ସ୍ଥାଣୁ ପାଲଟିଛି ସ୍ବତନ୍ତ୍ର ଉନ୍ନୟନ ପରିଷଦ

୩ ବର୍ଷ ହେଲା ଖାଲି ପଡ଼ିଛି ଅଧ୍ୟକ୍ଷ ପଦ, ଖର୍ଚ୍ଚ ହୋଇ ପାରୁନି ୨୦ କୋଟି ଟଙ୍କା

ବାରିପଦା : ୨୦୧୭ ମସିହାରେ ରାଜ୍ୟ ସରକାର ୯ଟି ଆଦିବାସୀ ବହୁଳ ଜିଲ୍ଲାରେ ଜନଜାତିଙ୍କ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ତଥା ସାମୂହିକ ବିକାଶ ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥିଲେ। ସେଥିମଧ୍ୟରେ ଥିଲା ମୟୂରଭଞ୍ଜ ଜିଲ୍ଲା। ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ବିଜେଡିର ବରିଷ୍ଠ ନେତା ଡା. ଦେବାଶିଷ ମାରାଣ୍ଡିଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏଥିପାଇଁ ସ୍ବତନ୍ତ୍ର ଘର ନଥିବାରୁ ଜିଲ୍ଲା ପଞ୍ଚାୟତ ପ୍ରଶିକ୍ଷଣ କେନ୍ଦ୍ରରେ ଉନ୍ନୟନ ପରିଷଦ କାର୍ଯ୍ୟାଳୟ ଚାଲିଥିଲା। ଆଦିବାସୀଙ୍କ କଳାସଂସ୍କୃତିର ପୁନଃରୁଦ୍ଧାର, ଧର୍ମପୀଠ ଓ କ୍ଲବ୍‌ ଘର ନିର୍ମାଣ, ବାଦ୍ୟଯନ୍ତ୍ର ଓ ପୋଷାକ ଯୋଗାଣ, ଖେଳକୁଦ, ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ଆଦିବାସୀ ହାଟ ନିର୍ମାଣ ଆଦିକୁ ଉନ୍ନୟନ ପରିଷଦ ପକ୍ଷରୁ ଗୁରୁତ୍ବ ଦିଆଯାଇଥିଲା। ଏଥିପାଇଁ ସରକାର ‌ମୋଟ୍ ୭୮ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ। ସେଥିରୁ ୫୮କୋଟି ଟଙ୍କା ବ୍ୟୟରେ ବିଭିନ୍ନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା। ତେବେ ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀ ମାରାଣ୍ଡି ବିଜେଡିରୁ ସାଂସଦ ପ୍ରାର୍ଥୀ ହେବାରୁ ତାଙ୍କୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ତା ପରଠାରୁ ମୟୂରଭଞ୍ଜରେ ସ୍ଥାଣୁ ହୋଇଯାଇଛି ସ୍ବତନ୍ତ୍ର ଉନ୍ନୟନ ପରିଷଦ।

ପରିଷଦର କେହି ମୁରବି ନଥିବାରୁ ୫୮ କୋଟି ଟଙ୍କା ଠିକ୍‌ ଭାବେ ଖର୍ଚ୍ଚ ହୋଇ ପାରିନଥିଲା। ଏହାକୁ ନେଇ ବେଶ୍‌ କିଛିଦିନ ହଙ୍ଗାମା ହୋଇଥିଲେ ବି ୭୮ରୁ ୫୮ କୋଟି ଟଙ୍କା ଆଦିବାସୀଙ୍କ ବିକାଶ ପାଇଁ ଖର୍ଚ୍ଚ ହୋଇସାରିଛି ବୋଲି ଦର୍ଶାଇ ସରକାରୀ ବାବୁମାନେ କାଗଜପତ୍ର କରିଦେଲେ। ଅବଶିଷ୍ଟ ୨୦ କୋଟି ଟଙ୍କା ଏବେ ବି ଖର୍ଚ୍ଚ ନ ହୋଇ ପଡ଼ିରହିଛି ଓ ଏହି ଅର୍ଥ ଫେରିଯିବାର ଆଶଙ୍କା ସୃଷ୍ଟି ହେଲାଣି।

ଯଦିଓ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଏବେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧୀନରେ ରହିଛି, ହେ‌ଲେ ଅଧ୍ୟକ୍ଷ ନଥିବାରୁ ଅନୁଦାନ ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ। ଅଧ୍ୟକ୍ଷ ପଦ କେବେ ପୂରଣ ହେବ ତାହା ବି ଜଣାପଡୁନି।

ସମ୍ବନ୍ଧିତ ଖବର