ଅନୁସୂଚିତ ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ‘ସ୍ବତନ୍ତ୍ର ଉନ୍ନୟନ ପରିଷଦ’: ମନ୍ତ୍ରୀ

ଭୁବନେଶ୍ବର : ଅନୁସୂଚିତ ଜନଜାତି ସମ୍ପ୍ରଦାୟର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ତତ୍ପର ଅଛନ୍ତି। ତେଣୁ ସେମାନଙ୍କ ଉନ୍ନତିକରଣ କାର୍ଯ୍ୟକ୍ରମରେ ସୃଷ୍ଟି ହେଉଥିବା ବିଭିନ୍ନ ବାଧାବିଘ୍ନ ଯଥା; ଆର୍ଥିକ ନିଅଣ୍ଟିଆ ଅଞ୍ଚଳ ଚିହ୍ନଟ, ଆବଶ୍ୟକ ହେଉଥିବା ଭିତ୍ତିଭୂମି ଏବଂ ଯୋଜନା ପ୍ରସ୍ତୁତ ଓ ପରିଚାଳନା ଇତ୍ୟାଦିରେ ସେମାନଙ୍କ ସଂପୃକ୍ତିର ଆବଶ୍ୟକତା ଉପଲବ୍ଧ କରି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି। ଏଥିନିମନ୍ତେ ବଜେଟ୍‌ରେ ୧୭୫କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି।

ସୋମବାର ଦିନ ବିଧାନସଭାରେ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପନ କରି ମନ୍ତ୍ରୀ ଶ୍ରୀ ସାରକା କହିଥିଲେ, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଭାଗର କାର୍ଯ୍ୟକ୍ରମ ବ୍ୟୟ ପାଇଁ ୩୬୦୧କୋଟି ୭୭ଲକ୍ଷ ୬୯ହଜାର ଟଙ୍କା, ପ୍ରଶାସନିକ ବ୍ୟୟ ବାବଦରେ ୧୦୪୯କୋଟି ୯୮ଲକ୍ଷ, ନିର୍ଦ୍ଦେଶିତ ରାଶି ବାବଦକୁ ୨ଲକ୍ଷ ଟଙ୍କା ବରାଦ ହୋଇଛି। ଏହିପରି ମୋଟ୍ ୪୬୫୧କୋଟି ୭୭ଲକ୍ଷ ୬୯ହଜାର ଟଙ୍କା ବ୍ୟୟ ବରାଦ ହୋଇଛି।

ରାଜ୍ୟରେ ମୁଖ୍ୟତଃ ତିନି ପ୍ରକାରର ଯୋଜନା କାର୍ଯ୍ୟକାରୀ ହୋଇଥାଏ। ରାଜ୍ୟସ୍ତରୀୟ ଯୋଜନା, କେନ୍ଦ୍ରସ୍ତରୀୟ ଯୋଜନା ଏବଂ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା। ରାଜ୍ୟସ୍ତରୀୟ ଯୋଜନା ପାଇଁ କାର୍ଯ୍ୟକ୍ରମ ବ୍ୟୟ ବରାଦରୁ ୨୨୪୫କୋଟି ୯୭ଲକ୍ଷ ୪୫ହଜାର ଟଙ୍କା, କେନ୍ଦ୍ରସ୍ତରୀୟ ଯୋଜନାରେ ୧୪୦କୋଟି, କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ପାଇଁ ୧୨୧୫କୋଟି ୮୦ଲକ୍ଷ ୨୪ହଜାର ଟଙ୍କା ଅଛି। ଏହବାଦ୍ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ୍‌ରେ ୧୨୦କୋଟି, ଅନୁସୂଚିତ ଜନଜାତିଙ୍କ ଉନ୍ନୟନ କାର୍ଯ୍ୟ ପାଇଁ ୧୦୦କୋଟି, ଆଦିମ ଜନଜାତି ପରିବାରଙ୍କ ଜୀବନ ଜୀବିକାର ମାନ ଉନ୍ନତିକରଣ ନିମନ୍ତେ ୯୦କୋଟି ଖର୍ଚ୍ଚ କରିବାକୁ ଯୋଜନା ଅଛି।

ଭାରତ ସମ୍ବିଧାନର ଧାରା ୨୭୫ (୧) ଅନୁଯାୟୀ ପ୍ରତିବର୍ଷ ଏହି ବିଭାଗକୁ କେନ୍ଦ୍ର ଅନୁସୂଚିତ ଜନଜାତି ମନ୍ତ୍ରଣାଳୟ ଠାରୁ ଅନୁଦାନ ମିଳିଥାଏ। ୨୦୨୩-୨୪ରେ ୧୪୦କୋଟି ମିଳିବାର ଆକଳନ ହୋଇଛି। ଏହାସହ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଆଦିମ ଜନଜାତିଙ୍କ ପରିବେଶକୁ ଅକ୍ଷୁର୍ଣ୍ଣ ରଖି ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ମାନବୃଦ୍ଧି ପାଇଁ ୩୫କୋଟି ୮୦ଲକ୍ଷ, ଅନୁସୂଚିତ ଜାତିମାନଙ୍କର ସମୂହ ଉନ୍ନତି ନିମନ୍ତେ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପାଣ୍ଠି ମାଧ୍ୟମରେ ୫୨କୋଟି ୮୬ଲକ୍ଷ ୫ହଜାର, ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ୍ୟ ଯୋଜନାରେ ୧୨୦କୋଟି ୧ହଜାର ଟଙ୍କା, ସିଭିଲ ଅଧିକାର ସଂରକ୍ଷଣ ଅଧିନିୟମ ୧୯୫୫ ଏବଂ ନିର୍ଯାତନା ନିବାରଣ ଅଧିନିୟମ ୧୯୮୯କୁ କାର୍ଯ୍ୟକାରୀ କରିବା ନିମନ୍ତେ ୧୦୦କୋଟି ୮୮ଲକ୍ଷ ୫୦ହଜାର ଟଙ୍କା ବ୍ୟୟ ବରାଦ ହୋଇଛି।
ମନ୍ତ୍ରୀ ବିଭାଗର ଖର୍ଚ୍ଚ ବରାଦ ବିଷୟରେ ଆଲୋଚନା କରିଥିଲେ ହେଁ ବିଧାୟକମାନେ ଉଠାଇଥିବା ପ୍ରଶ୍ନର ଉତ୍ତର ରଖିନଥିଲେ।

ସମ୍ବନ୍ଧିତ ଖବର