ସବୁ ଡାକ୍ତରଖାନାକୁ ସ୍ବତନ୍ତ୍ର ଫିଡର, ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ପାଖରେ ଥିବା ଟ୍ରାନସଫର୍ମର ସ୍ଥାନାନ୍ତର

ବଣ୍ଟନ ଓ ପରିବହନଜନିତ କ୍ଷତି କମାଇବାରେ ସରକାର ବିଫଳ: ବିରୋଧୀ

ଭୁବନେଶ୍ବର: ଚାହିଦା ତୁଳନାରେ ରାଜ୍ୟରେ ସରକାର ବିଦ୍ୟୁତ ଉତ୍ପାଦନ କରିପାରିନାହାନ୍ତି। ବିଦ୍ୟୁତ ବଣ୍ଟନ ଓ ପରିବହନ ଜନିତ କ୍ଷତି ହ୍ରାସ କରିବାରେ ସରକାର ବିଫଳ। ଆଜି ବିଧାନସଭାରେ ଶକ୍ତି ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ବିରୋଧୀ ଏପରି ଅଭିଯୋଗ କରିଛନ୍ତି। ଗାଁରେ ଲାଇନ କଟିଲେ ରାତି ବିତିଯାଉଛି ଅଥଚ ଆଉ ଲାଇନ ଆସୁନି। ଲୋକେ ନାହିଁ ନଥିବା ଅବସ୍ଥା ଭୋଗୁଛନ୍ତି। ଫନି ପ୍ରଭାବିତ ଜିଲ୍ଲାରେ ଏବେଯାଏଁ ବିଦ୍ୟୁତ ସଂଯୋଗର ପୁନରୁଦ୍ଧାର ନ ହେବା ନେଇ ମଧ୍ୟ ବିରୋଧୀ ସ୍ବର ଉଠାଇଛନ୍ତି। ଉତ୍ତରରେ ଶକ୍ତି ମନ୍ତ୍ରୀ କହିଛନ୍ତି, ଫନି ବାତ୍ୟାରେ ଉପକୂଳବର୍ତ୍ତୀ ଅଞ୍ଚଳରେ ୪୪ ଲକ୍ଷ ପରିବାର ପ୍ରଭାବିତ ହୋଇଥିଲେ। କର୍ମଚାରୀମାନଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ବିଦ୍ୟୁତ ସରବରାହକୁ ସ୍ବାଭାବିକ କରାଯାଇପାରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସବୁ ମେଡିକାଲ କଲେଜ ଓ ଜିଲ୍ଲା ସଦର ମହକୁମା ହସ୍ପିଟାଲଗୁଡ଼ିକରେ ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ପାଇଁ ସ୍ବତନ୍ତ୍ର ଫିଡରର ବ୍ୟବସ୍ଥା କରାଯିବ।

ମଙ୍ଗଳବାର ଗୃହରେ ଶକ୍ତି ବିଭାଗ ଖର୍ଚ୍ଚଦାବି ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ, ଏ ସରକାରର ଦୀର୍ଘ ୨୦ ବର୍ଷ ଶାସନକାଳରେ ବିଦ୍ୟୁତ ଉତ୍ପାଦନ ପାଇଁ କିଛି ବି ପଦକ୍ଷେପ ନିଆଯାଇନି। ବିଦ୍ୟୁତ ଅପଚୟ ରୋକିବାକୁ ଶକ୍ତି ବିଭାଗ ନିଦାବିଷ୍ଣୁ ପାଲଟିଛି। ଖୋଦ ସରକାରୀ ଅଫିସରେ ଅଫିସରମାନେ ବିଦ୍ୟୁତ ଅପଚୟ କରିବା ନେଇ ଶ୍ରୀ ମାଝୀ ଅଭିଯୋଗ କରିଥିଲେ। ଖାଲି ସେତିକି ନୁହେଁ, ପରିବେଶ ସୁରକ୍ଷା ଦୃଷ୍ଟିରୁ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ସରକାର ୩୩ଟି ଏମଓୟୁ କରିଥିଲେ ବି ଗୋଟିଏ ବି ଏ ପର୍ଯ୍ୟନ୍ତ ବାସ୍ତବ ରୂପ ନେଇପାରିନି। ଗୋଟିଏ ପଟେ ଉତ୍ପାଦନ ନାହିଁ; ଅନ୍ୟପଟେ ଯେତିକି ବି ଉତ୍ପାଦନ ହେଉଛି ସେଥିରେ ବଣ୍ଟନ ଓ ପରିବହନଜନିତ କ୍ଷତି କମାଇପାରିନାହାନ୍ତି। ସରକାରଙ୍କ ବିଦ୍ୟୁତ ସଂସ୍କାର କାର୍ଯ୍ୟକ୍ରମ କେବଳ ସ୍ଲୋଗାନରେ ରହିଛି। ବିଦ୍ୟୁତ ଚୋରି ରୋକିବାରେ ବି ବିଭାଗ ବିଫଳ। ବିଦ୍ୟୁତ ବଣ୍ଟନ କମ୍ପାନିମାନଙ୍କ ଭିତ୍ତିଭୂମି ବିକାଶ କରିବାକୁ ସରକାର ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ଋଣ ପାଇଁ ଗ୍ୟାରେଣ୍ଟର ପଡ଼ୁଛନ୍ତି ,କିନ୍ତୁ ଏ ଯାଏଁ ସେସବୁ କମ୍ପାନି ସରକାରଙ୍କୁ ଟଙ୍କାଟିଏ ବି ଫେରାଇନାହାନ୍ତି। ଗାଁ ଗହଳି କଥା ଦୂରେ ଥାଉ ଖୋଦ ରାଜଧାନୀରେ ବି ପତ୍ର ହଲିଲେ ବିଦ୍ୟୁତ ରହୁନି। ଫନି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏ ଯାଏଁ ବି ସବୁ ଉପଭୋକ୍ତାମାନେ ବିଦ୍ୟୁତ ସଂଯୋଗ ପାଇନାହାନ୍ତି।

ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଆଲୋଚନାରେ ଭାଗ ନେଇ କହିଥିଲେ, ଶକ୍ତି ବିଭାଗରେ ଭଲ ଅଫିସର ଓ କର୍ମଚାରୀମାନଙ୍କ ଯୋଗୁଁ ବିଦ୍ୟୁତ ବଣ୍ଟନ ଓ ପରିବହନଜନିତ କ୍ଷତିକୁ ୫୭%ରୁ ୩୦%କୁ ହ୍ରାସ କରାଯାଇପାରିଛି। ବର୍ତ୍ତମାନ ରାଜ୍ୟରେ ମୋଟ ୨୭ ହଜାର ୬୦୦ ମିଲିୟନ ୟୁନିଟ ବିଦ୍ୟୁତ ଉତ୍ପାଦନ ହେଉଛି। ଓପିଜିସିର ତୃତୀୟ ଓ ଚତୁର୍ଥ ୟୁନିଟରୁ ବିଦ୍ୟୁତ ଉତ୍ପାଦନ ପରୀକ୍ଷାମୂଳକ ଭାବେ ସମ୍ପୂର୍ଣ୍ଣ ହୋଇଛି। ଏପରି ହେଲେ ୧୩୨୦ ମେଗାଵାଟ୍ ଥର୍ମାଲ ପାଵାର କେବଳ ଓପିଜିସି ଯୋଗାଇପାରିବ। ଅକ୍ଷୟଶକ୍ତି ବିକାଶ ଉପରେ ସରକାର ଗୁରୁତ୍ବ ଦେବାକୁ ଶ୍ରୀ ନାୟକ ପ୍ରସ୍ତାବ ଦେଇଥିଲେ। ଓଡ଼ିଶାରେ କୃଷକମାନଙ୍କୁ ୧ ଟଙ୍କା ୫୦ ପଇସାରେ ବିଦ୍ୟୁତ ଯୋଗାଇ ଦିଆଯାଉଛି। ଯାହାକି ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଯଥେଷ୍ଟ କମ୍। କୃଷକମାନଙ୍କ ପାଇଁ ଫିଡର ଅଲଗା କରିବାକୁ ସେ ଶକ୍ତିମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ବିଜେଡି ସଦସ୍ୟ ପ୍ରଶାନ୍ତ ମୁଦୁଲି ଅଭିଯୋଗ କରି କହିଥିଲେ, ସହରରେ ବିଦ୍ୟୁତ ସେବା ଠିକ ଅଛି, କିନ୍ତୁ ଗାଁରେ ରାତିରେ ଲାଇନ ଗଲେ ଆଉ ଆସୁନି। ଲାଇନମ୍ୟାନଙ୍କୁ ଖବର ଦେଲେ ସେମାନେ ଆସୁନାହାନ୍ତି। ସେମାନେ ଡ୍ୟୁଟିରେ ଥାଇ ବି ମରାମତି କରୁନାହାନ୍ତି। ଏଥିପାଇଁ କାର୍ଯ୍ୟକ୍ଷେତ୍ରରେ ଥିବା ବିଦ୍ୟୁତ କର୍ମଚାରୀମାନଙ୍କ ପାଇଁ ଜିପିଏସ ବ୍ୟବସ୍ଥା କରିବାକୁ ସେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। କଟକ ସହରରେ ବିଦ୍ୟୁତ ତାରଗୁଡ଼ିକ କୋଠାଘର ଛାତରୁ ଅଳ୍ପ ଦୂରରେ ଥିବାଯୋଗୁଁ ବହୁ ଦୁର୍ଘଟଣା ଘଟୁଥିବା ନେଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଉଦବେଗ ପ୍ରକାଶ କରିଥିଲେ। ଏହାସହିତ କଟକ ତ୍ରିଶୂଳିଆ ଗାଁରେ ଦୈନିକ ୪ ଘଣ୍ଟା ବିଦ୍ୟୁତ କାଟ ହେଉଥିବା ନେଇ ମଧ୍ୟ ସେ ଅଭିଯୋଗ କରିଥିଲେ।

ଆଲୋଚନା ଶେଷରେ ଉତ୍ତର ରଖିବାକୁ ଯାଇ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରଥମେ ଶକ୍ତି ବିଭାଗର ଉପଲବ୍ଧି ନେଇ ପୂର୍ବତନ ଶକ୍ତି ମନ୍ତ୍ରୀ ଓ ବିଭାଗୀୟ କର୍ମଚାରୀମାନଙ୍କୁ ଶ୍ରେୟ ପ୍ରଦାନ କରିଥିଲେ। ଶ୍ରୀ ମିଶ୍ର କହିଥିଲେ ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ସମମ୍ୟା ଦୂର କରିବା ପାଇଁ ୨୮୦ଟି ୩୩/୧୧ କେ.ଭି ସବଷ୍ଟେସନର ପରୀକ୍ଷାମୂଳକ ଚାର୍ଜ ହୋଇଛି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଆଉ ୧୦୦ଟି ୩୩/୧୧ କେ.ଭି ସବଷ୍ଟେସନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଏଣିକି ସବୁ ଜିଲ୍ଲା ସଦର ମହକୁମା ହସ୍ପିଟାଲ ଓ ସରକାରୀ ମେଡିକାଲ କଲେଜଗୁଡ଼ିକରେ ରୋଗୀମାନଙ୍କ ଚିକିତ୍ସା ପାଇଁ ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ପାଇଁ ସ୍ବତନ୍ତ୍ର ଫିଡର କରାଯିବ। ଆଉ ଫିଡର କାମ ଚଳିତବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ସେହିପରି କୃଷକମାନଙ୍କ ୧୦୧ଟି ସ୍ବତନ୍ତ୍ର ଫିଡର ନିର୍ମାଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ପାଖରେ ଥିବା ବିଦ୍ୟୁତ୍ ଟ୍ରାନସଫର୍ମରଗୁଡ଼ିକୁ ମଧ୍ୟ ଅନ୍ୟତ୍ର ସାନାନ୍ତର କରିବାକୁ ଅର୍ଥ ବରାଦ କରାଯାଇଛି। ବିଦ୍ୟୁତ ଭିତ୍ତିଭୂମି ଓ ଉତ୍ପାଦନ ବୃଦ୍ଧି କରିବାରେ ସରକାର ୨୫ ହଜାର କୋଟି ଟଙ୍କା ବିନିଯୋଗ କରିଛନ୍ତି। ତ୍ରିଶୂଳିଆରେ ୨୨୦ କେ.ଭି ସୁପରଗ୍ରେଡ୍ ପାଵାର ଷ୍ଟେସନ ନିର୍ମାଣାଧୀନ ଅଛି। ଗତବର୍ଷ ଶକ୍ତି ବିଭାଗ ସରକାରଙ୍କୁ ୩ ହଜାର ୬୦୦ କୋଟି ଟଙ୍କାର ରାଜସ୍ବ ଦେଇଛି। ଚଳିତ ବର୍ଷ ମଧ୍ୟ ଏହି ପରିମାଣ ୩ ହଜାର କୋଟିରୁ ଅଧିକ ହେବ। ଆସନ୍ତା ୨ ବର୍ଷ ଭିତରେ ଆଉ ୨୬ ଲକ୍ଷ ପରିବାରକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ। ଏଥିସହ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଶକ୍ତି ବିଭାଗର ୨ ହଜାର ୨୫୦ କୋଟି ୮୮ ଲକ୍ଷ ୩୬ ହଜାର ଟଙ୍କାର ଖର୍ଚ୍ଚଦାବି ଗୃହର ଅନୁମୋଦନ ଲାଭ କରିଥିଲା।

ସମ୍ବନ୍ଧିତ ଖବର