ଓଡ଼ିଶାର ୬ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ସ୍ୱତନ୍ତ୍ର ଲଫାଫା

ଭର୍ଚୁଆଲ୍‌ ମୋଡ୍‌ରେ ଉନ୍ମୋଚନ କଲେ ଦୁଇ କେନ୍ଦ୍ର ମନ୍ତ୍ରୀ

ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇ ନ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା କରାଯିବ: ଧର୍ମେନ୍ଦ୍ର

ଭୁବନେଶ୍ୱର : ଇତିହାସ ପୃଷ୍ଠାରେ ଅନାଲୋଚିତ ଓଡ଼ିଶାର ୬ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ଡାକ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡ଼ାକ ଲଫାଫା ପ୍ରସ୍ତୁତ କରାଯାଇଛି। ଏହି ମହାନ ସ୍ୱାଧୀନତା ସଂଗ୍ରାମୀଗଣ ହେଲେ ସହିଦ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ଚକରା ବିଷୋୟୀ, ଚାଖି ଖୁଂଟିଆ, ବାଜି ରାଉତ ଓ ପାର୍ବତି ଗିରି। ଆଜାଦୀ କା ଅମୃତ ମହୋତ୍ସବ ଓ ଡାକ ଟିକଟ ଦିବସ ସମାରୋହ ଉପଲକ୍ଷେ ନୂଆଦିଲ୍ଲୀର ଡାକ ଭବନରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ‌କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଏହାକୁ ଉନ୍ମୋଚନ କରିଥିଲେ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ବ୍ରିଟିସ୍ ବିରୋଧରେ ମହାନ ଯୋଦ୍ଧା ଜୟୀ ରାଜଗୁରୁଙ୍କ ସଂଗ୍ରାମ, ପାଇକ ବିଦ୍ରୋହରେ ବକ୍ସି ଜଗବନ୍ଧୁଙ୍କ ବଳିଷ୍ଠ ନେତୃତ୍ୱ, ଘୁମୁଷର ପାଇଁ ଆପ୍ରାଣ ଚେଷ୍ଟା କରିଥିବା ଜନଜାତି ଜନନାୟକ ଚକରା ବିଷୋୟୀ, ସିପାହୀ ବିଦ୍ରୋହରେ ଚାଖି ଖୁଣ୍ଟିଆଙ୍କ ଭୂମିକା, ସହିଦ ବାଜି ରାଉତଙ୍କ ସାହସ ଓ ପାର୍ବତି ଗିରିଙ୍କ ଦେଶସେବାର ଇଚ୍ଛାଶକ୍ତି ସର୍ବଦା ପ୍ରେରଣା ହୋଇ ରହିବ। ଭାରତର ସ୍ୱତନ୍ତ୍ରତା ସଂଗ୍ରାମରେ ଓଡ଼ିଶାର ଏହି ବୀର ଯୋଦ୍ଧାଗଣ ଯେଉଁ ତ୍ୟାଗ, ତପସ୍ୟା, ସାହସ ତଥା ବଳିଦାନ ଦେଖାଇଛନ୍ତି ତାହା ଅବିସ୍ମରଣୀୟ । ମାତ୍ର ସମସ୍ତ ଦେଶଭକ୍ତିପୂର୍ଣ୍ଣ କାର୍ଯ୍ୟ କିମ୍ବା ନିଃସ୍ୱାର୍ଥ ବଳିଦାନ ଇତିହାସରେ ଲିପିବଦ୍ଧ ହୋଇନାହିଁ। ଆଗାମୀ ଦିନରେ ଓଡ଼ିଶାର ମହାନାୟକଙ୍କ ତ୍ୟାଗ ତଥା ବଳିଦାନକୁ ଶତାବ୍ଦୀ ଶତାବ୍ଦୀ ଧରି ଉଜ୍ଜୀବିତ କରି ରଖିବାର ଆବଶ୍ୟକତା ରହିଛି। ଦୀର୍ଘ ୨୦୦ ଓ ୨୫୦ ବର୍ଷ ପୂର୍ବେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ନ ଥିବା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା କରିବା ପାଇଁ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ(ଆଇସିଏଚ୍ଆର୍) ପକ୍ଷରୁ ଉଦ୍ୟମ କରାଯିବ। ଆଜି ଉନ୍ମୋଚିତ ହୋଇଥିବା ଲଫାଫାକୁ କିଣି ବ୍ୟବହାର କରିବା ପାଇଁ ଶ୍ରୀ ପ୍ରଧାନ ଲୋକଙ୍କୁ ନିବେଦନ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ଦେଶର ସ୍ବାଧୀନତା ସଂଗ୍ରାମରେ ଏହି ୬ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ମୂଲ୍ୟବାନ ଯୋଗଦାନର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଉଭୟ ମନ୍ତ୍ରୀ ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଜୟୀ ରାଜଗୁରୁଙ୍କ ବଂଶର ଷଷ୍ଠ ପିଢ଼ିର ଦୟାନନ୍ଦ ମହାପାତ୍ର ଓ ତ୍ରିଦେବ ନନ୍ଦ, ବକ୍ସି ଜଗବନ୍ଧୁଙ୍କ ଷଷ୍ଠ ପିଢ଼ିର ବଂଶଜ ତଥା ବିଧାୟକ ଲଳିତ‌େନ୍ଦୁ ବିଦ୍ୟାଧର ମହାପାତ୍ର, ଚକରା ବିଷୋୟୀ ସାଂସ୍କୃତିକ ଏକାଡେମିର ସଭାପତି ଜଗବନ୍ଧୁ ଜେନା, ଚାଖି ଖୁଣ୍ଟିଆଙ୍କ ବଂଶର ଚତୁର୍ଥ ପିଢ଼ି ହଜୁରୀ ଭୀମସେନ ଖୁଣ୍ଟିଆ, ସହିଦ ବାଜି ରାଉତଙ୍କ ଦାୟାଦ କୁଳମଣି ରାଉତ ଓ ପାର୍ବତୀ ଗିରିଙ୍କ ଦାୟାଦ ଭରତ କୁମାର ଗିରିଙ୍କ ସହ କେନ୍ଦ୍ର ମନ୍ତ୍ରୀ କଥା ହୋଇଥିଲେ। ନୂଆଦିଲ୍ଲୀରେ ଡାକ ବିଭାଗ ସଚିବ ବିନୀତ ପାଣ୍ଡେ, ଡାକ ବିଭାଗ ମହାନିର୍ଦ୍ଦେଶକ ଆଲୋକ ଶର୍ମା, ଓଡ଼ିଶାରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁରେଶ ଚନ୍ଦ୍ର ଦଳାଇ ଓ ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଶୁଭେନ୍ଦୁ ସ୍ବାଇଁ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର