ନିଖୋଜ ଶିଶୁଙ୍କୁ ଉଦ୍ଧାର ପାଇଁ ସମ୍ବଲପୁର ପୁଲିସର ସ୍ବତନ୍ତ୍ର ଡ୍ରାଇଭ୍

୪୮ ରୁ ୧୭ ଶିଶୁ ଉଦ୍ଧାର, ଏବେ ବି ଅଜ୍ଞାତବାସରେ ୩୧ ଶିଶୁ

ସମ୍ବଲପୁର : ଶିଶୁ ନିଖୋଜ ହାର ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ସମ୍ବଲପୁର ପୁଲିସ ପକ୍ଷରୁ ଚଳିତମାସ ୧୮ ତାରିଖରୁ ୨୫ ତାରିଖ ମଧ୍ୟରେ ଏକ ସ୍ବତନ୍ତ୍ର ଡ୍ରାଇଭ୍ କରାଯାଇଥିଲା। ସମ୍ପୂର୍ଣ୍ଣ ନହେଲେ ମଧ୍ୟ ସମ୍ବଲପୁର ପୁଲିସ ଏକ ତୃତୀୟାଂଶ ଶିଶୁଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। ମିଳିଥିବା ତଥ୍ୟ ଅନୁଯାୟୀ ଗତ ୧୪ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ୪୮ ଜଣ ଶିଶୁ ନିଖୋଜ ଥିବା ଅଭିଯୋଗ ହୋଇଥିଲା। ତେବେ ସମ୍ବଲପୁର ପୁଲିସ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ଡ୍ରାଇଭ୍‌ରେ ୧୭ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ତେବେ ବର୍ତ୍ତମାନ ମଧ୍ୟ ଆହୁରି ୩୧ ଜଣ ଶିଶୁ ଅଜ୍ଞାତବାସରେ ଅଛନ୍ତି।

Times of India

ମିଳିଥିବା ତଥ୍ୟ ଅନୁଯାୟୀ, ଏହି ସ୍ବତନ୍ତ୍ର ଡ୍ରାଇଭ୍ କରି ପୁଲିସ ଗତ ୧୯ ତାରିଖରେ ଗୋଶାଳା ଓ ଦୁର୍ଗାପାଲିରୁ ୨ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲା। ସେଭଳି ୨୦ ତାରିଖରେ ଚିପିଲିମାର କୁଦମାହାଦା, କ୍ଷେତରାଜପୁର ରେଳ ଷ୍ଟାସନ୍‌ ଓ ସମ୍ବଲପୁର ହୀରାକୁଦ କଲୋନିରୁ ମୋଟ ୩ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ୨୧ ତାରିଖରେ ଶାଳବଣିଆ, ବଉଡ ଓ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡେଇରୁ ମୋଟ୍ ୩ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲା। ୨୨ ତାରିଖରେ ରିଆମାଳ, ସମ୍ବଲପୁର, ଲୋଇସିଙ୍ଗା, ଡିମିରିକୁଦ ଓ ବରଗଡ଼ରୁ ମୋଟ ୫ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ୨୩ ତାରିଖରେ ଭେଲୁଆଟିକ୍ରାରୁ ଜଣେ ଶିଶୁ ଉଦ୍ଧାର ହୋଇଥିଲେ। ୨୪ ତାରିଖରେ ରାୟପୁରରୁ ଜଣେ ଶିଶୁ ଉଦ୍ଧାର ହୋଇଥିବା ସମୟରେ ୨୫ ତାରିଖରେ ବ୍ରଜରାଜ ନଗର ଓ ଭୁବନେଶ୍ବରରୁ ୨ ଜଣ ଶିଶୁଙ୍କୁ ପୁଲିସ ଉଦ୍ଧାର କରିଥିଲା।

ଉଦ୍ଧାର ହୋଇଥିବା ୧୭ ଜଣ ଯାକ ଝିଅ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୭ ବର୍ଷୀୟା ୯ ଜଣ ଝିଅ ରହିଥିବା ସମୟରେ ୧୯ ବର୍ଷୀୟା ୩ ଜଣ ଏବଂ ୧୪,୧୬, ୧୮, ୨୦ ଓ ୨୨ ବର୍ଷୀୟା ଜଣେ ଲେଖାଏଁ ଝିଅ ରହିଛନ୍ତି। ଉଦ୍ଧାର ହୋଇଥିବା ୧୭ ଜଣ ଶିଶୁଙ୍କ ମଧ୍ୟରୁ ୧୨ ଜଣଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସଖୀ, ସିଡବ୍ଲୁସି, କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଜିଲ୍ଲାରେ ନିଖୋଜ ଥିବା ଅନ୍ୟ ଶିଶୁମାନଙ୍କୁ ପୁଲିସ କେବେ ଧରୁଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର