାରମାନଙ୍କ ପାଇଁ କରିଛୁ। ସେଥି ମଧ୍ୟରେ ଦିଆଲି ଶାଢ଼ି ଅନ୍ୟତମ। ଏହି କନସେପଟ୍ ତିଆରି କଲାପରେ ଜଣେ ଯୁବ ବାନ୍ଧ କଳା କାର ଓ ବୁଣାକାର ମନୋଜ ମେହେରଙ୍କୁ ଏହା କରିବା ପାଇଁ କହିଥିଲି। ତାଙ୍କ ପ୍ରବଳ ଆଗ୍ରହ ଦେଖି ତାଙ୍କୁ ଗାଇଟ୍ କଲା ପରେ ସୁନ୍ଦର ବାନ୍ଧ ବାନ୍ଧିବା ସହିତ ଶାଢ଼ିକୁ ବୁଣିବାରେ ସଫଳ ହୋଇଥିଲେ । ସେହି ବର୍ଷ ସେହି ଦିଆଲି ଶାଢ଼ିକୁ ରାଜ୍ୟ ପୁରସ୍କାରେ ସରକାର ପୁରସ୍କୃତ କରିଥିଲେ।

ମନୋଜଙ୍କ ବାପା ମଙ୍ଗୁଲୁ ମେହେର କୁହନ୍ତି ଆଜ୍ଞା ଯେତେବେଳେ ଗୁରୁ ପ୍ରଫୁଲ୍ଲ ମେହେର ମୋ ପୁଅକୁ ଏହି ଦିଆଲି ଶାଢ଼ିର ଡିଜାଇନ୍ ଦେଲେ, ମୋର ସ୍ତ୍ରୀ ନଳିନୀ, ପୁତ୍ର ବଧୁ ସତ୍ୟବତୀ ଏକ ମାସ କଠିନ ପରିଶ୍ରମ କରି ପ୍ରଥମେ ପାଟ ସୂତା ପରିବା ପରେ କମଡାରେ ରଗାଇ ବାନ୍ଧ ବାନ୍ଧିବା ପରେ ପୁଣି ଘୁଣ୍ଣି କରି ରଙ୍ଗ କରି ତନ୍ତ ବା ମଙ୍ଗାରେ ଲଗାଇ ଏହି ଦିଆଲି ଶାଢ଼ି ବୁଣିବାରେ ସଫଳ ହୋଇଥିଲୁ ।