ପିଏମ୍‌ଜିଏସ୍‌ୱାଇ ସଡ଼କ ପାଇଁ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ସାଧାରଣ ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଚାଲୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ସମ୍ପର୍କରେ ସମୀକ୍ଷା ନେଇ ଖୋର୍ଦ୍ଧା ଜିଲ୍ଲା ପରିଷଦର ସ୍ୱତନ୍ତ୍ର ସାଧାରଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଡିଓ କନ୍‌ଫରେନ୍‌ସିଂ ଦ୍ୱାରା ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ ସ୍ୱାଗତ ଭାଷଣ ଓ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ବୈଠକରେ କହିଥିଲେ ଯେ ପିଏମ୍‌ଜିଏସ୍‌ୱାଇର ତୃତୀୟ ପର୍ଯ୍ୟାୟରେ ଗୋଟିଏ ବ୍ଲକରୁ ଆଉ ଏକ ବ୍ଲକକୁ ସଂଯୋଗ କରୁଥିବା ସଡ଼କର ଉନ୍ନତୀକରଣ, ମରାମତି ଆଦି ପ୍ରାଥମିକତା ଭିତ୍ତିରେ କରିବା ଉଚିତ । ଚିଲିକା, ବାଣପୁର, ଖୋର୍ଦ୍ଧା ବ୍ଲକର ଅନେକ ଗ୍ରାମ୍ୟ ଉନ୍ନୟନ ସଡ଼କ ମରାମତିର ଆାବଶ୍ୟକତା ରହିଛି । ଏହାକୁ ଦୃଷ୍ଟି ଦେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ ମତ ଦେଇଥିଲେ । ଜିଲ୍ଲାପାଳ ସନତ କୁମାର ମହାନ୍ତି, ସରକାରଙ୍କ ନିୟମାନୁସାରେ ରାସ୍ତାଗୁଡ଼ିକର ସଂଯୋଗୀକରଣ ଉପରେ ଗୁରୁତ୍ୱ ଦେଇଥିଲେ ।

ଗ୍ରାମ୍ୟ ଉନ୍ନୟନ ଡିଭିଜନର ନିର୍ବାହୀ ଯନ୍ତ୍ରୀ କହିଥିଲେ ଯେ ୧୦ଟି ବ୍ଲକର ମୋଟ ୨୩୬୮ କିଲୋମିଟର ବିଶିଷ୍ଟ ୨୮୩ଟି ରାସ୍ତା ପାଇଁ ପ୍ରସ୍ତାବ ଦିଆଯାଇଛି । ପିଏମ୍‌ଜିଏସ୍‌ୱାଇରେ ଏହି ପ୍ରସ୍ତାବ ଅନୁମୋଦନ ହେଲେ ସଂଯୋଗୀକରଣ କାର୍ଯ୍ୟ ଆରମ୍ଭ ହେବ। ଏହି ବୈଠକରେ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଜିଲ୍ଲା ପରିଷଦ ସଭ୍ୟସଭ୍ୟାମାନେ ନିଜ ନିଜ ଅଂଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର