ଆସନ୍ତାକାଲି ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଆଗମନର ଶହେ ବର୍ଷ ପୂରଣ ହେବ, ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା  

ଭୁବନେଶ୍ବର: ଆସନ୍ତାକାଲି ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂରଣ ହେବ । ଏ ଉପଲକ୍ଷେ କାଲି ବିଧାନସଭାରେ ସ୍ବତନ୍ତ୍ର ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଦିନ ୧୦ଟାରୁ ସାଢେ ୧ଟା ପର୍ଯ୍ୟନ୍ତ ବିଧାନସଭାରେ ସ୍ବତନ୍ତ୍ର ଆଲୋଚନା ହେବ । ଗାନ୍ଧିଙ୍କ ଓଡ଼ିଶା ଗସ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ ଓ ସଂକଳ୍ପ ଅଣାଯାଇ ଗୃହୀତ ହେବବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଘୋଷଣା କରିଛନ୍ତି ।

ଆସନ୍ତା କାଲିର ଏହି ସ୍ବତନ୍ତ୍ର ଆଲୋଚନା ପାଇଁ ବିଧାନସଭାର ପ୍ରଶ୍ନକାଳ,ଶୂନ୍ୟକାଳ, ମୁଲତବୀ ଆଲୋଚନା ବାତିଲ କରାଯାଇଛି ।

ସୂଚନାଯୋଗ୍ୟ ଯେ, ମହାତ୍ମା ଗାନ୍ଧି ୧୯୨୧ରୁ ୧୯୪୬ ମଧ୍ୟରେ ୮ ଥର ଓଡ଼ିଶା ଗସ୍ତରେ ଆସିଥିଲେ । ପ୍ରଥମ ଥର ପାଇଁ ସେ ୧୯୨୧ ମସିହା ମାର୍ଚ୍ଚ ୨୩ରେ ଓଡ଼ିଶା ଆସିଥିଲେ । ନିଜର ପ୍ରଥମ ଓଡ଼ିଶା ଗସ୍ତରେ ଆସି ଗାନ୍ଧିଜୀ କଟକ କାଠଯୋଡ଼ି ନଦୀ ପଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ । ଗାନ୍ଧିଜୀଙ୍କ ଏହି ଓଡ଼ିଶା ଆଗମନର ଶହେ ବର୍ଷ ପୂରଣ ହେବା ଉପଲକ୍ଷେ ରାଜ୍ୟ ସରକାର ୨୦୨୧ ମାର୍ଚ୍ଚ ୨୩ରୁ ବର୍ଷକ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି ।

ସମ୍ବନ୍ଧିତ ଖବର